Advertisment

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଚାଲିଥିଲା ବିବାଦ: ୨ ଭାଇଙ୍କୁ ପିଟିଲେ, ଟ୍ରାକ୍ଟର ଚଢ଼ାଇ ଦେଲେ

୭ ପୁଅ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇଟି ଗ୍ରୁପରେ ଭାଗ ହୋଇଯାଇଥିଲେ। ସେମାନେ ପରସ୍ପରକୁ ବିରୋଧ କରୁଥିଲେ।

author-image
Hemant Lenka
tractor

tractor

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସମ୍ପର୍କୀୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଭୟଙ୍କର ରୂପ ନେଇଛି। ୨ ଭାଇଙ୍କୁ ପ୍ରବଳ ପିଟିବା ସହ ସେମାନଙ୍କ ଉପରେ ଗୋଟିଏ ଟ୍ରାକ୍ଟର ଚଢ଼ାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ୨ ଭାଇଙ୍କୁ ତାଙ୍କ ବାପା ଓ ଭାଇମାନେ ହିଁ ମାରିଛନ୍ତି। ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ଘଟଣାଟି ରବିବାର ଗିଗତାରା ଓ ଛତାନ ଗାଁ ମଧ୍ୟରେ ଘଟିଥିଲା। କିନ୍ତୁ ପୁଲିସ୍‌ ଏ ସମ୍ପର୍କରେ ଆଜି ସୂଚନା ଦେଇଛି। ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଓ ଜଣେ ମହିଳା ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି।

ପୁଲିସ୍‌ର କହିବା କଥା ବୁଦ୍ଧୱାରା ଗାଁରେ ରହୁଥିବା ତୋରାନ ପଟେଲ ଓ ତାଙ୍କର ୭ ପୁଅଙ୍କ ସହ ପୂରା ବିବାଦ ସହ ଜଡ଼ିତ। ୭ ପୁଅ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇଟି ଗ୍ରୁପରେ ଭାଗ ହୋଇଯାଇଥିଲେ। ସେମାନେ ପରସ୍ପରକୁ ବିରୋଧ କରୁଥିଲେ।

Advertisment

ରବିବାର ପଟେଲ ଓ ତାଙ୍କର ୩ ଜଣ ପୁଅ-କେଜୁ ରାମ, ମାଖନ ଓ ରାମବଳୀ ମିଳିତ ଭାବେ ଅନ୍ୟ ୩ ଭାଇ-ଭାଗବଳୀ, କୌଶଲ, ୱାକିଲ ଓ ୱାକିଲଙ୍କ ପତ୍ନୀ ସନ୍ତୋଷୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ନିଜ ଜମିରେ କାମ କରୁଥିବା ବେଳେ ପଟେଲ ଆଣ୍ଡ କୋ ସେମାନଙ୍କୁ କାଠ ଫାଳିଆରେ ପିଟିଥିଲେ। ସେମାନେ ମଧ୍ୟ ପ୍ରତିବାଦ କରିବାରୁ ଦୁଇ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା।

ଏତିକି ବେଳେ କେଜୁ ରାମ ଭାଇ ଭାଗବଳୀ(୫୫) ଓ ୱାକିଲ(୪୫)ଙ୍କ ଉପରେ ଗୋଟିଏ ଟ୍ରାକ୍ଟର ଚଢ଼ାଇ ଦେଇଥିଲା। ଘଟଣା ସ୍ଥଳରେ ହିଁ ଭାଗବଳୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୱାକିଲ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

୫୮ ବର୍ଷୀୟ କୌଶଲ ଓ ୪୦ ବର୍ଷୀୟ ସନ୍ତୋଷୀ ଏବେ ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏହି ଘଟଣାରେ ମୋଟ ୯ ଜଣଙ୍କ ନାଁରେ ମାମଲା କରିଛି। ଏମାନଙ୍କ ମଧ୍ୟରୁ କେଜୁ ରାମ ଓ ତାଙ୍କ ପତ୍ନୀ ଚିତ୍ରଲେଖାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Chhattisgarh Crime