Advertisment

ଧରା ପଡ଼ିବା ପରେ ଜେଲ୍‌ ଗଲେ ୨ ନକଲି ଶିକ୍ଷକ

ଶିକ୍ଷା ବିଭାଗ କୌଣସି କାରଣରୁ ଏମାନଙ୍କ ଉପରେ ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଥିଲା। ତଦନ୍ତ ବେଳେ ତରଣୀ ଓ ମଙ୍ଗଲଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା। ଉଭୟଙ୍କ ବିଇଡି ପ୍ରମାଣପତ୍ର ନକଲି ଥିବା ଜଣାପଡ଼ିଥିଲା।

author-image
Hemant Lenka
Fake

Fake

ରାଜ୍ୟର ବିଭିନ୍ନ ଜିଲ୍ଲା ପରେ ବରଗଡ଼ରେ ମଧ୍ୟ ନକଲି ସାର୍ଟିଫିକେଟ କରବାର ଚାଲିଥିବା ଖବର ସାମ୍ନାକୁ ଆସିଛି। ନକଲି ପ୍ରମାଣପତ୍ର ଦେଇ ଶିକ୍ଷକ ହୋଇଥିବା ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଧରା ପଡ଼ିଥିବା ଦୁଇ ଜଣ ନକଲି ଶିକ୍ଷକ ହେଲେ ତରଣୀ ସେଠ ଓ ମଙ୍ଗଳ ବିଶ୍ୱାଳ। ଉଭୟଙ୍କ କାରନାମା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଜେଲ ହାତକୁ ପଠାଇ ଦିଆଯାଇଛି। 

Advertisment

ଅମ୍ବାଭୋନା ବ୍ଲକ ଭୁତଲି ପ୍ରାଥମିକ ବିଦ୍ୟାଳୟରେ ତରଣୀ ସେଠ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହିପରି କଣ୍ଡପଲା ବିଦ୍ୟାଳୟରେ ମଙ୍ଗଳ ବିଶ୍ୱାଳ ସହକାରୀ ଶିକ୍ଷକ ଥିଲେ। ଏମାନେ ଦୀର୍ଘ ବର୍ଷ ହେଲା ଏହି ପଦବୀରେ ଥିବା ବେଳେ ସରକାରୀ ନିୟମ ଅନୁସାରେ ଦରମା ମଧ୍ୟ ପାଉଥିଲେ। କିନ୍ତୁ ଉଭୟଙ୍କ ପାଖରେ ଚାକିରି ପାଇଁ ନଥିଲା ଯୋଗ୍ୟତା। କାରଣ ସେମାନେ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଥିଲେ।

ଶିକ୍ଷା ବିଭାଗ କୌଣସି କାରଣରୁ ଏମାନଙ୍କ ଉପରେ ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଥିଲା। ତଦନ୍ତ ବେଳେ ତରଣୀ ଓ ମଙ୍ଗଲଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା। ଉଭୟଙ୍କ ବିଇଡି ପ୍ରମାଣପତ୍ର ନକଲି ଥିବା ଜଣାପଡ଼ିଥିଲା।

Advertisment

ସବୁ ଜାଣିବା ପରେ ଅମ୍ବାଭୋନା ବିଇଓ ସ୍ଥାନୀୟ ଥାନାରେ ଉଭୟଙ୍କ ନାଁରେ ଏତଲା ଦେଇଥିଲେ। ଘଟଣା ପରଠାରୁ ଏମାନେ ହଠାତ ଫେରାର ହୋଇଯାଇଥିଲେ। କିନ୍ତୁ ଜୁନ ମାସରେ ଉଭୟ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଏହା ପରେ ସେମାନଙ୍କୁ ଗତ ଜୁନ ୩ ତାରିଖରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସାମ୍ନାକୁ ଆସିଥିବା ଚିଠିରୁ ସ୍ପଷ୍ଟ ହୋଇଛି।

ଅମ୍ବାଭୋନା ବିଇଓଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ତରଣୀ ସେଠ ୧୫/୧୦/୨୦୦୫ରେ ଚଣ୍ଡିପାଲି ବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ। ସେହିପରି ୧୮/୧୦/୨୦୦୫ରେ ମଙ୍ଗଳ ଚାକିରିରେ ‌ ଯୋଗ ଦେଇଥିଲେ। ୨୦୧୧ରୁ ସେମାନେ ରେଗୁଲାର ହୋଇଥିଲେ।

ଦରମା ୨୯ହଜାର ୯୦୦ ଟଙ୍କା ପାଉଥିଲେ। କିନ୍ତୁ ନକଲି ସାର୍ଟିଫିକେଟ ବାବଦରେ ବିଇଓ ସନ୍ଦେହ କରିବାରୁ ଆନ୍ନାମଲାଇ ୟୁନିଭରସିଟି ନାଁରେ ଥିବା ପ୍ରମାଣପତ୍ରକୁ ଯାଞ୍ଚ ପାଇଁ ସେଠାକୁ ଚିଠି କରି ସତ୍ୟାସତ୍ୟ ଲୋଡ଼ିଥିଲେ।

ବିଶ୍ୱବିଦ୍ୟାଳୟ ୨ଟି ଯାକ ସାର୍ଟିଫିକେଟ ନକଲି ହୋଇଥିବା ଚିଠିରେ ଜଣାଇଥିଲା। ହେଲେ ସବୁଠାରୁ ବଡ଼ କଥା ହେଲା, ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ଘଟଣାକୁ ଲୁଚାଇଦେବକୁ ଚେଷ୍ଟା କରୁଥିଲା। କାରଣ ଏହି ଘଟଣା ପ୍ରକାଶ ହେଲେ ଜିଲ୍ଲା ଶିକ୍ଷା ବିଭାଗର ଚେହେରା ମଳିନ ପଡ଼ିଯିବ ବୋଲି ଆଶଙ୍କା କରାଯାଉଥିଲା। 

ଅନ୍ୟପଟେ ଆହୁରି ନକଲି ଶିକ୍ଷକ ଥିବା ସନ୍ଦେହରେ ସବୁ ସାର୍ଟିଫିକଟ ଯାଞ୍ଚ ପାଇଁ ପଠାଯାଇଛି ଆଉ ଯାଞ୍ଚ ପରେ ଯଦି କେହି ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ।

ରିପୋର୍ଟ: ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ 

Odisha Bargarh Fake Certificate