/odisha-reporter/media/post_attachments/uploadimage/library/16_9/16_9_0/Vipin_1756120885.jpg)
Vipin
ଲୋଭର କୌଣସି ସୀମା ନଥାଏ। ବିପିନ ଓ ରୋହିତ ଭାଟ୍ଟି ଏମିତି ଦୁଇ ଜଣ ବେରୋଜଗାରିଆ ଭାଇ ଯେଉଁମାନେ ବାପାଙ୍କ ଗ୍ରୋସରୀ ବ୍ୟବସାୟ ଉପରେ ନର୍ଭର କରି ଚଳୁଥିଲେ। ବାପାଙ୍କ ବ୍ୟବସାୟକୁ ସାମ୍ନାରେ ରଖି ଉଭୟ ବାହା ହୋଇଥିଲେ। ଯୌତୁକରେ ଦୁଇ ଭାଇଙ୍କୁ ମିଳିଥିଲା ଗୋଟିଏ ବିରାଟକାୟ କାର, ରୟାଲ ଏନଫିଲ୍ଡ ବାଇକ, ୫୦୦ ଗ୍ରାମ ସୁନା ଓ ନଗଦ ଟଙ୍କା। କିନ୍ତୁ ସେମାନଙ୍କ ପାଇଁ ଏହା ଯଥେଷ୍ଟ ନଥିଲା। ପୟଲା ପରିବାରର ଦୁଇ ଭଉଣୀଙ୍କୁ ବିବାହ କରିଥିଲେ ଦୁଇ ଭାଇ। ନିକ୍କି ଓ କାଞ୍ଚନଙ୍କ ସହ ସେମାନଙ୍କ ବିବାହ ହୋଇଥିଲା।
ବିପିନ ଓ ରୋହିତ ବାପାଙ୍କ ବ୍ୟବସାୟ ଉପରେ ନର୍ଭର କରୁଥିବାରୁ ସେମାନଙ୍କ ପତ୍ନୀ ନିକ୍କି ଓ କାଞ୍ଚନ ଗୋଟିଏ ପାର୍ଲର ଓ ବଟିକ୍ୟୁ ବ୍ୟବସାୟ ଆରମ୍ଭ କରିଥିଲେ। ଆର୍ଥିକ ସ୍ୱାଧୀନତା ଓ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତର ସ୍ୱପ୍ନକୁ ପୂରଣ କରିବାକୁ ସେମାନେ ଏପରି ପଦକ୍ଷେପ ନେଇଥିଲେ। କିନ୍ତୁ ଦୁଇ ଭାଇ ସେମାନଙ୍କ ଠାରୁ ଟଙ୍କା ଚୋରି କରିବା ଆରମ୍ଭ କରିଥିଲେ। ଏଥିଯୋଗୁ ଘରେ ସବୁବେଳେ ଝଗଡ଼ା ହେଉଥିଲା ଓ ଗୁରୁବାର ଏହା ଚରମସୀମାରେ ପହଞ୍ଚିଥିଲା। ନିକ୍କିଙ୍କୁ ତାଙ୍କ ସ୍ୱାମୀ ବିପିନ ଓ ଶାଶୁ ଘର ଲୋକ ମାଡ଼ ମାରି ପୋଡ଼ି ମାରି ଦେଇଛନ୍ତି।
ଗୋଟିଏ ପାର୍ଲର ଓ ରିଲ୍ସ
ଏକାଧିକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ନିକ୍କି ଓ କାଞ୍ଚନ ଇନଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରୁଥିବା ବେଳେ ଏହାକୁ ପସନ୍ଦ କରୁ ନଥିଲେ ବିପିନ ଭାଟି। ନିକ୍କିଙ୍କ ପରିବାର ଲୋକଙ୍କ କହିବା କଥା ଯେ ଦୁଇ ଭଉଣୀ ସୋଶାଲ ମିଡିଆରେ ସେମାନଙ୍କ ବ୍ୟବସାୟର ପ୍ରଚାର କରୁଥିଲେ। ରିଲ୍ସରେ ସେମାନେ ନିଜର ମେକଅପ ଓ ବଟିକ୍ୟୁ କାମକୁ ପ୍ରଦର୍ଶିତ କରି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ। ଦୁଇ ଭଉଣୀଙ୍କ ବ୍ୟବସାୟ ଆରମ୍ଭ କରିବାକୁ ତାଙ୍କ ବାପା ଟଙ୍କା ଦେଇଥିଲେ।
କୌତୁହଳର ବିଷୟ ହେଉଛି ଯେ ନିକ୍କିଙ୍କ ସୋଶାଲ ମିଡିଆ ପୋଷ୍ଟକୁ ବିରୋଧ କରୁଥିବା ସ୍ୱାମୀ ବିପିନ ବ୍ୟବସାୟରୁ ଆୟ ହେଉଥିବା ଟଙ୍କାକୁ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ। ନିକ୍କିଙ୍କ ସମ୍ପର୍କୀୟ କହିଛନ୍ତି, “ଇନଷ୍ଟାଗ୍ରାମ ଖୋଲିବା ଓ ରିଲ୍ସ ପୋଷ୍ଟ କରିବା ଗୋଟିଏ ସ୍ୱାଭାବିକ ଘଟଣା। ସମସ୍ତେ ଏପରି କରୁଛନ୍ତି। କିନ୍ତୁ ଯେଉଁମାନଙ୍କ ଚିନ୍ତାଧାରା ଖରାପ ସେମାନେ ସବୁ କିଛି ଖରାପ ନଜରରେ ଦେଖନ୍ତି।
ଚୋରମାନେ ସମସ୍ତଙ୍କୁ ଚୋ ଭାବନ୍ତି। ସେ(ବିପିନ) ଜଣେ ଅପରାଧୀ। ଇନଷ୍ଟାଗ୍ରାମ ଓ ବାକି ସବୁ କିଛି କେବଳ ବାହାନା। ମୂଳତଃ ଦୁଇ ଭାଇ ସେମାନଙ୍କ ପତ୍ନୀଙ୍କ ଠାରୁ ଟଙ୍କା ଚାହୁଁଥିଲେ। ସେମାନେ(ନିକ୍କି ଓ କାଞ୍ଚନ) ନିଜ ପିଲାଙ୍କ ଭବିଷ୍ୟତମାନେ ଟଙ୍କା ରଖୁଥିଲେ। ହେଲେ ଏହାକୁ ନେଇ ଘରେ ଝଗଡ଼ା ହେଉଥିଲା।”
୨୦୧୬ର ବିବାହ ଓ କେମିତି ବଦଳିଥିଲା ସ୍ଥିତି?
୨୦୧୬ ଡିସେମ୍ବର ୧୦ରେ ବିପିନ ଓ ରୋହିତ ଗୋଟିଏ ମଣ୍ଡପରେ ନିକ୍କି ଓ କାଞ୍ଚନଙ୍କୁ ବିବାହ କରିଥିଲେ। ଦୁଇ ପରିବାର ବର କନ୍ୟା ଠିକ କରିଥିଲେ। ନିକ୍କିଙ୍କ ମାମୁ କହିଛନ୍ତି, “ଆରମ୍ଭରୁ ସବୁ କିଛି ଠିକ ଥିଲା। ଆମେ ଆମ ସକ୍ଷମ ଅନୁସାରେ କାର, ପୋଷାକ, ଗହଣା ଠାରୁ ଆରମ୍ଭ କରି ସବୁ କିଛି ଦେଇଥିଲୁ। ପିଲାଟିଏ ଜନ୍ମ ହେବା ପରେ ଆମେ ଉପହାରରେ ବାଇକ ଦେଇଥିଲୁ। ସେମାନେ ଯାହା ମାଗୁଥିଲେ ଆମେ ତା’କୁ ପୂରଣ କରିବାକୁ ଚେଷ୍ଟା କରୁଥିଲୁ। ପରବର୍ତ୍ତୀ ଅବସ୍ଥାରେ ବିପିନ ମଦ ପିଇ ଘରକୁ ଆସିବା ସହ ଝଗଡ଼ା କରୁଥିଲା। ତା’ର ଅଲଗା ଝିଅଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିଥିଲା। ସେ ନିକ୍କିକୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲେ। ଖାସ ଏଥିପାଇଁ ସେ ତା’କୁ ମାରିଛି।”
ନିକ୍କିଙ୍କ ଭଉଣୀ କାଞ୍ଚନଙ୍କ କହିବା କଥା ବିପିନ ଓ ରୋହିତ ସବୁଦିନ ବିଳମ୍ବିତ ରାତି ଯାଏ ବାହାରେ ରହୁଥିଲେ। ସେମାନେ ଫୋନ ଉଠାନ୍ତି ନାହିଁ। ଯଦି ପତ୍ନୀମାନେ ସେମାନଙ୍କୁ କିଛି ପଚାରୁଥିଲେ ଦୁଇ ଭାଇ କେବଳ ଝଗଡ଼ା କରୁଥିଲେ। ସେମାନେ ଅଲଗା ଝିଅମାନଙ୍କ ସହ ସମୟ ବିତାଉଥିବା କଥା ଯଦି ପତ୍ନୀମାନେ ପଚାରୁ ଥିଲେ, ତା’ହେଲେ ସେମାନଙ୍କ ରାତି କେବଳ କାନ୍ଦି କାନ୍ଦି କଟୁଥିଲା।
ନିକ୍କି ଓ କାଞ୍ଚନଙ୍କ ବାପା ଭିକାରୀ ସିଂହ ପୟଲାଙ୍କ ପାଖରେ ଗୋଟିଏ ମର୍ସିଡିଜ ରହିଛି। ବିପିନ ଏହାକୁ ଚାହୁଁଥିଲେ। ବର୍ଷେ ହେଲାଣି ସେ କାର ପାଇଁ ନିକ୍କିଙ୍କ ଉପରେ ଚାପ ପକାଉଥିଲେ। ନିକ୍କିଙ୍କ ବାପା କାରଟା ଦିଅନ୍ତୁ ନଚେତ ୬୦ ଲକ୍ଷ ଟଙ୍କା ଦିଅନ୍ତୁ।
ସୁଯୋଗ ହାତ ଛଡ଼ା କରିବା
ଚଳିତ ଜନ୍ମାଷ୍ଟମୀରେ ବିପିନ ପତ୍ନୀ ନିକ୍କିଙ୍କୁ ମାଡ଼ ମାରିଥିଲେ। ଏକଥା ନିକ୍କି ବାପା ଭିକାରୀ ସିଂହ ପୟଲାଙ୍କୁ କହିଥିଲେ। ଏହାପରେ ବାପା ଓ ଅନ୍ୟ ସମ୍ପର୍କୀୟମାନେ ଭାଟିଙ୍କ ଘରେ ପହଞ୍ଚିଥିଲେ। ସେମାନେ ଦୁଇ ଭଉଣୀଙ୍କୁ ଘରକୁ ନେଇ ଆସିଥିଲେ। କିନ୍ତୁ ଭାଟି ପରିବାରର ସଦସ୍ୟମାନେ ଭୁଲ ମାଗି ଦୁଇ ଭଉଣୀଙ୍କୁ ପୁଣି ଶାଶୁ ଘରକୁ ଆଣିଥିଲେ।
ଏହାପୂର୍ବରୁ ଫେବୃଆରୀ ମାସରେ ନିକ୍କି, କାଞ୍ଚନ ଓ ପିଲାମାନେ ଭାଟି ପରିବାର ଛାଡ଼ି ପୟଲା ପରିବାର ପାଖକୁ ଚାଲି ଆସିଥିଲେ। ଏହାପରେ ଦୁଇ ପରିବାର ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ପୟଲା ପରିବାର ଅଗ୍ରାହ୍ୟ କରିଥିଲେ। ବିପିନ କ୍ଷମା ମାଗିଥିଲେ। ହୋଲି ପରେ ଦୁଇ ଭଉଣୀ ନିଜ ନିଜ ସ୍ୱାମୀଙ୍କ ପାଖକୁ ଫେରିଥିଲେ।
ପଛ କଥାକୁ ମନେ ପକାଇ ନିକ୍କିଙ୍କ ଭାଇ କହିଛନ୍ତି, “ଆମେ ସେମାନଙ୍କୁ ଗୋଟିଏ ସୁଯୋଗ ଦେଇଥିଲୁ। କିନ୍ତୁ ସେମାନଙ୍କ ଭିତରେ ଏତେ ନୃଶଂସତା ରହିଥିବା କଥା ଆମେ କେବେ ବି କଳ୍ପନା କରି ନଥିଲୁ। ଦୁଇ ଭାଇ ସମାନ ଢଙ୍ଗରେ ପତ୍ନୀମାନଙ୍କୁ ବ୍ୟବହାର କରୁଥିଲେ। ମା’ଙ୍କ କଥାରେ ଦୁଇ ଭାଇ ପରିଚାଳିତ ହେଉଥିଲେ।” ନିକ୍କିଙ୍କ ହତ୍ୟା ପରେ କାଞ୍ଚନ ପୂରା ସ୍ତବ୍ଧ। ତାଙ୍କ ଆଖି ସାମ୍ନାରେ ସାନ ଭଉଣୀଙ୍କୁ ପୋଡ଼ି ମାରି ଦିଆଯାଇଥିବା କାଞ୍ଚନ ଦେଖି ଏବେ ହସ୍ପିଟାଲରେ ରହିଛନ୍ତି।
କ୍ୟାମେରାରେ କଏଦ ଭୟଙ୍କର ହତ୍ୟା
କାଞ୍ଚନଙ୍କ ଅଭିଯୋଗ ଆଧାରରେ ଦାଖଲ ଏଫଆଇଆରରେ କୁହାଯାଇଛି ଯେ ନିକ୍କିଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଗୁରବାର ସନ୍ଧ୍ୟାରେ ପ୍ରବଳ ମାଡ଼ ମାରିଥିଲେ। କାଞ୍ଚନ ଏଥିରେ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏତିକି ବେଳେ ବିପିନ କିଛି ଦହନ ଯୁକ୍ତ ତୈଳ ନିକ୍କିଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ।
କାଞ୍ଚନ ମୋବାଇଲରେ ରେକର୍ଡ କରିଥିବା ଭିଡିଓରେ ଦେଖାଯାଉଛି ଯେ ବିପିନ ଭୟଙ୍କର ଢଙ୍ଗରେ ନିକ୍କିଙ୍କୁ ମାଡ଼ ମାରୁଛନ୍ତି। ଆଉ ଏକ ଭିଡିଓରେ ଜଳି ସାରିଥିବା ନିକ୍କି ପାହାଚରେ ଜୀବନ ବଞ୍ଚାଇବାକୁ ଛଟପଟ ହେଉଛନ୍ତି। ଘଟଣା ପରେ ନିକ୍କିଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କାଞ୍ଚନ କହିଛନ୍ତି, ମାରି ଦିଅ, କାମ ଶେଷ କର ବୋଲି ଅଭିଯୁକ୍ତ କହୁଥିବା ସେ ଶୁଣିଛନ୍ତି।
ନିକ୍କି ଓ ବିପିନଙ୍କ ଜଣେ ୬ ବର୍ଷର ପୁଅ ରହିଛନ୍ତି। ସେ ମଧ୍ୟ ମା’ଙ୍କ ଭୟଙ୍କର ହତ୍ୟାର ସାକ୍ଷୀ ବନିଛନ୍ତି। ସେ କହିଛନ୍ତି, “ସେମାନେ ପ୍ରଥମେ କିଛି ତେଲ ମୁମ୍ମା(ମା’) ଉପରେ ଢାଳିଥିଲେ। ସେମାନେ ତା’ପରେ ତାକୁ ଚାପୁଡ଼ା ମାରିଥିଲେ। ଶେଷରେ ଲାଇଟର ଦ୍ୱାରା ନିଆଁ ଲଗାଇ ଦେଇଥିଲେ।”
ଗ୍ରେଟର ନୋଏଡାରେ ଘଟିଥିବା ଏହି ଘଟଣା ପୂରେ ଦେଶକୁ ସ୍ତବ୍ଧ କରିଛି। ପୁଲିସ୍ ଏହି ଘଟଣାରେ ବିପିନ, ରୋହିତ, ମା’ ଦୟା ଓ ବାପା ସତ୍ୟବୀରଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
