Advertisment

ଜଙ୍ଗଲରୁ ୨ ନିଖୋଜ ନାବାଳକ ଭାଇଙ୍କ ତଣ୍ଟି କଟା ମୃତଦେହ ମିଳିବା ପରେ ହଇଚଇ

ଦୁଇ ଭାଇଙ୍କ ଗଳାକୁ ସମାନ ଶୈଳୀରେ କଟା ଯାଇଥିବା ବେଳେ ସେମାନଙ୍କ ମୃତଦେହ ଘର ଠାରୁ ୧୩ କିମି ଦୂର ଜଙ୍ଗଲରୁ ବୁଧବାର ଦିନ ମିଳିଥିଲା।

author-image
Hemant Lenka
Murder

Murder

ଅପହରଣ ପରେ ଦୁଇ ନାବାଳକ ଭାଇଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଦୁଇ ଭାଙ୍କ ମଧ୍ୟରୁ ଜଣଙ୍କ ବୟସ ୯ ଓ ଆଉ ଜଣଙ୍କ ବୟସ ୬। ଜଙ୍ଗଲ ଭିତରୁ ଦୁଇ ଭାଇଙ୍କ ଗଳା କଟା ମୃତଦେହ ମିଳିବା ପରେ ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଦୁଇ ଭାଇଙ୍କ ଗଳାକୁ ସମାନ ଶୈଳୀରେ କଟା ଯାଇଥିବା ବେଳେ ସେମାନଙ୍କ ମୃତଦେହ ଘର ଠାରୁ ୧୩ କିମି ଦୂର ଜଙ୍ଗଲରୁ ବୁଧବାର ଦିନ ମିଳିଥିଲା।

Advertisment

ପୁଲିସ୍‌ ମୃତଦେହକୁ ଅମ୍ବା ମାଇ ଜଙ୍ଗଲରୁ ଜବତ କରିଥିବା ବେଳେ ଏହାକୁ ପଥର ଦ୍ୱାରା ଘୋଡ଼ାଇ ରଖାଯାଇଥିଲା। ସମ୍ଭବତଃ ଅପରାଧକୁ ଲୁଚାଇବା ପାଇଁ ପ୍ରୟାସ କରାଯାଇଥିବା ଏଥିରୁ ଅନୁମାନ କରାଯାଉଛି।

କୋଟୱାଲି ପୁଲିସ୍‌ର କହିବା କଥା ସୁଭାଷ ୱାର୍ଡରେ ରହୁଥିବା ୩୦ ବର୍ଷୀୟ ପୂଜା ଧାକରିୟା ଅଭିଯୋଗ କରିଥିଲେ ଯେ ତାଙ୍କର ଦୁଇ ପୁଅ ମୟଙ୍କ(୯) ଓ ଦିବ୍ୟାଂଶ(୬) ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଛନ୍ତି। ପୂଜା ସନ୍ଧ୍ୟା ୫ଟାରେ ଦୁଇ ପିଲାଙ୍କୁ ଘରେ ଛାଡ଼ି କାମକୁ ଯାଇଥିଲେ। ସନ୍ଧ୍ୟା ୮ଟା ବେଳେ ସେ ଘରକୁ ଫେରିଲା ବେଳକୁ ଦୁଇ ପୁଅଙ୍କୁ ପାଇ ନଥିଲେ। ଦୁଇ ପୁଅଙ୍କୁ ସେ ବିଭିନ୍ନ ସ୍ଥାନରେ ରାତି ୧୧ଟା ଯାଏ ଖୋଜି ଥିଲେ। କିନ୍ତୁ କୌଣସି ସୁରକା ନ ମିଳିବାରୁ ସେ ବାଧ୍ୟ ହୋଇ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

ଖବର ପାଇବା ମାତ୍ରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ବୁଧବାର ଦିନ ପ୍ରାୟ ୨ଟା ବେଳକୁ ଦୁଇ ପିଲାଙ୍କ ମୃତଦେହ ଜଙ୍ଗଲରୁ ମିଳିଥିଲା। ପୁଲିସ୍‌ ଆଶଙ୍କା କରିଛି ଯେ ପରିବାରକୁ ଭଲ ଭାବେ ଜାଣିଥିବା କୌଣସି ଲୋକ ଏପରି ହତ୍ୟାକାଣ୍ଡ ଘଟାଇଛି। ଦୁଇ ପିଲାଙ୍କ ମା’ ଅର୍ଥାତ ପୂଜାଙ୍କ ଘନିଷ୍ଠ ଭାବେ ଜଣାଶୁଣା ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଅଟକ ରଖି ଜେରା କରୁଛି। ସନ୍ଧାନୀ କୁକୁର ଓ ଫରେନ୍ସିକ ଟିମ ଘଟଣା ସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

Murder Madhya Pradesh