2 Sisters
ମା’ ପଣତ କାନି ତଳେ ପିଲା ନିଜକୁ ସବୁଠୁ ସୁରକ୍ଷିତ ଅନୁଭବ କରିଥାନ୍ତି। ମାତ୍ର ରେଳ ଷ୍ଟେଶନରେ ମା’ କବଳରୁ ମୁକ୍ତି ପାଇବା ପାଇଁ ଇସାରା ଇସାରାରେ ୨ ନାବାଳିକା ଝିଅଙ୍କ ଆକୁଳ ନିବେଦନକୁ ବୁଝି ପାରିଥିଲେ ଅଜଣା ଲୋକ । ଆଉ ଖବର ପାଇ ପୁଲିସ୍ ପହଞ୍ଚି ୨ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରିବା ସହ ତାଙ୍କ ମା’ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି। ଏପରି ଏକ ଘଟଣା ସମ୍ବଲପୁର ରେଳଷ୍ଟେସନରେ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନାରେ ଏନେଇ ମାମଲା ରୁଜୁ ହୋଇଛି।
ଯେଉଁ ମା’ ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଏବେ ୨ ନାବାଳିକା ଭଉଣୀଙ୍କ ପାଇଁ ପାଲଟି ଯାଇଛି ବଇରୀ। ଯାହା ହାତ ଧରି ଚାଲି ଶିଖିଥିଲେ, ଏବେ ତାହା ଉପରେ ଆଉ ସେମାନଙ୍କ ଭରସା ନାହିଁ। କାରଣ ନିଜ ଛୁଆଙ୍କୁ ସବୁ ବିପଦରୁ ରକ୍ଷା କରିବା ପାଇଁ ନିଜକୁ ବିପଦକୁ ଠେଲି ଦେଉଥିବା ମା’ ଏଠାରେ ପାଲଟିଛି ସ୍ୱାର୍ଥପର। ନିଜ ପ୍ରେମିକ ସହ ମିଶି ୨ ଛୁଆଙ୍କୁ ବିକି ଦେବାକୁ ଟ୍ରେନ୍ରେ ଚେନ୍ନାଇ ନେଇ ଯାଉଥିବା ୨ ଭଉଣୀ ଅଭିଯୋଗ କରିଛନ୍ତି। ଏପରିକି ମା’ଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ୨ ଭଉଣୀ।
ଗତକାଲି ରାତିରେ ୨ ନାବାଳିକା ଝିଅଙ୍କୁ ତାଙ୍କ ମା’ ଏବଂ ମା’ଙ୍କ ପୁରୁଷ ବନ୍ଧୁ ଚେନ୍ନାଇ ନେଇ ଯାଉଥିଲେ । ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜଣେ ନାବାଳିକା ସାହାଯ୍ୟ କରିବାକୁ ଜଣେ ବ୍ୟକ୍ତିଙ୍କୁ ଇସାରାରେ କହିଥିଲେ l ଉକ୍ତ ବ୍ୟକ୍ତିଙ୍କଠାରୁ ସୂଚନା ପାଇବା ପରେ ଆରପିଏଫ ଦୁଇ ଭଉଣୀ, ସେମାନଙ୍କ ମା’ ଓ ମା’ଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା l
ନାବାଳିକାଦ୍ୱୟଙ୍କୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିବା ପରେ ଉଭୟଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା l ପଚରାଉଚରା ବେଳେ ନାବାଳିକାଙ୍କୁ ସେମାନନଙ୍କ ମା'ଙ୍କ ପୁରୁଷ ବନ୍ଧୁ ଯୌନ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ଘଟଣା ପରେ ଆର୍ପିଏଫ୍ ଉକ୍ତ ନାବାଳିକାଙ୍କ ମା’, ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ବେଲପାହାଡ ପୁଲିସକୁ ହସ୍ତାନ୍ତର କରିଛି l
ଏନେଇ ବ୍ରଜରାଜନଗର SDPO ଚିନ୍ତାମଣି ପ୍ରଧାନ କହିଛନ୍ତି, ଜଣେ ଲେଡି ଅଫିସରଙ୍କ ସାମନାରେ ଦୁଇ ଭଉଣୀଙ୍କ ବୟାନ ରେକର୍ଡ କରାଯିବ । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବି ବୟାନ ରେକର୍ଡ କରାଯିବ । ତଦନ୍ତରୁ ମା’ଙ୍କ ଭୁଲ ଜଣାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
