Advertisment

ହଷ୍ଟେଲରେ ଅସହ୍ୟ ହେଲା ନିର୍ଯାତନା, କୁନି କୁନି ପାଦରେ ୬ କିମି ଚାଲିଲେ ୨ ଛାତ୍ରଛାତ୍ରୀ

ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ ।

author-image
Niharika Rout
ଅଦ୍ୟତନ ହୋଇଛି
Police

Police

ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ। ପିଲା ଦୁଇଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର।

Advertisment

ଏହି ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଛନ୍ତି। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନହାନ୍ତି ବୋଲି ଅଭିଯୋଗ ହୋଇଛି। 

କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ସେମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ନାବାଳିକା ଓ ଜଣେ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକା ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକ ଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି।

Advertisment

ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌ ଓ ବସ୍‌ ଆଦି ଯାଉଥିବା ବେଳେ ଭୋରରୁ ଏହି ଛାତ୍ରଛାତ୍ରୀ ଦ୍ୱୟ କିପରି ୬ କିଲୋମିଟର ବାଟ ଅତିକ୍ରମ କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ ଭୋର ୪ଟାରୁ ସ୍କୁଲରୁ ପଳାଇ ଆସିଥିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀମାନେ କିପରି ଟେର ପାଇଲେନି। 

ଚରମ୍ପା ନିକଟରେ ଜଣେ ଦୋକାନୀ ଏହି ଦୁଇ ଛାତ୍ରଛାତ୍ରୀଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀ ଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ଉକ୍ତ ସ୍କୁଲକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

ଏହି ଛାତ୍ରଛାତ୍ରୀ ଦ୍ୱୟ କହିଥିଲେ ଯେ ସେମାନେ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳିରେ ଅତିଷ୍ଠ ହୋଇ ପଡ଼ିଥିଲେ। ଠିକ୍‌ରେ ଖାଇବାକୁ ଦିଆଯାଉ ନଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।  

ଅନ୍ୟପକ୍ଷରେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

Police Minor Attacked Students