/odisha-reporter/media/post_attachments/uploadimage/library/16_9/16_9_0/Amazon_1692696195.jpg)
Amazon
ଅନଲାଇନରୁ ଦାମୀ ପ୍ରଡକ୍ଟ ଅର୍ଡର୍ କରି ଲୋକେ ଠକାମିର ଶିକାର ହେଉଥିବା ଖବର ଶୁଣିଥିବେ। ହେଲେ ଏହି ସଂସ୍ଥା କେବେ ଠକାମିର ଶିକାର ହେବା ଖବର ଶୁଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲକ୍ଷ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛି ଆମାଜନ୍। ଆଜ୍ଞା ହଁ, ନିକଟରେ ଲୋକପ୍ରିୟ ଅନଲାଇନ୍ ସପିଂ ଆପ୍ ଆମାଜନ୍ ଏକ ବିରାଟ ଘୋଟାଲାର ଶିକାର ହୋଇଛି। ଜଣେ ୨୨ ବର୍ଷର ଯୁବକ ଏତେ ବଡ ସଂସ୍ଥାଠୁ ୨୦ ଲକ୍ଷ ଟଙ୍କା ଠକିବାରେ ସଫଳ ହୋଇଛନ୍ତି। ପୂରା ଘଟଣାକ୍ରମ କ'ଣ ଥିଲା ଜାଣନ୍ତୁ...
ପୁଲିସର କହିବା ଅନୁସାରେ, ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର ଛାତ୍ର ଚିରାଗ ଗୁପ୍ତା ମେ' ୧୫ ତାରିଖରୁ ୧୭ ତାରିଖ ମଧ୍ୟରେ ୪ଟି ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଏବଂ ମ୍ୟାକବୁକ୍ ଭଳି ମହଙ୍ଗା ଆପଲ୍ ଡିଭାଇସ୍ ଅର୍ଡର କରିଥିଲେ। କିନ୍ତୁ ଅତି ଚତୁରତାର ସହ ଫୋନ୍ ଫେରସ୍ତ ନ କରି ରିଫଣ୍ଡ୍ ପାଇ ଯାଉଥିଲେ। ସିଷ୍ଟମରେ ଜାଲିଆତି କରି ଏପରି କରିବାରେ ସଫଳ ହେଉଥିଲେ ଚିରାଗ। ସବୁଠୁ ବଡ କଥା ହେଉଛି କି, ଏହି ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ଚିରାଗଙ୍କର ଜଣେ ୨୨ ବର୍ଷ ବୟସ୍କ ସାଙ୍ଗ, ଯିଏକି ଆମାଜନର ପୂର୍ବତନ କର୍ମଚାରୀ ଥିଲେ।
ସେ ହିଁ ଏ ବାବଦରେ ଟେଲିଗ୍ରାମ ଜରିଆରେ ଚିରାଗଙ୍କୁ ବୁଦ୍ଧି ଦେଉଥିଲେ। କିପରି ଆଇଫୋନ୍ ଅର୍ଡର୍ କରିବା ପରେ ବିନା ଫେରସ୍ତରେ ରିଫଣ୍ଡ୍ କରିହେବ ତାର କଳା ଶିଖାଇଥିଲେ ଚିରାଗଙ୍କୁ। କ୍ରିପ୍ଟୋକରେନ୍ସି ମାଧ୍ୟମରେ ସେ ଏହି ଟଙ୍କା ଫେରି ପାଉଥିଲେ। ଆଉ ଏହାର କିଛି କମିଶନ୍ ଚିରାଗଙ୍କୁ ଦେଉଥିଲେ। ଆମାଜନ ଜୋନାଲ ମ୍ୟାନେଜର ଏଚଡି ପରମେଶ ଯେତେବେଳେ ଦାମୀ ଉପକରଣ ପାଇଁ କମ୍ପାନିକୁ କ୍ଷତି ସହିବାକୁ ପଡୁଥିବା ସନ୍ଦେହ କଲେ, ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା।
ଗୋଟିଏ ଠିକଣାରେ ଏତେ ଦାମୀ ଉପକରଣ ଅର୍ଡରକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହା ପରେ ସେ ଏନେଇ ବେଙ୍ଗାଲୁରୁ ପୁଲିସରେ ଖବର ଦେଇଥିଲେ। ପୁଲିସ ସ୍ଥାନୀୟ ଆମାଜନ ବିତରଣକାରୀଙ୍କ ସହାୟତାରେ ଏହି ତଦନ୍ତ କରିଥିଲେ। ବାରମ୍ୱାର ଅର୍ଡର୍ ହେଉଥିବା ଠିକଣାରେ ପୁଲିସ ଏବଂ ଆମାଜନ ଟିମ୍ ପହଞ୍ଚି ଥିଲେ। ପରେ ସେଠାରୁ ୨୦.୩୪ ଲକ୍ଷ ଟଙ୍କା ମୂଲ୍ୟର ଉପକରଣ ଜବତ କରାଯିବା ସହ ଅଢ଼େଇ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏଥିସହ ୩୦ ଲକ୍ଷ ଟଙ୍କା ଥିବା ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଜବତ କରିଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
