ରାତି ପାହିଲେ ନିର୍ବାଚନ। ତା’ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ବିଜେଡ଼ି କର୍ମୀମାନେ ଖଣ୍ଡା,ଭୁଜାଲି ଓ ବନ୍ଧୁକ ଦେଖାଇ ଖେଳାଇଛନ୍ତି ଆତଙ୍କରାଜ।
ଟଙ୍କା ନିଅ, ବିଜେଡିକୁ ଭୋଟ ଦିଅ। ବିଜେଡ଼ିକୁ ଭୋଟ ନ ଦେଲେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ରକ୍ତମୁଖା ବିଜେଡ଼ି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ୨ ଜଣଙ୍କୁ ଆଣି ଅଟକ ରଖିଥିବା ଜଣାଯାଇଛି।
ରାଣୀପଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ପୁଅ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି। ଏନେଇ ସ୍ଥାନୀୟ ବିଜେଡି ନେତା କି ପୁଲିସର ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ ବିଜେଡି କର୍ମୀମାନେ ଗାଁ ଦାଣ୍ଡରେ ଖଣ୍ଡା ଭୁଜାଲି ଧରି ଆତଙ୍କ ଖେଳାଉଥିବାର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ଆହତ ଆନନ୍ଦ ପଣ୍ଡା କହିଛନ୍ତି, ସଂଘବଦ୍ଧ ହୋଇ ଆସିଲେ। କାହିଁକି ବିଜେଡିକୁ ଭୋଟ ଦେବନି ବୋଲି କହି ଘରେ ପଶି ମୋତେ ଖଣ୍ଡାରେ ଆକ୍ରମଣ କଲେ।
ଆହତ ସବିତା ସାହୁ କହିଛନ୍ତି,ବିଜେଡି ବିଧାନସଭା ପ୍ରାର୍ଥୀ ବେଣୁଧର ପ୍ରଧାନଙ୍କ ସମର୍ଥକମାନେ ଆମକୁ ଭୋଟ ଦେବାକୁ ଟଙ୍କା ଦେଉଥିଲେ। ହେଲେ ଆମେ ମନା କରିବାକୁ ଖଣ୍ଡା ଭୁଜାଲି ଦେଖାଇ ଧମକ ଦେଇଥିଲେ। ମୋ ପୁଅକୁ ଜୀବନରୁ ମାରିଦେବେ ବୋଲି କହିଥିଲେ।
ଖଣ୍ଡପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ କହିଛନ୍ତି, ବିଜେଡିର କର୍ମୀମାନେ ଆମ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଶାନ୍ତିଶୃଙ୍ଖଳା ସହ ମତଦାନ ହେବାକୁ ଆମେ ଚାହୁଁଛି। ଯଦି ପୁଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳ ସ୍ଥିତି ପାଇଁ ପ୍ରଶାସନ ହିଁ ଦାୟୀ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।