Advertisment

ବିଷାକ୍ତ ମଦ ନେଲାଣି ୩୭ ଜୀବନ, ମୁଖ୍ୟମନ୍ତ୍ରୀ ଦେଲେ ଏମିତି ନିର୍ଦ୍ଦେଶ

ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ସନ୍ଦିଗ୍ଧ ବ୍ୟବସାୟୀ ଓ ଆଉ ଦୁଇ ଜଣଙ୍କୁ ଗରଫ କରିଛି।

Toxic

Toxic

Advertisment

ତାମିଲନାଡୁର କାଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ଜୀବନ ନେବାରେ ଲାଗିଛି। ଇତି ମଧ୍ୟରେ ବିଷାକ୍ତ ମଦ ପିଇ ୩୭ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୫୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପୁଡୁଚେରୀର ଜେଆଇପିଏମଇଆର ଓ ୬ ଜଣଙ୍କୁ ସାଲେମରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅଧିକାଂଶ ପୀଡ଼ିତ କରୁନାପୁରମ ଅଞ୍ଚଳର। ନିଜ ପୁଅକୁ ହରାଇଥିବା ଜଣେ ମହିଳା କହିଛନ୍ତି, “ସେ ପେଟରେ ଖୁବ ଯନ୍ତ୍ରଣା ଅନୁଭବ କରିଥିଲା ଓ ଆଖି ଖୋଲିବାକୁ ସକ୍ଷମ ହୋଇ ନଥିଲା। ସେ ପଲିଥିନ ମଦ ପିଇଥିଲା। ପ୍ରାଥମିକ ଅବସ୍ଥାରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଅ ମଦ ପିଇଥିବାରୁ ଆଡମିସନ ପାଇଁ ମନା କରି ଦେଇଥିଲେ। ରାଜ୍ୟ ସରକାର ସମସ୍ତ ମଦ ଦୋକାନକୁ ବନ୍ଦ କରନ୍ତୁ।”

ଆଉ ଜଣେ ମା’ କହିଛନ୍ତି, “ମୋ ପୁଅ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଦେଖିବାକୁ ଓ ଶୁଣିବାକୁ ସକ୍ଷମ ହୋଇ ନଥିଲା। ଏମିତି କାହା ସହ ନ ହେଉ। ମଦ ବିକ୍ରୀ ବନ୍ଦ ହେଉ।”

Advertisment

ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ସନ୍ଦିଗ୍ଧ ବ୍ୟବସାୟୀ ଓ ଆଉ ଦୁଇ ଜଣଙ୍କୁ ଗରଫ କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପ୍ରକୃତରେ ମୃତକମାନେ କ’ଣ ପିଇଥିଲେ, ତା’ର ତଦନ୍ତ କରାଯାଉଛି। ଆମେ ୩ ଜଣଙ୍କୁ ଗିରଫ କରିଛୁ। କୌଣସି ସରକାରୀ ଦୋକାନ ନୁହେଁ, ବରଂ ବ୍ୟକ୍ତିଗତ ସ୍ତରରେ ଯୋଗାଣ ହେଉଥିବା ମଦ ପିଇ ଏସବୁ ଘଟଣା ଘଟିଛି।”

ରାଜ୍ୟ ସରକାର ଗୋଟିଏ ବିବୃତିରେ କହିଛନ୍ତି, ପଲିଥିନରେ ଥିବା ମଦ ପିଇ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଫରେନ୍ସିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଉକ୍ତ ମଦରେ ବିଷାକ୍ତ ମିଥାନଲ ଥିଲା। ଘଟଣା ପରେ ରାଜ୍ୟ ସରକାର ଜିଲ୍ଲା ପୁଲିସ୍‌ ମୁଖ୍ୟ ସମୟ ସିଂହ ମୀନାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ରଜତ ଚର୍ତୁବେଦୀଙ୍କୁ ନିଯୁକ୍ତି କରିଛନ୍ତି। ଜିଲ୍ଲାପାଳ ଶ୍ରବଣ କୁମାରଙ୍କ ସ୍ଥାନରେ ଏମଏସ୍‌ ପ୍ରଶାନ୍ତଙ୍କୁ ନିଯୁକ୍ତି ମିଳିଛି।

ଏହାବାଦ ଜଣେ ଡେପୁଟି ପୁଲିସ୍‌ ପାହ୍ୟା ଅଧିକାରୀ, ୩ ଜଣ ଇନସପେକ୍ଟର ଓ ୩ ଜଣ ସବ ଇନସପେକ୍ଟରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ସିବି-ସିଆଇଡିକୁ ହସ୍ତାନ୍ତର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ତବ୍ଧ ଓ ମର୍ମାହତ ବୋଲି କହିଛନ୍ତି। ସେ କହିଛନ୍ତି, “ଘଟଣାର ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାକୁ ରୋକିବାରେ ବିଫଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଶକ୍ତ ହାତରେ ଆମେ ଏହାର ଦମନ କରିବୁ। ଯଦି ଲୋକମାନେ ଏଭଳି ଅପରାଧୀଙ୍କ ବିରୋଧରେ ଅଭିଯୋଗ କରିବେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ଜଣେ ମନ୍ତ୍ରୀଙ୍କୁ କାଲ୍ଲାକୁରିଚିକୁ ପଠାଇଛନ୍ତି। ଘଣାର ତଦନ୍ତ ଦାୟିତ୍ୱ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି ଗୋକୁଳଦାସଙ୍କ ଅଧ୍ୟକ୍ଷାରେ ହେବ ବୋଲି ସେ କହିଛନ୍ତି। ଏଥିସହ ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ ସେ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି।

Tamilnadu Toxic Liquor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe