Advertisment

ଭୁବନେଶ୍ୱରରେ ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ ଗିରଫ

ଘଟଣାଟି ଗତ ୮ ତାରିଖର। ସେହି ଦିନ ରାତିରେ ଇରାନୀ ପାତ୍ର ଫୋନ୍ କରି ଉକ୍ତ ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍‌ସ ଅଞ୍ଚଳ ସ୍ଥିତ ତାଙ୍କ ଭଡ଼ା ଘରକୁ ଡାକିଥିଲେ।

Accused

Accused

Advertisment

ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)।

ଏହି ଅଭିଯୁକ୍ତମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଲୁହା ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ୯ ଲକ୍ଷ ଟଙ୍କାର ଏକ ଚେକ୍‌ (ଇରାନୀ ପାତ୍ରଙ୍କ ନାଁରେ ଥିଲା) ଜବତ କରାଯାଇଛି।

Advertisment

ଘଟଣାଟି ଗତ ୮ ତାରିଖର। ସେହି ଦିନ ରାତିରେ ଇରାନୀ ପାତ୍ର ଫୋନ୍ କରି ଉକ୍ତ ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍‌ସ ଅଞ୍ଚଳ ସ୍ଥିତ ତାଙ୍କ ଭଡ଼ା ଘରକୁ ଡାକିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି କହି ସେ ଡାକ୍ତରଙ୍କୁ ସେଠାକୁ ଡାକି ଥିଲେ। ଡାକ୍ତର ଓ ଇରାନୀ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଏକ ହସ୍‌ପିଟାଲରେ ଇରାନୀ ଚିକିତ୍ସିତ ହେଉଥିବା ବେଳେ ସେଠାରେ ନିଯୁକ୍ତ ହୋଇଥିଲେ ଏହି ଡାକ୍ତର।

ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ଇରାନୀଙ୍କ ଘରେ ପହଞ୍ଚିଥିଲେ। ସେ ଇରାନୀଙ୍କ ଘରେ ପ୍ରବେଶ କରିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ନେଇ ଗୋଟିଏ ରୁମ୍‌ରେ ବନ୍ଦୀ କରି ଦେଇଥିଲେ। ସେମାନେ ଛୁରୀ ଦେଖାଇ ଡାକ୍ତରଙ୍କୁ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ପିଟାମରା କରିଥିଲେ। ସେମାନେ ଡାକ୍ତରଙ୍କ ଠାରୁ ତାଙ୍କ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।

ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ କେସ୍ ଦେବେ। ଏହାପରେ ଡାକ୍ତର ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଓ ତାଙ୍କ ଫୋନ୍ ପେ’ର ପାସ୍‌ ୱାର୍ଡ କହି ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କାରଣ ତା’ଠୁ ଅଧିକ ଟ୍ରାନ୍ସଫର ହୋଇପାରି ନଥା’ନ୍ତା।

ଏହା ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କୁ ଧରି ଇନଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍‌ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସଂପର୍କରେ ପୁଲିସ୍ କିମ୍ବା ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ।

ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଲା ଯେ ଏହି ଅଭିଯୁକ୍ତମାନେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ସହିତ ମଧ୍ୟ ଏମିତି କାଣ୍ଡ କରିଥିଲେ। ତେବେ ଉକ୍ତ ଦୁଇ ବ୍ୟକ୍ତି ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରି ନଥିଲେ।

Kidnap Kidnapping Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe