Advertisment

ଗାଡ଼ି ଚୋରିରେ ମାହିର ପତିପତ୍ନୀ; ବାନ୍ଧିଲା ପୁଲିସ୍‌, ଜବତ ହେଲା ୩୦ ବାଇକ୍‌

ପ୍ରଥମେ ପତ୍ନୀ ନିଜ ପାଖରେ ଥିବା ମାଷ୍ଟର ଚାବିରେ ଗାଡ଼ିଗୁଡ଼ିକୁ ଖୋଲି ଦେଉଥିଲେ। କିଛି ସମୟ ପରେ ଖୋଦ ମହିଳାଜଣକ ନିଜେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଚଳାଇ ଫେରାର ହୋଇ ଯାଉଥିଲେ।

Couple Arrested & Bike Seized

Couple Arrested & Bike Seized

Advertisment

ପତିପତ୍ନୀ ମିଶି ଚୋରି କରୁଥିଲେ ଗୋଟିଏ ପରେ ଗୋଟିଏ  ବାଇକ୍‌ । ଏଥିପାଇଁ ସେମାନେ ରାସ୍ତା ପାର୍ଶ୍ୱ, ବ୍ୟାଙ୍କ ତଥା ଦୋକାନ ସମ୍ମୁଖରେ ଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରୁଥିଲେ। ପ୍ରଥମେ ପତ୍ନୀ ନିଜ ପାଖରେ ଥିବା ମାଷ୍ଟର ଚାବିରେ ଗାଡ଼ିଗୁଡ଼ିକୁ ଖୋଲି ଦେଉଥିଲେ। କିଛି ସମୟ ପରେ ଖୋଦ ମହିଳାଜଣକ ନିଜେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଚଳାଇ ଫେରାର ହୋଇ ଯାଉଥିଲେ। ଏହାପରେ ତାହାକୁ ନିକଟବର୍ତ୍ତୀ କନ୍ଧମାଳ ଜିଲ୍ଲାରେ ଶସ୍ତାରେ ବିକ୍ରି କରି ଦେଉଥିଲେ। 

Advertisment

ଗାଡ଼ି ଚୋରି ଗ୍ୟାଙ୍ଗର ଖୋଳତାଡ଼ କରି ନୟାଗଡ଼ ଜିଲ୍ଲା ପୁଲିସ୍‌ ୪ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ଏହି ପତିପତ୍ନୀ ଥିବା ଜଣାଯାଇଛି। ଗିରଫ ୪ ଜଣ ହେଲେ ତପନ ଖମାରି, ଦିଲୀପ ପ୍ରଧାନ, ଅଜୟ ନାୟକ ଓ ତା ସ୍ତ୍ରୀ ପ୍ରିୟଙ୍କା ନାୟକ ।

ନୟାଗଡ଼ ଏସ୍‌ପି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ଅଞ୍ଚଳରେ ଗତ କିଛି ହେଲା ଗାଡ଼ି ଚୋରି ସଂଖ୍ୟା ବଢ଼ି ଯାଇଥିଲା। ଏହା ପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ୨ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଏହାପରେ ଦଶପଲ୍ଲା କୁଆଁରିଆ ଛକ ଠାରେ ଥିବା ଏକ ବାଇକ୍ ଗ୍ୟାରେଜରେ ଚୋରା ଗାଡ଼ି ବିକ୍ରି ହେଉଥିବା ନେଇ ପୁଲିସ ଖବର ପାଇଥିଲା । ଦଶପଲ୍ଲା ପୁଲିସ ଗ୍ୟାରେଜ ଉପରେ ଚଢ଼ାଉ କରି ଗ୍ୟାରେଜ ମାଲିକ ତପନ ଖମାରୀ ଏବଂ ତାଙ୍କ ସହଯୋଗୀ ଦିଲୀପ ପ୍ରଧାନଙ୍କ ନିକଟରୁ ୩ଟି ଚୋରା ବାଇକ୍ ଜବତ କରିଥିଲା । ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲ।

Advertisment

ଏହାପରେ ଘଟଣାର ଅଧିକ ଖୋଳତାଡ଼ କରି ହରିଡ଼ାବାଡ଼ି ଗାଁର ଅଜୟ ନାୟକ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ ଏଥିରେ ସମ୍ପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ତୁରନ୍ତ ପୁଲିସ୍‌ ସେମାନଙ୍କ ଘର ଉପରେ ଚଢ଼ାଉ କରି ୨୨ଟି ବାଇକ୍‌ ଜବତ କରି ସେମାନଙ୍କୁ ଗିରଫ କରିଥିଲା।

ଅଜୟ ଓ ପ୍ରିୟଙ୍କା ବାଇକ୍‌ ଚୋରି ନିମନ୍ତେ ଅଭିନବ ଉପାୟ ଆପଣାଉଥିବା ପୁଲିସ୍‌ ସିସିଟିଭିରୁ ଦେଖିବାକୁ ପାଇଥିଲା। ପ୍ରଥମେ ପ୍ରିୟଙ୍କା ନିଜ ପାଖରେ ଥିବା ମାଷ୍ଟର କିରେ ଗାଡ଼ି ଖୋଲୁଥିଲେ। ଏହାପରେ ସେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଧରି ଘଟଣା ସ୍ଥଳରୁ ପଳାଉଥିଲେ।

ପ୍ରିୟଙ୍କାଙ୍କ ବାପଘର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ହୋଇଥିବାରୁ ସେମାନେ ସେଠାରେ ଗାଡ଼ିଗୁଡ଼ିକୁ ଖୁବ୍‌ କମ୍‌ ଟଙ୍କାରେ ବିକ୍ରି କରି ଦେଉଥିଲେ। ଉକ୍ତ ଗାଡ଼ିଗୁଡ଼ିକ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି ନୟାଗଡ଼ ଏସ୍‌ପି ।

ଗତ ମାସେ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ସମୁଦାୟ ୫୦ଟି ଚୋରା ବାଇକ୍‌ ଜବତ ହୋଇଥିବା ବେଳେ କେବଳ ଦଶପଲ୍ଲାରୁ ୩୦ରୁ ଅଧିକ ବାଇକ୍‌ ଜବତ ହୋଇଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ଏ ପର୍ଯ୍ୟନ୍ତ ବାହାରେ ବୁଲୁଥିବାରୁ ତୁରନ୍ତ ସେମାନଙ୍କୁ ବି ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜୀବ ସାହୁ

Nayagarh Bike Thief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe