Advertisment

ଚିତ୍ତୋରରୁ ଫେରିଲା ୪ ମୃତଦେହ, କାନ୍ଦ ବୋବାଳିରେ ଫାଟିଲା ଗାଁ

ଆନ୍ଧ୍ର ପ୍ରଦେଶର ଚିତ୍ତୋର ରାଜପଥରେ ଗତ ଶୁକ୍ରବାର ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଗୋଟିଏ ଗାଁରେ ଜଳୁଛି ସ୍ୱାମୀ ,ସ୍ତ୍ରୀଙ୍କ ଜୁଇ । ଅନ୍ୟ ଏକ ଗାଁରେ ଦୁଇ ସମ୍ପର୍କୀୟ ଦାଦାଙ୍କ ଜୁଇରେ ଲାଗିଲା ନିଆଁ। ଏପରି ସ୍ଥିତିରେ କାନ୍ଦବୋବାଳିରେ ଫାଟିଫଡୁଥିଲା ଦୁଇ ଗାଁ ଦାଣ୍ଡ। ବାପାମା’ଙ୍କୁ ହରାଇ ଦୁଇ ଛୁଆ ବୁକୁଫଟା କ୍ରନ୍ଦନ କରୁଥିବା ବେଳେ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇ ପରିବାର ଲୋକେ ଅଚେତ ହୋଇପଡୁଥିଲେ। ଏପରି ଛାତିଥର ଦୃଶ୍ୟ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଆଳି ଅଙ୍ଗାରଖ ଗାଁ ଓ ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି।

Advertisment

ଆନ୍ଧ୍ର ପ୍ରଦେଶର ଚିତ୍ତୋର ରାଜପଥରେ ଗତ ଶୁକ୍ରବାର ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଆଳି ଅଙ୍ଗାରଖ ଗାଁର ଉମେଶ ସାହୁ(୪୫) ତଙ୍କ ପତ୍ନୀ ସସ୍ମିତା(୩୭)ଙ୍କ ସମେତ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଗ୍ରାମର ସସ୍ମିତାଙ୍କ ଦୁଇ ଦାଦା ତ୍ରିଲୋଚନ ନାୟକ(୫୫)ବିଜୟ ନାୟକ(୫୪) ଥିବା ଜଣାଯାଇଛି।

ଅଙ୍ଗାରଖ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କର କିଛିଦିନ ହେବ ଦେହ ଭଲ ରହୁ ନ ଥିଲା। ଚିକିତ୍ସା ପାଇଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ୧୫ ଦିନର ଚିକିତ୍ସା ପରେ ମଧ୍ୟ ସୁସ୍ଥ ନ ହେବାରୁ ଉମେଶ ସଂପୃକ୍ତ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ଯୋଗେ ବାଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ ଯାଇଥିଲେ।

Advertisment

ବାଙ୍ଗାଲୁରୁ ଡାକ୍ତରଙ୍କଠାରୁ ନିରାଶ ହେବା ପରେ ସେହି ଆମ୍ବୁଲାନ୍ସରେ ସମସ୍ତେ ଓଡିଶା ଅଭିମୁଖେ ଫେରୁଥିଲେ। ମାତ୍ର ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ସହ ଆମ୍ବୁଲାନ୍ସଟି ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଗତକାଲି ରାତିରେ ଗଣେଶ ଓ ସସ୍ମିତାଙ୍କ ମୃତଦେହ ଅଙ୍ଗାରଖ ଗ୍ରାମରେ ପହଞ୍ଚିଥିବା ବେଳେ ସସ୍ମିତାଙ୍କ ଦୁଇ ଦାଦା ତ୍ରିଲୋଚନ ଓ ବିଜୟଙ୍କ ମରଶରୀର ଗୋବିନ୍ଦପୁର ଗ୍ରାମରେ ପହଞ୍ଚିଲା। ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଲୁହରେ ଭିଜିଛି ଦୁଇ ଗାଁ ।

ଏବେ ଏକାଥରେ ବାପାମା’ଙ୍କୁ ହରାଇ ଦୁଇ ଶିଶୁ ଅନାଥ ହୋଇ ଯାଇଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଛି। ଉମେଶ ଓ ସସ୍ମିତାଙ୍କ ଝିଅ ପ୍ରଭାସିନୀ ପତ୍ରପୁର ଏସକେସି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ପ୍ରତୀକ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଛି। ବାପା ଭଲ ହୋଇଯିବା ପରେ ମା’ ସହ ସାଥି ହୋଇ ଘରକୁ ଫେରିବେ ବୋଲି ପୁଅଝିଅ ଅନାଇ ରହିଥିବା ବେଳେ ଏବେ ଉଭୟ ବାପାମା’ଙ୍କ ମୃତଦେହକୁ ଦେଖି ତାହାକୁ ବିଶ୍ୱାସ କରି ପାରୁ ନାହାନ୍ତି ଏହି ଦୁଇ କଅଁଳ ଶିଶୁ। ଆଖିରୁ ଲୁହ ଧାର ଶୁଖୁ ନ ଥିବା ବେଳେ ଏବେ କାହା ଭରସାରେ ବାଟ ଚାଲିବେ ବୋଲି ପ୍ରଶ୍ନ ପଚାରୁଛନ୍ତି।

ଏନେଇ ସହିରା ଗ୍ରାମପଞ୍ଚାୟତ ସରପଞ୍ଚ ହେମନ୍ତ ମହାନ୍ତି କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଦୁଇ ପିଲାଙ୍କ ମୁଣ୍ଡ ଉପରୁ ବାପାମା’ଙ୍କ ହାତ ଉଠି ଯାଇଥିବା ବେଳେ ଏବେ ସେମାନେ ଅନାଥ ହୋଇ ଯାଇଛନ୍ତି। ପ୍ରଶାସନ ପକ୍ଷରୁ ଏହି ଦୁଇ ଶିଶୁଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିସହ ସେମାନଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Accident Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe