/odisha-reporter/media/post_attachments/uploadimage/library/16_9/16_9_0/Stop_Rape_1752657897.jpg)
Stop Rape
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଗାଜିଆବାଦର କବି ନଗରରେ ଥିବା ଗୋଟିଏ ହାଉସିଂ ସୋସାଇଟୀର ଫ୍ଲାଟରେ ଜଣେ ୧୪ ବର୍ଷୀୟ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କୁ ତାଙ୍କରି ଫ୍ଲାଟରେ ଗଣଦୁଷ୍କର୍ମ କରିବା ଘଟଣାରେ ସାମିଲ ଅଛନ୍ତି ୪ ଜଣ ନାବଳକ। ସର୍ବକନିଷ୍ଠ ଅଭିଯୁକ୍ତର ବୟସ ୧୪ ଓ ସବୁ ଠାରୁ ବୟସ୍କ ଅଭିଯୁକ୍ତର ବୟସ ୧୭। ୪ ନାବାଳକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି।
ଗୋଟିଏ ଘରୋଇ ସ୍କୁଲରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ରବିବାର ସକାଳେ ଏକାକୀ ତାଙ୍କ ଘରେ ରହିଥିଲେ। ଏହି ସମୟରେ ୪ ନାବଳକ ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ଛାତ୍ରୀଙ୍କ ସ୍କୁଲରେ ପଢ଼ନ୍ତି। ଜଣେ ପୀଡ଼ିତାଙ୍କ କ୍ଲାସର ହୋଇଥିବା ବେଳେ ଆଉ ଜଣେ ଦଶମ ଶ୍ରେଣୀରେ ପଢ଼େ। ବାକି ଦୁଇ ଜଣ ଏକାଦଶ ଶ୍ରେଣୀର ଛାତ୍ର। ହେଲେ ସେମାନେ ଅଲଗା ସ୍କୁଲରେ ପଢ଼ନ୍ତି।
ଏଫଆଇଆରରେ ଦର୍ଶାଯାଇଛି ଯେ ରବିବାର ସକାଳ ପ୍ରାୟ ୧୧.୩୦ରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ଜଣକ ତାଙ୍କୁ ଫୋନ କରିଥିଲା। ସେମାନେ ପରସ୍ପରକୁ ଜାଣିଥିଲେ। ଯଦିଓ ସେମାନେ ଗୋଟିଏ ସ୍କୁଲରେ ପଢ଼ୁ ନଥିଲେ, କିନ୍ତୁ ପରସ୍ପର ସହ ସୋଶାଲ ମିଡିଆରେ ଯୋଡ଼ି ହୋଇ ରହିଥିଲେ। ଫୋନରେ ଏକାଦଶ ଶ୍ରେଣୀର ଛାତ୍ର ଜଣ ପୀଡ଼ିତାଙ୍କୁ ଦେଖା କରିବାକୁ ଆସୁଥିବା କହିଥିଲା।
ରବିବାର ଯେତେବେଳେ ସେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ତାଙ୍କ ବାପା କାମରେ ଯାଇଥିଲେ ଓ ମା’ ମାର୍କେଟରେ ଥିଲେ। ଏହି ସମୟରେ ଡୋର ବେଲ ବାଜି ଥିଲା। ପୀଡ଼ିତା କବାଟ ଖୋଲାଲା ବେଳକୁ ବାହାରେ ମୁଖ୍ୟ ଅଭିଯୁକ୍ତ(ଏକାଦଶ ଶ୍ରେଣୀର ଛାତ୍ର) ଓ ଆଉ ୩ ଜଣ ପିଲା ରହିଥିଲେ। ସେମାନେ ବଳପୂର୍ବକ ଘରେ ପଶିବା ସହ ପୀଡ଼ିତାଙ୍କୁ ବେଡକୁ ନେଇ ଯାଇଥିଲେ। ମୁହଁକୁ ବନ୍ଦ କରିବା ସହ ହାତ ଗୋଡ଼କୁ ଜାବୁଡ଼ି ଧରି ଜଣଙ୍କ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ।
ଏସବୁ ଭିତରେ ପୀଡ଼ିତାଙ୍କ ମା’ ମାର୍କେଟରୁ ଫେରିଥିଲେ। ସେ ପହଞ୍ଚିଲା ବେଳକୁ ଘରର କବାଟ ଖୋଲା ରହିଥିଲା ଓ ୪ ଜଣ ପିଲା ତାଙ୍କ ଝିଅଙ୍କ ସହ ରହିଥିଲେ। ସେ ତୁରନ୍ତ କବାଟ ବନ୍ଦ କରିବା ସହ ଡାକ ପକାଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ କଲ କରିଥିଲେ ବୋଲି ଏଫଆଇଆର ଉଲ୍ଲେଖ କରାଯାଇଛି।
ପୀଡ଼ୀତାଙ୍କ ବାପା କହିଛନ୍ତି ଯେ ପତ୍ନୀଙ୍କ ଠାରୁ ଘଟଣା ସମ୍ପର୍କରେ ଖବର ପାଇବା ପରେ ସେ ତୁରନ୍ତ ୧୧୨କୁ ଫୋନ କରି ପୁଲିସ୍କୁ ଡାକିଥିଲେ। ହେଲେ ପୁଲିସ୍ ତୁରନ୍ତ ପହଞ୍ଚି ନଥିଲା। ଏହାର ଫାଇଦା ଉଠାଇ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ସୋସାଇଟୀର କିଛି ଲୋକ ଆମ ଘରକୁ ଆସିବା ସହ ଘଟଣା ସମ୍ପର୍କରେ ମୋ ପତ୍ନୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ଖସି ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ୍ ମଧ୍ୟ ତତ୍କାଳ ଅଭିଯୁକ୍ତଙ୍କୁ ଧରିବାକୁ ପଦକ୍ଷେପ ନେଇ ନଥିଲା। ସେମାନେ ମୋ ଝିଅକୁ ଦୀର୍ଘ ସମୟ ହେଲା ସୋଶାଲ ମିଡିଆରେ ହଇରାଣ କରି ଚାଲିଥିଲେ। ଯେତେବେଳେ ବି ସେ ସେମାନଙ୍କ ସହ କଥା ହେବାକୁ ମନା କରେ ସେମାନେ ତାକୁ ଧମକ ଦିଅନ୍ତି।”
କବି ନଗର ଏସିପି ଭାସ୍କର ବର୍ମା କହିଛନ୍ତି, “ଘଟଣାର ତଦନ୍ତ ପାଇଁ ଗୋଟିଏ ଟିମ ଗଠନ କରାଯାଇଛି। ସୋସାଇଟୀରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଛି। ମାଜିଷ୍ଟ୍ରେଟଙ୍କ ଆଗରେ ମଧ୍ୟ ତାଙ୍କ ବୟାନ ରେକର୍ଡ କରାଯିବ।”
ସୂତ୍ର ଅନୁସାରେ, ମୁଖ୍ୟ ଅଭିଯୁକ୍ତ ୱେଭ ସିଟି ଅଞ୍ଚଳରେ ରୁହେ। ଝିଅଟିର ପରିବାର ନିକଟରେ ଗାଜିଆବାଦକୁ ଆସିଥିଲେ। ସେହିପରି ସ୍କୁଲରେ ମଧ୍ୟ କିଛି ଦିନ ତଳେ ଝିଅଟି ନିଜର ନାଁ ଲେଖାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
