ଡିସ୍କାଉଣ୍ଟରେ ମିଳିବ ନୂଆ କାର୍। ତାହା ପୁଣି ୫୦ ପ୍ରତିଶତ ଡିସ୍କାଉଣ୍ଟରେ। ଏହା ଶୁଣି ଲୋଭରେ ପଡ଼ି ଯାଇଥିଲେ ଅନେକ ଗ୍ରାହକ। ଆଉ ଦେଇ ଦେଇଥିଲେ ଆଡଭାନ୍ସ। ୪୦ କୋଟିରୁ ଅଧିକ ଆଡଭାନ୍ସ ଟଙ୍କା ପାଇବା ପରେ ଠକମାନେ ହୋଇଯାଇଛନ୍ତି ଫେରାର। ଆଉ ମୁଣ୍ଡରେ ହାତ ଦେଇ ବସିଛନ୍ତି ଗ୍ରାହକ। ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ।
ଫେରାର ଅଭିଯୁକ୍ତମାନେ ହେଉଛନ୍ତି- ଅକ୍ଷୟ ଗୌଡ଼, ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ଓ ସେମାନଙ୍କ ସହଯୋଗୀ ଶିବରାମ ଗୌଡ଼। ଏମାନେ ଭୁବନେଶ୍ୱରରେ ମା’ ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଏକ ସଂସ୍ଥା ଖୋଲି ଏମିତି ଏକ ଠକେଇ କରିଥିବା ଅଭିଯୋଗ ହୋଇଛି।
୧୦ ଲକ୍ଷ ଟଙ୍କାର କାର୍ ୬ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର କାର୍ ୯ ଲକ୍ଷ ଟଙ୍କାରେ ମିଳିବ ବୋଲି ଲୋଭ ଦେଖାଇଥିଲା ସଂସ୍ଥା। ଏମିତିକି ଦୁଇ ତିନି ଜଣଙ୍କୁ ସଂସ୍ଥା କମ୍ ଦାମ୍ରେ କାର ବିକ୍ରି କରିଥିଲା। ଏହାକୁ ଦେଖି ଲୋକେ ଲୋଭରେ ପଡ଼ି ଯାଇଥିଲେ ଓ ସଂସ୍ଥାକୁ କାର୍ କିଣିବାକୁ ଅଗ୍ରୀମ ଟଙ୍କା ଦେଇଥିଲେ।
ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କା ସଂଗ୍ରହ କରିବା ପରେ ଫେରାର ହୋଇଯାଇଥିଲେ ଅକ୍ଷୟ ଗୌଡ଼, ଉଷାରାଣୀ ବାରିକ ଓ ଶିବରାମ ଗୌଡ଼। ଏବେ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ଓ କ୍ୟାପିଟାଲ ଥାନାରେ ଏକାଧିକ ଲୋକ ଏହି ଅଭିଯୁକ୍ତଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି।
ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନାହାନ୍ତି, କିଛି ପୁରୁଣା ଗାଡ଼ି ଶୋ’ ରୁମ୍ ମାଲିକ ଓ ପୁଲିସ କର୍ମଚାରୀ।ହେଲେ ଲୋକଲଜ୍ୟା ଭୟରେ ଉକ୍ତ ପୁଲିସ୍ କର୍ମଚାରୀମାନେ ସାମ୍ନାକୁ ଆସୁ ନଥିବା ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।