Advertisment

ଜମାକାରୀଙ୍କ ୪୦ ଲକ୍ଷ ଟଙ୍କା ନେଇଗଲେ ପୋଷ୍ଟମାଷ୍ଟର!

ଜମା ଟଙ୍କା ଆତ୍ମସାତ କରିବାପରେ ଶ୍ରୀ ରାଉତ ଗାଏବ ହୋଇଯାଇଥିଲେ। ତେଣୁ ପୋଷ୍ଟ ଅଫିସ୍‌ଟି ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଏହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେମାନେ ପଟ୍ଟାମୁଣ୍ଡାଇରେ ଥିବା ସବ୍‌-ପୋଷ୍ଟ ଅଫିସ୍‌ରେ ଅଭିଯୋଗ କରିଥିଲେ।

Postal

Postal

Advertisment

କିଏ କେତେ କଷ୍ଟକରି ରୋଜଗାର କରିଥିବା ଟଙ୍କା ପୋଷ୍ଟ ଅଫିସ୍‌ରେ ଜମା କରିଥିଲେ। ହେଲେ ପୋଷ୍ଟମାଷ୍ଟର ଜମାକାରୀଙ୍କ ଝାଳବୁହା ଟଙ୍କା ଧରି ଚମ୍ପଟ ମାରିଲେ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ଜମାକାରୀଙ୍କ ଅଭିଯୋଗ ଅନୁସାରେ ପୋଷ୍ଟମାଷ୍ଟର ୨୦ରୁ ୪୦ ଲକ୍ଷ ଟଙ୍କା ନେଇଯାଇଛି। ଘଟଣାର ତଦନ୍ତ ପାଇଁ ପଟ୍ଟାମୁଣ୍ଡାଇ ସବ୍‌-ପୋଷ୍ଟ ଅଫିସ୍‌ର ଇନ୍ସପେକ୍ଟର ଆଜି ଆସିଥିବା ବେଳେ ହିତାଧିକାରୀମାନେ ଅଟକ ରଖିଥିଲେ। ପ୍ରତିଶ୍ରୁତି ପରେ ଛାଡ଼ିଥିବା ଜଣାପଡ଼ିଛି।

Advertisment

ପଟ୍ଟାମୁଣ୍ଡାଇ ସବ୍‌-ପୋଷ୍ଟ ଅଫିସ ଅଧୀନରେ ରହିଛି ସଂସାରଫଳ ପୋଷ୍ଟ ଅଫିସ। ଏହି ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ ଚାକିରି କରୁଥିଲେ ଜିନତ ରାଉତ। ତେଣୁ ଲୋକମାନେ ସେହି ପୋଷ୍ଟ ଅଫିସ୍‌ରେ ସୁକନ୍ୟା, ଆର୍‌ଡି, ଜମା, ଫିକ୍ସଡ୍‌ ଡିପୋଜିଟ୍‌ ଓ ଅନ୍ୟାନ୍ୟ ଯୋଜନାରେ ଜମା କରୁଥିଲେ। ପୋଷ୍ଟ ମାଷ୍ଟର ଶ୍ରୀ ରାଉତ ଟଙ୍କା ରିସିଭ୍‌ କରି ଷ୍ଟାମ୍ପ ମାରି ଜମାକାରୀଙ୍କୁ ପାସ୍‌ବୁକ୍‌ ଫେରାଇ ଦେଉଥିଲେ। ହେଲେ ଶ୍ରୀ ରାଉତ ସେହି ଟଙ୍କା ସବ୍‌-ପୋଷ୍ଟ ଅଫିସ୍‌ରେ ଜମା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସେ ପ୍ରାୟ ୨୦୦ରୁ ଅଧିକ ଜମାକାରୀଙ୍କଠାରୁ ୨୦ରୁ ୪୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଜମା ଟଙ୍କା ଆତ୍ମସାତ କରିବାପରେ ଶ୍ରୀ ରାଉତ ଗାଏବ ହୋଇଯାଇଥିଲେ। ତେଣୁ ପୋଷ୍ଟ ଅଫିସ୍‌ଟି ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଏହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେମାନେ ପଟ୍ଟାମୁଣ୍ଡାଇରେ ଥିବା ସବ୍‌-ପୋଷ୍ଟ ଅଫିସ୍‌ରେ ଅଭିଯୋଗ କରିଥିଲେ। ପୋଷ୍ଟାଲ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ଆଉ ଜଣେ ପୋଷ୍ଟମାଷ୍ଟର ପ୍ରସାଦ ବେହେରାଙ୍କୁ ସେଠାକୁ ପଠାଇଥିଲେ। ଶ୍ରୀ ବେହେରା କାର୍ଯ୍ୟରେ ଯୋଗଦେବା ପରେ ନିଜ ଜମାକୁ ନେଇ ଗ୍ରାହକମାନେ ନାନା ପ୍ରଶ୍ନ ପଚାରିଥିଲେ। ହେଲେ ଶ୍ରୀ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲେ। ଟଙ୍କା ଘୋଟାଲା ହୋଇଥିବା ନେଇ କାହାକୁ କିଛି କହିପାରୁନଥିଲେ। ବାଧ୍ୟ ହୋଇ ସିଏ ମଧ୍ୟ ଆଉ ପୋଷ୍ଟ ଅଫିସ୍‌କୁ ଆସିଲେ ନାହିଁ। ଏ ସମ୍ପର୍କରେ ସେ ସବ୍‌-ପୋଷ୍ଟ ଅଫିସ୍‌କୁ କୌଣସି ସୂଚନା ଦେଇନଥିଲେ।

Advertisment

ଶ୍ରୀ ବେହେରା ନଆସିବାରୁ ଗତ ୭ରୁ ୮ ଦିନ ହେଲା ପୋଷ୍ଟ ଅଫିସ୍‌ ବନ୍ଦ ରହିଥିଲା। ଏନେଇ ଜମାକାରୀମାନେ ପୁଣି ଥରେ ଅଭିଯୋଗ କରିଥିଲେ। ଏହାପରେ ଆଜି ପଟ୍ଟାମୁଣ୍ଡା ସବ୍‌-ପୋଷ୍ଟ ଅଫିସ୍‌ର ଇନ୍ସପେକ୍ଟର ଜଣେ ପୋଷ୍ଟ ମାଷ୍ଟରଙ୍କୁ ଧରି ସଂସାରଫଳ ଡାକ ଅଫିସ୍‌ରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ପୋଷ୍ଟାଲ୍‌ ଇନ୍ସପେକ୍ଟରଙ୍କୁ ଦୀର୍ଘ ସମୟ ଧରି ଘେରିଥିଲେ। ମାସେ ଭିତରେ ଜମାକାରୀଙ୍କ ଟଙ୍କା ଫେରାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ତାଙ୍କୁ ଛାଡ଼ିଥିଲେ।

ଶେଷ ଖବର ସୁଦ୍ଧା ଶ୍ରୀ ରାଉତ ଓ ଶ୍ରୀ ବେହେରାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapara Postal Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe