/odisha-reporter/media/post_attachments/uploadimage/library/16_9/16_9_0/Stop_Rape_1723631451.jpg)
Stop Rape
କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ପୁଲିସ୍ ସଞ୍ଜୟ ରୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ହେଲେ ଡାକ୍ତରଙ୍କ ମୃତଦେହରୁ ପର୍ଯ୍ୟାପ୍ତ ପରିମାଣର ସେମେନ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ମୃତ ଡାକ୍ତରଙ୍କ ପରିବାର ଲୋକ କଲିକତା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। କଲିକତା ହାଇକୋର୍ଟ ଏହାକୁ ବିଚାରକୁ ନେଇ ଘଟଣାର ତଦନ୍ତ ସିବିଆଇ ତଦନ୍ତ କରିବ ବୋଲି ମଙ୍ଗଳବାର ଠାରୁ କହି ସାରିଛନ୍ତି।
ପରିବାର ଲୋକଙ୍କ ବ୍ୟତୀତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ହସ୍ତଗତ କରିଥିବା ଡାକ୍ତର ସୁବର୍ଣ୍ଣା ଗୋସ୍ୱାମୀ ମଧ୍ୟ ଘଟଣା ସମ୍ପର୍କରେ ମତ ରଖିଛନ୍ତି। ଡାକ୍ତର ଗୋସ୍ୱାମୀ କହିଛନ୍ତି, ପୀଡ଼ିତାଙ୍କ ଶରୀରରେ ଯେଉଁଭଳି ଆଘାତ ଚିହ୍ନ ସବୁ ରହିଛି, ସେଥିରୁ ଲାଗୁଛି ଯେ ଘଟଣାରେ ଏକରୁ ଅଧିକ ଲୋକ ସାମିଲ ଥିଲେ। ଗୁପ୍ତାଙ୍ଗରୁ ମିଳିଥିବା ସେମେନର ପରିମାଣ ମଧ୍ୟ ଅଧିକ ରହିଛି। ଏତେ ପରିମାଣର ସେମେନ କେବେ ହେଲେ ଜଣେ ବ୍ୟକ୍ତିଙ୍କର ହୋଇ ନପାରେ। ତେଣୁ ପୀଡ଼ିତାଙ୍କୁ ଏକରୁ ଅଧିକ ଲୋକ ଯୌନ ନିର୍ଯାତନା ଦେବା ଭଳି ଜଣାପଡ଼ୁଛି।
ଏହାପୂର୍ବରୁ ପରିବାର ଲୋକ କୋର୍ଟରେ ଦାଖଲ କରିଥିବା ପିଟିସନର ବିଷୟବସ୍ତୁ ଏବେ ସାମ୍ନାକୁ ଆସିଛି। ଏଥିରେ ସେମାନେ କହିଛନ୍ତି ଯେ ଶବବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଝିଅକୁ ତଣ୍ଟି ଚିପି ହତ୍ୟା କରାଯାଇଛି। ହତ୍ୟା ପୂର୍ବରୁ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦିଆଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଆସିଥିବା ତଥ୍ୟ ଅତ୍ୟନ୍ତ ଭୟଙ୍କର।
ଝିଅର ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି। ଏଥିରୁ ତାଙ୍କୁ କି ଭଳି ଭୟଙ୍କର ଢଙ୍ଗରେ ଆକ୍ରମଣ କରାଯାଇଥିଲା, ତା’ହା ପ୍ରମାଣିତ ହେଉଛି। ଝିଅର ମୁଣ୍ଡରେ ମଧ୍ୟ ଏକାଧିକ ଆଘାତ ଲାଗିଛି। ତାଙ୍କ ଓଠ ଗଭୀର ଭାବେ କ୍ଷତି ଗ୍ରସ୍ତ ହୋଇଛି। ବେକରେ କାମୁଡ଼ା ଦାଗରୁ ନିର୍ଯାତନା କେତେ ଭୟଙ୍କର ଥିଲା ଅନୁମେୟ ହେଉଛି।
ଶବବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ପୀଡ଼ିତାଙ୍କ ମୃତଦେହରୁ ୧୫୦ ମିଲି ଗ୍ରାମ ସେମେନ ମିଳିଛି। ତେଣୁ ଏହି ସେମେନ ପରିମାଣରୁ ଆଶଙ୍କା କରାଯାଉଛି ଯେ ଏକରୁ ଅଧିକ ଲୋକ ଘଟଣାରେ ସାମିଲ ଅଛନ୍ତି। ତେଣୁ ସମ୍ଭବତଃ ତାଙ୍କୁ ଗଣଦୁଷ୍କର୍ମ ମଧ୍ୟ କରାଯାଇ ଥାଇପାରେ।
ପୁଲିସ୍ କେବଳ ସଞ୍ଜୟ ରୟକୁ ଗିରଫ କରିଛି। ଘଟଣା ଗଣଦୁଷ୍କର୍ମ ଆଡ଼କୁ ଇଙ୍ଗିତ କରୁଥିବା ବେଳେ ପୁଲିସ୍ ଆଉ କାହାକୁ ବି ଗିରଫ କରିନାହିଁ। ଯେଉଁ ଭଳି ଭାବେ ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି, ଏହା କେବେ ହେଲେ ଗୋଟିଏ ଲୋକ ଦ୍ୱାରା ସମ୍ଭବ ନୁହେଁ ବୋଲି ମୃତ ଡାକ୍ତରଙ୍କ ଅଭିଭାବକମାନେ ପିଟିସନରେ ଉଲ୍ଲେଖ କରିଛନ୍ତି।
ପିଟିସନରେ ଆହୁରି କୁହାଯାଇଛି ଯେ ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ସୁରକ୍ଷା ଦାୟିତ୍ୱରେ ଥିବା ତତ୍କାଳୀନ ପ୍ରିନ୍ସିପାଲ ଓ ଅନ୍ୟମାନଙ୍କ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ତେଣୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସେମାନେ ପିଟିସନରେ ଉଲ୍ଲେଖ କରିଥିଲେ। ହାଇକୋର୍ଟ ଏହାକୁ ଗ୍ରହଣ କରି ମଙ୍ଗଳବାର ଠାରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
