Jajpur
ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତ ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନିମନ୍ତେ ପୁଲିସ୍ ୩ଟି ଟିମ୍ ଗଠନ କରିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଘଟଣା ପରେ ଧର୍ମଶାଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତ ରାତିରୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି । ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।
ସେପଟେ କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ରାତିରେ ଯାଜପୁରରେ ପହଞ୍ଚିଛନ୍ତି ଏଡିଜି ଲ’ ଆଣ୍ଡ ଅର୍ଡର ସଂଜୟ କୁମାର। ଯାଜପୁର ସଦର ଥାନା ଓ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ପୁଲିସର କଡ଼ା ନଜର ରହିଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି ।
ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଛି। ତାଙ୍କୁ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ହିମାଂଶୁ। ସେ କହିଛନ୍ତି, ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା ଓ କଂପ୍ରୋମାଇଜ୍ କରିଦିଅ ବୋଲି କହିଥିଲେ।
ତେବେ ବିଜେଡି ହିଂସାକୁ ପ୍ରଶୟ ଦିଏ ନାହିଁ ଓ ଏହି ଘଟଣାକୁ ସେ ନିନ୍ଦା କରୁଥିବା କହିଛନ୍ତି ବବି ଦାସ। ଏହା ସହିତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରଶାସନକୁ କହିଥିବା ତଥା ତାଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମରେ କହିଛନ୍ତି ବବି।
ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ବବି କହିଛନ୍ତି, ଥାନାରେ ଯାଇ ବସିବାକୁ ଭାଇକୁ କହିଥିଲି । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
