ଗୁଗଲରେ ଚାକିରି ଖୋଜୁ ଖୋଜୁ ଆକାଉଣ୍ଟରୁ ୬୦ ହଜାର ଗାଏବ

ଗୁଗଲରେ ପାର୍ଟ ଟାଇମ୍‌ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍‌ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ ।

ସାଇବର ଠକାମୀର ଶିକାର ହୋଇଥିବା ଯୁବକ ।

  • Published: Thursday, 25 April 2024
  • , Updated: 25 April 2024, 01:49 PM IST

ଗୁଗଲରେ ପାର୍ଟ ଟାଇମ୍‌ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍‌ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ । ଆଉ ଆକାଉଣ୍ଟରୁ ଥରକୁ ଥର କରି କଟିଗଲା ୬୦ ହଜାର ଟଙ୍କା। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଇଁରୀ ଗାଁରେ ହୋଇଛି। ଠକାମୀର ଶିକାର ହୋଇଥିବା ଯୁବକଜଣକ ହେଲେ ସମରବିଜୟ ବାରିକ l

ସମର ବିଜୟ ଜଣେ ଫାର୍ମାସି ଛାତ୍ର ହୋଇଥିବା ବେଳେ ଗୁଗଲରେ ପାର୍ଟଟାଇମ ଚାକିରି ଖୋଜୁଥିଲେ। ଏହା ମଧ୍ୟରେ ସେ ଜଣେ ସାଇବର ଠକ ହାବୁଡ଼ରେ ପଡିଥିଲେ l ତାଙ୍କୁ ଚାକିରି ଆବେଦନ କରିବାକୁ ଅନଲାଇନରେ ନାମ ରେଜିଷ୍ଟ୍ରେସନ କରାଇବାକୁ ଏକ ଶହ ଟଙ୍କା ପେମେଣ୍ଟ କରିବାକୁ କୁହାଗଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ କିଛି ଟଙ୍କା କଟିବା ପରେ ପୁଣି ସମରଙ୍କ ଆକାଉଣ୍ଟକୁ କିଛି ଟଙ୍କା ଆସିଥିଲା l ଏହାର କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା । ଆଉ ତାଙ୍କ ଆକାଉଣ୍ଟରୁ ୬୦ହଜାରରୁ ଉର୍ଦ୍ଧ ଟଙ୍କା ଗାଏବ ହୋଇଯାଇଥିଲା l

ଏତିକିରେ ମନ ସନ୍ତୁଷ୍ଟ ନ ହେବାରୁ ସାଇବର ଠକଜଣକ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ସମର ବିଜୟଙ୍କ ନିକଟକୁ ଏକ ନକଲି ବ୍ୟାଙ୍କ ନୋଟିସ ପଠାଇଛି l ଯେଉଁଥିରେ ୧୦% ଟ୍ୟାକ୍ସ ଟଙ୍କା ଡିପୋଜିଟ କଲେ ତାଙ୍କୁ ୪ଲକ୍ଷ ୦୭ ହଜାର ୫୬୯ ଟଙ୍କା ମିଳିବ ବୋଲି ଉଲ୍ଲେଖ ଅଛି।

ଠକାମୀର ଶିକାର ହୋଇଥିବା ଜାଣିବା ପରେ ସମର ବିଜୟ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ରୁପସା ଥାନା ଅଞ୍ଚଳର ଜଣେ ଯୁବକ ଏହି ଟଙ୍କା ଫେରାଇ ଆଣିବେ ବୋଲି ସମରବିଜୟଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ସେ ବି ତାଙ୍କଠାରୁ ୧୫ ହଜାର ଲୁଟି ନେଇଛନ୍ତି l

ଇତି ମଧ୍ୟରେ ସମୁଦାୟ ସମରବିଜୟଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ବେଳେ ସେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Related story