Advertisment

ବିଳମ୍ୱିତ ରାତିରେ ପରିତ୍ୟକ୍ତ ବିଶ୍ରାମାଗାରରୁ ଶୁଭିଲା ଶିଶୁର କାନ୍ଦ

ପ୍ରଥମେ କୌଣସି ଅତୃପ୍ତ ଆତ୍ମା ବୋଲି ଭାବିଥିଲେ। ପରେ ମନକୁ ଦମ୍ଭ କରି ବିଶ୍ରାମାଗାର ପାଖକୁ ଯାଇଥିଲେ। ଶିଶୁ ପୁତ୍ରଟିଏ କାନ୍ଦୁଥିବା ଦେଖି ସେହି ରାତିରେ ଚାଇଲଡ୍‌ ଲାଇନ୍‌ ଟିମ୍‌କୁ ଖବର ଦେଇଥିଲେ।

author-image
Manoranjan Sial
Mohana

Mohana

ରାତି ପ୍ରାୟ ୧୨ଟା ହେବ...। ଶୂନ୍‌ଶାନ୍‌ ରାସ୍ତାଘାଟ। ହଠାତ୍‌ ଏକ ପରିତ୍ୟକ୍ତ ବିଶ୍ରାମାଗାରୁ ଶୁଭିଲା ଶିଶୁ କାନ୍ଦ...। ଛୋଟ ଛୁଆର କାନ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ। ପରେ ସାହସ ଜୁଟାଇ ବିଶ୍ରାମାଗାରକୁ ଯାଇଥିଲେ। ଆଉ ଶିଶୁପୁତ୍ରଟିଏ କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ୱରେ ରହିଛି ଏକ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାର। ସେଠାକୁ ପ୍ରାୟତଃ କେହି ଯାଆନ୍ତି ନାହିଁ। ତେବେ ରବିବାର ରାତି ପ୍ରାୟ ୧୨ଟା ବେଳେ ସେହି ରାସ୍ତା ଦେଇ କିଛି ଲୋକ ଯାଉଥିଲେ। ଆଉ ସେହି ସମୟରେ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ। ଅନ୍ଧକାର ରାତିରେ ଛୁଆର କାନ୍ଦ ଶୁଣି ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ।

ପ୍ରଥମେ କୌଣସି ଅତୃପ୍ତ ଆତ୍ମା ବୋଲି ଭାବିଥିଲେ। ପରେ ମନକୁ ଦମ୍ଭ କରି ବିଶ୍ରାମାଗାର ପାଖକୁ ଯାଇଥିଲେ। ଶିଶୁ ପୁତ୍ରଟିଏ କାନ୍ଦୁଥିବା ଦେଖି ସେହି ରାତିରେ ଚାଇଲଡ୍‌ ଲାଇନ୍‌ ଟିମ୍‌କୁ ଖବର ଦେଇଥିଲେ। ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ଶିଶୁ ପୁତ୍ରକୁ ଉଦ୍ଧର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

Advertisment

ଆଜି ସକାଳେ ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ଶିଶୁଟି ୭ ଦିନର। କେହି ତାକୁ ଆଣି ସେଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ କିଏ ଓ କାହିଁକି ତାକୁ ଫିଙ୍ଗି ଦେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- ମୋହନାରୁ ମିହିର ଜତି

Gajapati District