ପାପ ଓ ପୁଣ୍ୟ କ’ଣ ଜାଣିନି। ତଥାପି କ୍ଷଣିସ୍ ଆଶକ୍ତିର ବଶବର୍ତ୍ତୀ ହୋଇ ଜଣେ ୭ ବର୍ଷର ପିଲା କରିଛି ପାପ। ଖେଳିବାକୁ ଯାଇଥିବା ଜଣେ ୫ ବର୍ଷର ଝିଅକୁ ପାପ ନଜରରେ ଦେଖିଛି, ଆଉ ଏକୁଟିଆ ସୁଯୋଗ ପାଇ ଦୁଷ୍କର୍ମ ଭଳି କୁକର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣକାରୀ ଘଟଣା ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଘଟିଛି।
ରବିବାର ୫ ବର୍ଷର ଝିଅ ଖେଳିବାକୁ ଯାଇଥିଲା। ସେହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିଲା। ଜଣେ ୭ ବର୍ଷର ପିଲା ତା’କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଏନେଇ ପରିବାର ଲୋକଙ୍କୁ କହିଥିଲା।
ପୀଡ଼ିତାଙ୍କ ମା’ ମଙ୍ଗଳବାର ଆକବରପୁର ପୁଲିସ୍ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହାପରେ ପୁଲିସ୍ ଆଇପିସିର ଧାରା ୩୭୬ ଓ ପୋକସୋ ଆକ୍ଟର ସେକସନର ୫/୬ ଆଧାରରେ ମାମଲା ରୁଜୁ କରିଛି।
ପୁଲିସ୍ ଏହି ଅଭିଯୋଗକୁ ଆଧାର କରି ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା ଜିଲ୍ଲା ହସ୍ପିଟାଲରେ କରାଇଛି। ପରୀକ୍ଷାରୁ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି।
ଆକବର କୋଟୱାଲି ପୁଲିସ୍ ଷ୍ଟେସନ ଇନସପେକ୍ଟର ସତୀଶ ସିଂହ କହିଛନ୍ତି, ପୁଲିସ୍ ବେଶ ସତର୍କତାର ସହ ମାମଲାର ତଦନ୍ତ କରୁଛି। ଯଦି ୭ ବର୍ଷରୁ କମ ବୟସ୍କ ପିଲା ଅପରାଧ କରୁଛି, ତା’ହେଲେ ଏହା ଅପରାଧ ବର୍ଗରେ ଆସିବ ନାହିଁ। ଆଇନ ବିଶେଷଜ୍ଞ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ପୁଲିସ୍ ବର୍ତ୍ତମାନ ସେ ଦିଗରେ ସବୁ ପଦକ୍ଷେପ ନେଉଥିବା ସତୀଶ କହିଛନ୍ତି।