/odisha-reporter/media/post_attachments/uploadimage/library/16_9/16_9_0/Thai_1752840038.jpg)
Thai
ସଂସାର ମୋହମାୟା ତ୍ୟାଗ କରି ସନ୍ଥ ହୋଇଥିଲେ। ଏକକୀ ଜୀବନ ବିତାଇବାକୁ ପଣ କରିଥିଲେ। ହେଲେ ସୁନ୍ଦରୀଙ୍କୁ ଦେଖି ନିଜର ନିଷ୍ଠା ଓ ସନ୍ଥ ପଣିଆ ଭୁଲି ଗଲେ। ଜଣେ କି ଦୁଇ ଜଣ ନୁହେଁ, ଅନେକ ମଠାଧୀଶ ଓ ସନ୍ଥ ଜଣେ ସୁନ୍ଦରୀଙ୍କ ସହ ଯୌନ ସମ୍ପର୍କ ରଖି ଏବେ ବଦନାମ ହୋଇଛନ୍ତି। ମହିଳା ଜଣଙ୍କ ବେଶ ଚତୁରତାର ସହ ସନ୍ଥ ଓ ମଠାଧୀଶଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କୁ ଦେହସୁଖ ଦେଉଥିଲେ। ଏହାବଦଳରେ ସେମାନଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ଆୟ ମଧ୍ୟ କରୁଥିଲେ।
ବଡ଼ଧରଣ ସେକ୍ସ ଓ ଠକେଇ ସ୍କାଣ୍ଡାଲ ସାମ୍ନାକୁ ଆସିବା ପରେ ଥାଇଲ୍ୟାଣ୍ଡରେ ହଇଚଇ ସୃଷ୍ଟି ହୋଇଛି। ବୌଦ୍ଧ ଧର୍ମର ସନ୍ଥମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ପ୍ରଲୋଭିତ କରାଇବା ଓ ପରେ ଟଙ୍କା ପାଇଁ ସେମାନଙ୍କୁ ବ୍ଲାକମେଲ କରିବା ଘଟଣାରେ ଥାଇଲ୍ୟାଣ୍ଡ ପୁଲିସ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ଗିରଫ ହେବା ପରେ ବୌଦ୍ଧ ଧର୍ମର ମଠାଧୀଶ ଓ ସନ୍ଥମାନଙ୍କୁ ଏବେ ସାଧାରଣରେ ଲୋକମାନେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି।
ଏକାକୀ ରହିବା ପାଇଁ ସନ୍ଥ ବିନିଥିବା ଏହି ଲୋକମାନେ କେମିତି ନିଜର ନିଷ୍ଠା ସହ ଧୋକା କଲେ, ତା’ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଗିରଫ ମହିଳାଙ୍କ ଜାଲରେ ଅତି କମରେ ପ୍ରାୟ ୯ ଜଣ ମଠାଧୀଶ ଓ ବରିଷ୍ଠ ସାଧୁସନ୍ଥ ଫସିଥିଲେ। ଏହି ଘଟଣା ସନ୍ଥତ୍ୱ ସମାଜର ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ରୟାଲ ଥାଇ ପୁଲିସ୍ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ କହିଛି।
ୱିଲାୱନ ଇମସାୱ କିଏ?
ଉତ୍ତର ବ୍ୟାଙ୍କକର ନୋନଥାବୁରି ସ୍ଥିତ ବିଳାସପୂର୍ଣ୍ଣ ବଙ୍ଗଳାରୁ ଦିନ ପୁଲିସ୍ ୩୦ ବର୍ଷୀୟ ୱିଲାୱନ ଇମସାୱଙ୍କୁ ଗିରଫ କରିଛି। ଟଙ୍କା ଆଦାୟ, ମନି ଲଣ୍ଡରିଂ ଓ ଚୋରି ସାମଗ୍ରୀ ଗ୍ରହଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୁଲିସ୍ ୱିଲାୱନ ଇମସାୱଙ୍କୁ ମିସ୍ ଗୋଲ୍ଫ ଭାବେ ନାମିତ କରିଛି। ସେ ଅତିକମରେ ୯ ଜଣ ସନ୍ଥଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ପୁଲିସ୍ ଜାଣିବାକୁ ପାଇଛି।
ତାଙ୍କ ଫୋନରୁ ପୁଲିସ୍ ଚକିତ କରିବା ଭଳି ଭିଡିଓ ଓ ମେସେଜ ଠାବ କରିଛି। ବୌଦ୍ଧ ଧର୍ମର ସନ୍ଥଙ୍କ ସହ ତାଙ୍କର ଇଣ୍ଟିମେଟ ବା ଅଶ୍ଳୀଳ ଭିଡିଓ ଫୋନରୁ ମିଳିଛି। ଏହି ଭିଡିଓକୁ ଦେଖାଇ ସେ ସନ୍ଥମାନଙ୍କୁ ବ୍ଲାକମେଲ କରୁଥିଲେ। ଏହାବଦଳରେ ପାଉଥିବା ଟଙ୍କାକୁ ୱିଲାୱନ ବେଆଇନ ଅନଲାଇନ ଜୁଆରେ ଉଡ଼ାଉଥିଲେ।
ଦି ଟାଇମ୍ସ ଅନୁସାରେ, ୱିଲାୱନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କଥାକୁ କିଛି ସନ୍ଥ ସ୍ୱୀକାର କରିଛନ୍ତି। ସେମାନଙ୍କୁ ୱିଲାୱନ ସୋଶାଲ ମିଡିଆ ଦ୍ୱାରା ଯୋଗାଯୋଗ କରି ନିଜ ଜାଲରେ ଫସାଇଥିଲେ। ଜଣେ ସନ୍ଥ ଦାବି କରିଛନ୍ତି ଯେ ସେ ୱିଲାୱନଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ।
ତାଙ୍କ ଠାରୁ ସନ୍ଥଙ୍କୁ ଗୋଟିଏ କାର ମଧ୍ୟ ମିଳିଥିଲା। କିନ୍ତୁ ୱିଲାୱନ ଆଉ ଜଣେ ସନ୍ଥଙ୍କୁ ନିଜ ଜାଲରେ ଫସାଇବା ପରେ ପୂର୍ବ ଜଣଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଅଲଗା ହୋଇଯିବା ପରେ ପ୍ରଥମ ସନ୍ଥଙ୍କୁ ୱିଲାୱନ ବ୍ଲାକମେଲ କରି ଟଙ୍କା ମାଗିବା ଆରମ୍ଭ କରିଥିଲେ।
୮୦ ହଜାର ଅଶ୍ଳୀଳ ଭିଡିଓ ଓ ୧୨୦ କୋଟି ବଟି ଆଦାୟ
ବିବିସି ରିପୋର୍ଟରେ କୁହାଯାଇଛି ଯେ ୱିଲାୱନ ୩ ବର୍ଷ ମଧ୍ୟରେ ନିଜ ସୁନ୍ଦରତା ବଳରେ ସନ୍ଥମାନଙ୍କୁ ଫସାଇ ପ୍ରାୟ ୩୮୫ ମିଲିୟନ ବାଥ ବା ୧୦୨ କୋଟି ଟଙ୍କା ଆୟ କରିଥିଲେ। ନିଜ ଘରେ ସେ ଅନେକ ବୌଦ୍ଧ ଧର୍ମର ସନ୍ଥ ଓ ମଠାଧୀଶଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହାର ପ୍ରାୟ ୮୦ ହଜାର ଭିଡିଓ ଓ ଫଟୋ ତାଙ୍କ ପାଖରୁ ମିଳିଛି। ଏହାକୁ ବ୍ୟବହାର କରି ୱିଲାୱନ ସନ୍ଥମାନଙ୍କୁ ବ୍ଲାକମେଲ କରୁଥିଲେ।
ସନ୍ତାନ ଜନ୍ମ କରିଥିବା ଦାବି କରିଛନ୍ତି ୱିଲାୱନ
ଡେଲୀ ଷ୍ଟାରର ରିପୋର୍ଟରେ ଅନୁସାରେ ୱିଲାୱନ ଜଣେ ସନ୍ଥଙ୍କ ସହ ଶାରୀରିକ ସମ୍ପର୍କ ରଖି ଗୋଟିଏ ସନ୍ତାନକୁ ଜନ୍ମ କରିଛନ୍ତି। ଏହି ଘଟଣା ପ୍ରକୃତରେ ଜୁନ ମଧ୍ୟଭାଗରେ ସାମ୍ନାକୁ ଆସିଥିଲା। ବ୍ୟାଙ୍କର ଜଣେ ମଠାଧୀଶ ହଠାତ୍ ନିଜର ସନ୍ଥ ସମାଜ ଛାଡ଼ି ଦେଇଥିଲେ। ଖୋଳ ତାଡ଼ କରିବାରୁ ଜଣା ପଡ଼ିଥିଲା ଯେ ମହିଳାଙ୍କ ବ୍ଲାକମେଲକୁ ସହି ନ ପାରି ମଠାଧୀଶ ଜଣଙ୍କ ଏପରି ପଦକ୍ଷେପ ନେଇଛନ୍ତି।
ପୁଲିସ୍ କହିଛି ଯେ ୱାଟ ଟ୍ରି ଥୋଟସାଥେପ ମୋନାଷ୍ଟ୍ରେର ମଠାଧୀଶ ନିଖୋଜ ହେବା ପରେ ପୂରା କେଳେଙ୍କାରୀ ସାମ୍ନାକୁ ଆସିଥିଲା। ୱିଲାୱନଙ୍କ ବ୍ଲାକମେଲରୁ ବର୍ତ୍ତିବା ପାଇଁ ସେ ଏପରି କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ୱିଲାୱନ ଦାବି କରିଥିଲେ ଯେ ଉକ୍ତ ସନ୍ଥ ଜଣଙ୍କ ହେଉଛନ୍ତି ତାଙ୍କ ଛୁଆର ବାପା।
ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଦୋହଲାଇ ଦେଇଛି ଏହି ଘଟଣା
ପ୍ରସିଦ୍ଧ ମନ୍ଦିରର ଏକାଧିକ ମଠାଧୀଶଙ୍କ ସମେତ ୯ ଜଣ ସନ୍ଥ ମହିଳାଙ୍କ ଯୌନ ଜାଲରେ ଫସିବା ପୂରା ବୌଦ୍ଧ ସମାଜକୁ ଦୋହଲାଇ ଦେଇଛି। ସନ୍ଥମାନଙ୍କ ପ୍ରତି ଥିବା ଚିନ୍ତା ଧାରାର ପର୍ଦ୍ଦାଫାସ ହୋଇ ଯାଇଛି। ମନ୍ଦିର କାନ୍ଥ ପଛରେ ଏପରି କାଣ୍ଡ ଘଟିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ବ୍ୟାଙ୍କକ ପୋଷ୍ଟର ଜଣେ ସ୍ତମ୍ଭକାର ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
