Advertisment

ଓଡ଼ିଶାରେ ୫ମାସରେ ୪୧ଗଣଦୁଷ୍କର୍ମ ସମେତ ୯୨୪୮ଟି ମହିଳା ହିଂସା ମାମଲା

ଆଜି ବିଧାନସଭାରେ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜୁନ୍ ୧୦ରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି ।

author-image
Jitendra Garnayak
Rape

Rape

ରାଜ୍ୟରେ ବିଗତ ୫ମାସରେ ୪୧ଟି ଗଣଦୁଷ୍କର୍ମ ମାମଲା ସମେତ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ୫ଟି ଲେଖାଏଁ ଗଣଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୪ଟି ଗଣଦୁଷ୍କର୍ମ ମାମଲାର ଅଭିଯୋଗ ହୋଇଛି । ୧୬୧ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ୨୪ଜଣ ମହିଳା ଯୌତୁକଜନିତକାରଣରୁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ଏହି ଚିତ୍ର ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଛନ୍ତି ।  ଚଳିତବର୍ଷ ଜୁନ ୧୦ତାରିଖରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ଏସବୁ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି ।

Advertisment

ଆଜି ବିଧାନସଭାରେ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜୁନ୍ ୧୦ରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି । ଏହି ଅବଧି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ସର୍ବାଧିକ ୬୩୮ଟି ମାମଲା ଏବଂ କଟକ ଅର୍ବାନ୍ ଓ ରୁରାଲରେ  ମୋଟ ୬୯୧ଟି ମମଲା ରୁଜୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବାବେଳେ ଭଦ୍ରକ ଓ କେନ୍ଦୁଝରରେ ୧୧ଜଣ ଲେଖାଏଁ, ଗଞ୍ଜାମରେ ୧୦ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୫ଜଣ ମହିଳା ଯୌତୁକଜନିତ ପ୍ରାଣ ହରାଇଛନ୍ତି । ଦୁଷ୍କର୍ମର ମୋଟ ୫୦୬ଟି ମାମଲା, ପୋସ୍କୋ ଆକ୍ଟ ସମେତ ମାଇନର ରେପ୍ ଘଟଣାର ମୋଟ ୭୬୯ଟି ମାମଲା ମଧ୍ୟ ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆଜି ବିଧାନସଭାରେ ବିରୋଧୀ ବିଜେଡି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବର ଆଲୋଚନାକୁ ଆରମ୍ଭ କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଥିଲେ ଯେ, ଏହି ୫ମାସ ମଧ୍ୟରେ ରାଜ୍ୟରେ ଯେଭଳି ଅପରାଧ ବଢ଼ିଚାଲିଛି ସେଥିପାଇଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ସେ ବିଜେପିକୁ କ୍ଲିନଚିଟ୍ ଦେଇ କହିଥିଲେ ଯେ, ଏସବୁ ହିଂସା ଓ ଅପରାଧ ବିଜେପି ଦ୍ୱାରା ପ୍ରାୟୋଜିତ ବୋଲି ସେ କହୁନାହାନ୍ତି । କିନ୍ତୁ ଏହି ହିଂସା ଓ ଅପରାଧ କିଭଳି ନହେବ ସେଥିପାଇଁ ବିଜେପି ସରକାର କଠୋର ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଥିଲେ ।

Advertisment