Police
ବିଚ୍ ବଜାରରେ ଦେଖାଇଲେ ପୁଲିସ୍ ଠାଣି । ବିନା କାରଣରେ ଜଣେ ସାଧାରଣ ଲୋକଙ୍କୁ ୪ ମିନିଟ୍ ୩୮ ସେକେଣ୍ଡରେ ଜୋତାରେ ୩୮ ଥର ନିର୍ଧୂମ ପିଟିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଏପରି ଜଣେ ପୁଲିସ୍ କନଷ୍ଟେବଳଙ୍କୁ ସସ୍ପେଣ୍ଡ କରାଯାଇଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରି କାଣ୍ଡ ଘଟାଇଥିବା ପୁଲିସ୍ କର୍ମଚାରୀଙ୍କ ନାମ ଦିନେଶ ବୋଲି ଜଣା ପଡ଼ିଛି।
ଘଟଣା ଦିନ ସାଧା ପୋଷାକରେ ଥିବା ପୁଲିସ୍ କର୍ମଚାରୀଜଣକ ଏକ ଗ୍ରୋସରୀ ଦୋକାନକୁ ଜିନିଷ ଆଣିବାକୁ ଯାଇଥିଲେ । ସେଠାରେ ଉକ୍ତ ଯୁବକ ମଦ୍ୟ ଉପସ୍ଥିତ ଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେଲା। ଏଥିରେ ଉତ୍ତ୍ୟକ୍ତ ପୁଲିସ୍ କର୍ମୀଜଣକ ନିଜ ହିତାହିତ ଜ୍ଞାନ ହରାଇବସି ଜୋତା ଖୋଲିଦେଲେ। ଏହାପରେ ଉକ୍ତ ଜୋତାରେ ଯୁବକଜଣଙ୍କୁ ପିଟି ଚାଲିଲେ। ଆଖପାଖର ଲୋକେ ଏହାର ଭିଡିଓ କରି ଭାଇରାଲ କରିଦେଲେ। ଉକ୍ତ ଭିଡିଓରେ ପୁଲିସ୍ କର୍ମଚାରୀଜଣକ ସମ୍ପୃକ୍ତ ଯୁବକଙ୍କୁ ୪ ମିନିଟ୍ ୩୮ ସେକେଣ୍ଡରେ ୩୮ ଥର ଜୋତା ପାହାର କରିଥିବା ଜଣାଯାଇଛି।
ଏହି ଘଟଣାକୁ ନେଇ ପୁଲିସ୍ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏଡିଜି ପିୟୂଷ ତୁରନ୍ତ ଏକ ସମୀକ୍ଷା ବୈଠକ ଡାକିଥିଲେ। ଏହି ବୈଠକ ପରେ ଦିନେଶଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିବା ବେଳେ ସାଧାରଣ ଲୋକଙ୍କ ପ୍ରତି ଶାଳୀନ ବ୍ୟବହାର ଓ ସହନଶୀଳତା ପ୍ରଦର୍ଶନ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
