/odisha-reporter/media/post_attachments/uploadimage/library/16_9/16_9_0/Dead_Body_1695737093.jpg)
Dead Body
ଗଜପତି ଜିଲ୍ଲା ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ।
ପ୍ରଥମେ ଦୁଇ ତିନି ଜଣ ଲୋକ କପିଳେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ସେମାନେ କପିଳେନ୍ଦ୍ରଙ୍କୁ ତାଙ୍କ ଘର ଭିତରେ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ସେତେବେଳେ ତାଙ୍କ ସ୍ତ୍ରୀ ସସ୍ମିତା ଘରେ ନଥିଲେ। ସେ କୌଣସି କାମରେ ଅନ୍ୟ ଏକ ସାହିକୁ ଯାଇଥିଲେ।
କିଛି ଲୋକ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଖବର ପାଇ ସସ୍ମିତା ତୁରନ୍ତ ଘର ଅଭିମୁଖେ ବାହାରିଥିଲେ। ତେବେ ବାଟରେ ସେହି ଲୋକମାନେ ତାଙ୍କୁ ବି ଆକ୍ରମଣ କରିଥିଲେ। କପିଳେନ୍ଦ୍ର ଓ ସସ୍ମିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ଆର.ଉଦୟଗିରି ଏସଡିପିଓ, ଉଭୟ ଅଡ଼ବା ଓ ମୋହନ ଥାନା ଅଧିକାରୀ ଓ ସାଇନଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଛୁରୀ ଜବତ କରିଛି ପୁଲିସ। ଗୁଣି ଗାରେଡ଼ି ସନ୍ଦେହରେ ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ୧୬ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଗତ ଫେବ୍ରୁଆରୀ ମାସ ୧୧ ତାରିଖରେ ମଧ୍ୟ କପିଳେନ୍ଦ୍ରଙ୍କୁ ଆକ୍ରମଣ କରାଯାଇଥିଲା। ସେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି କିଛି ଅଜଣା ଲୋକ ତାଙ୍କ ଉପରକୁ ଗୁଳି କରିଥିଲେ। କପିଳେନ୍ଦ୍ର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
