Advertisment

ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ଚମରୁ ଜଣେ ଛୋଟ ଚାଷୀ ଥିଲେ। ନିଜେ ଖାଇବା ପାଇଁ ଚାଷ କରୁଥିଲେ।

author-image
Jitendra Garnayak
Farmer

Farmer

ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବିନେକେଲ ଗାଁରେ। ମୃତ ଚାଷୀଙ୍କ ନାଁ ଚମରୁ ବାଗ୍‌ (୪୭)।

Advertisment

ଜଣେ ସଂପର୍କୀୟଙ୍କ କହିବା ଅନୁଯାୟୀ, ଦୁଇ ଏକର ଜମିରେ ଚମରୁ ଧାନ ଚାଷ କରିଥିଲେ। ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଅମଳ ପରେ ତାଙ୍କୁ ମାତ୍ର ୩ ପ୍ୟାକେଟ୍ ଧାନ ମିଳିଥିଲା। ଏହା ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ବିଷ ପିଇ ଦେଇଥିଲେ।

ଚମରୁ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ବିଷ ପିଇ ଦେଇଥିଲେ। ରାତିରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଚମରୁ ଜଣେ ଛୋଟ ଚାଷୀ ଥିଲେ। ନିଜେ ଖାଇବା ପାଇଁ ଚାଷ କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଦୁଇ ପୁଅ ଗୁଜରାଟ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

ମାସେ ତଳେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବୁବେଇ ଗାଁରେ ଚାଷୀ ରମେଶ ଭୋଇ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ୧୦ଏକର ଜମିରେ ଚାଷ କରିଥିଲେ। ସେଥିରୁ ୫ ଏକର ଜମିରେ ଚକଡ଼ା ପୋକ ମାଡ଼ି ଯାଇଥିଲା।। ଏନେଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ବିଷ ପିଇ ଦେଇଥିଲେ।

Farmer Suicide