/odisha-reporter/media/post_attachments/uploadimage/library/16_9/16_9_0/IMAGE_1754482470.jpg)
Kendrapara SP
ପୁଲିସରେ ଅଭିଯୋଗ ସତ୍ୱେ ଅପରାଧୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଜଣେ ୨୦ବର୍ଷୀୟା ଯୁବତୀ ଆତ୍ମଦାହ କରିଛନ୍ତି । ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ, ବଳଙ୍ଗା ନାବାଳିକା ଓ ଆଜି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଘଟଣା ରାଜ୍ୟରେ ପୁଲିସ ପ୍ରଶାସନ ଓ ବ୍ୟବସ୍ଥାଗତ ବିଫଳତାକୁ ପୁଣିଥରେ ପ୍ରମାଣିତ କରାଇଛି । ପୁଲିସର ଅପାରଗତା ଓ ଦାୟିତ୍ୱହୀନତା ଯୋଗୁ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିଲେ ମଧ୍ୟ ବିଗତ ବର୍ଷକ ମଧ୍ୟରେ ଆଇନଶୃଙ୍ଖଳା ସହ ଜଡ଼ିତ କୌଣସି ବି ଘଟଣାରେ ପୁଲିସକୁ ଉତ୍ତରଦାୟୀ କରିବା ତ ଦୂରର କଥା ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନାହାନ୍ତି । ଆଜି ଜୀବନ୍ତ ଦଗ୍ଧ ହୋଇଥିବା ଛାତ୍ରୀଙ୍କ ମାମଲାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିକାରୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ହିଁ ପୁଲିସ ବ୍ୟବସ୍ଥାର ବିଫଳତା ଓ ବେପରୁୱା ଚିତ୍ର-ଚରିତ୍ରକୁ ପଦାରେ ପକାଇଛି ।
ବ୍ଲାକମେଲ୍ ଶିକାର ହୋଇ ଜୀବନ୍ତ ଜଳିଗଲେ ଛାତ୍ରୀ
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁରେ ଜଣେ ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ନିଜ ଘରେ ନିଆଁରେ ପୋଡ଼ି ଆତ୍ମହତ୍ୟା କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ୨୦ବର୍ଷୀୟା ମୃତ ଛାତ୍ରୀଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ବ୍ଲାକମେଲ କରାଯାଉଥିଲା । ଛାତ୍ରୀଙ୍କ ପ୍ରେମିକ ତାଙ୍କୁ ଅଶ୍ଲୀଳ ଭିଡିଓ ଓ ଫଟୋ ରଖି ବ୍ଲାକମେଲ୍ କରୁଥିଲେ ଓ ସେ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ୬ମାସ ଧରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ଓଲଟା ପୁଲିସ କେବଳ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ବ୍ଲକ କରି ଦେବାକୁ ପରାମର୍ଶ ଦେଇଥିଲେ । ଯେଉଁଥିରେ ତାଙ୍କ ଝିଅ ମାନସିକସ୍ତରରେ ଚାପ ଗ୍ରସ୍ତ ହୋଇ ଏଭଳି ଅଭାବନୀୟ ଭାବେ ଜୀବନ ହାରି ଦେଇଥିବା କ୍ଷୋଭର ସହ ଗଣମାଧ୍ୟମ ଆଗରେ ମୃତ ଛାତ୍ରୀଙ୍କ ପିତା କହିଛନ୍ତି । ପୁଲିସର ଏଭଳି ନିଷ୍କ୍ରିୟତାକୁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଘଟଣାସ୍ଥଳକୁ ଗଲେ କେନ୍ଦ୍ରାପଡ଼ା ଏସପି, ଥାନା ଆଇଆଇସିଙ୍କ ବେପରୁୱା ବୟାନ
ଯୁବତୀ ଜୀବନ୍ତ ଦଗ୍ଧ ହେବା ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବାପରେ କେନ୍ଦ୍ରାପଡ଼ା ପୁଲିସ ଏସପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ପାରିପାଶ୍ୱିର୍କ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଏପଟେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ଧୀରଜ ଲେଙ୍କା ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଏହି ଅଭିଯୋଗ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ଏପରିକି ଅଭିଯୋଗ ୬ମାସ ତଳୁ ଦିଆଯାଇଥିଲା ଓ ସେ ୪-୫ମାସ ହେଲା ଥାନାରେ ଯୋଗ ଦେଇଛନ୍ତି । ତେଣୁ ତାଙ୍କର ପାଖରେ ଏନେଇ କୌଣସି ସୂଚନା ନାହିଁ । ସେ ନିଜେ ଏବେ ଜୀବନ୍ତ ଦଗ୍ଧ ଘଟଣାର ସୂଚନା ପାଇଁ ଘଟଣାସ୍ଥଳକୁ ଯାଉଥିବା ଗଣମାଧ୍ୟମକୁ କହିଛନ୍ତି ।
ମାତ୍ର ଏଠି ପ୍ରଶ୍ନ ଉଠୁଛି, ଥାନାରେ କେତେ ଅଭିଯୋଗ କେଉଁ ସ୍ତରରେ ରହିଛି ତା’ର କ’ଣ ନିୟମିତ ସମୀକ୍ଷା କରାଯାଏ ନାହିଁ କି? ପଟ୍ଟମୁଣ୍ଡାଇ ଥାନା ଆଇଆଇସି କ’ଣ ବିଗତ ୪-୫ମାସ ମଧ୍ୟରେ ତାଙ୍କ ଥାନାରେ କେତେ ପରିମାଣର ଅଭିଯୋଗ ରହିଛି ତା’ର ଯାଂଚ କିମ୍ବା ସମୀକ୍ଷା କରିନଥିଲେ ନା ଏସବୁ କରିବାକୁ ଚାହିଁନଥିଲେ । ପୁଲିସ ପ୍ରଶାସନରେ ବ୍ୟବସ୍ଥା ଅନୁସାରେ ଜିଲ୍ଲା ଏସପି ନିୟମିତ ଭାବେ ମଧ୍ୟ ଥାନାଗୁଡ଼ିକରେ ଥିବା ଅଭିଯୋଗର ସମୀକ୍ଷା କରିଥାନ୍ତି । ଜଣେ ଛାତ୍ରୀ ଦେଇଥିବା ଅଭିଯୋଗ ସମ୍ପର୍କରେ କିଭଳି ଥାନା ଆଇଆଇସି ଜାଣିପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି । ଛାତ୍ରୀଜଣକ ଦେଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏବେ କାହିଁକି ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ଚାହୁଁଛନ୍ତି । ଯଦିଓ ପ୍ରାଥମିକ ଅନୁସନ୍ଧାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଛାତ୍ରୀଙ୍କ ଅଭିଯୋଗ ଉପରେ ପଟ୍ଟାମୁଣ୍ଡାଇ ପୁଲିସର ନିଷ୍କ୍ରିୟତା ଯୋଗୁ
ଏହି ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଆଇଆଇସିଙ୍କ ଉପରେ ଆଖିଦୃଶିଆ ଓ ଉଦାହରଣଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଜୀବନ୍ତ ଦଗ୍ଧ ମାମଲା ବୃଦ୍ଧି ପାଉଛି, ପୂର୍ଣ୍ଣଚ୍ଛେଦ ଜରୁରୀ
ଗତମାସ ୧୨ ତାରିଖରେ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଦେଇଥିଲେ । ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୁଲାଇ ୧୪ ରାତିରେ ମୃତ୍ୟୁ ଘଟିଥିଲା । ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କୁ ମଧ୍ୟ ୭୦ ପ୍ରତିଶତ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ୨ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଇଟି ଯାକ ମାମଲା ପୁଲିସ ପ୍ରଶାସନର ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାବେଳେ ବଳଙ୍ଗା ପୀଡ଼ିତା କିଭଳି ପ୍ରାଣ ହରାଇଲେ ସେ ସମ୍ପର୍କରେ କୌଣସି ତଥ୍ୟ ଲୋକଲୋଚନକୁ ଆଣିବାରେ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନାହିଁ । ଏହା ବ୍ୟତୀତ, ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କ ସହ ସାମୂହିକ ଦୁଷ୍କର୍ମର ଘଟଣାରେ ମଧ୍ୟ ପୁଲିସ କେବଳ ଅଭିଯୁକ୍ତଙ୍କୁ ଗିରଫ କରି ନିଜର ଦାୟିତ୍ୱ ଶେଷ କରିଛି । କାହିଁକି ଗୋପାଳପୁର ବେଳାଭୂମିରେ ସୁରକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଗଲା ନାହିଁ ଓ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେଲେ ତା’ର ଖୋଳତାଡ଼ କରାଗଲା ନାହିଁ କିମ୍ବା ପୁଲିସର କେହି ଉତ୍ତରଦାୟୀ ମଧ୍ୟ ହେଲେନି । ଏସବୁ ଘଟଣା ମଧ୍ୟ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ସରକାର ଓ ପୁଲିସର ନିଷ୍କ୍ରିୟତାକୁ ପ୍ରକାଶ କରୁଛି । ବିରୋଧୀ ଦଳଗୁଡ଼ିକ ଏନେଇ ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଥିଲେ ମଧ୍ୟ ପୁଲିସର ବଡ଼ପଣ୍ଡାମାନଙ୍କୁ ଛୁଇଁବାକୁ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି ।
ସାମାଜିକ କଳଙ୍କ ଓ ସମାଧାନର ଆବଶ୍ୟକତା
ନ୍ୟାୟ ପାଇବା ପାଇଁ ଜୀବନ୍ତ ଦଗ୍ଧ ହେବା ଭଳି ଅଭାବନୀୟ ଘଟଣାଗୁଡ଼ିକ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ସାମାଜିକ କଳଙ୍କର ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରୁଛି । ମହିଳାଙ୍କ ବିରୁଦ୍ଧରେ ଅପରାଧରେ ବୃଦ୍ଧି ଏବଂ ପୁଲିସ ଓ ସରକାରଙ୍କ ନିଷ୍କ୍ରିୟତା ଏକ ଗଭୀର ସାମାଜିକ ସମସ୍ୟା ସୃଷ୍ଟି କରୁଛି । ବିଶେଷଜ୍ଞମାନଙ୍କ ମତରେ, ଏହାର ସମାଧାନ ପାଇଁ କଡ଼ା ଆଇନ କାର୍ଯ୍ୟକାରୀ କରାଯିବା ସହ ପୁଲିସକୁ ଅଧିକ ଉତ୍ତରଦାୟୀ କରାଯିବାର ଆବଶ୍ୟକତା ରହିଛି । ଏହା ସହିତ ସାମାଜିକ ସଚେତନତା ଓ ଶିକ୍ଷା ମାଧ୍ୟମରେ ମହିଳାଙ୍କର ବ୍ୟବସ୍ଥା ପ୍ରତି ଦୃଷ୍ଟିକୋଣ ଓ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣରେ ପରିବର୍ତ୍ତନ କରାଯିବା ଜରୁରୀ । ଓଡ଼ିଶା ସରକାର ଏବଂ ପୁଲିସ ପ୍ରଶାସନକୁ ଏହି ଘଟଣାଗୁଡ଼ିକରୁ ଶିକ୍ଷା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
