Advertisment

ଶିଶୁ ଚୋରି ପଛର ରହସ୍ୟ; ନିଜ ଝିଅ ବଦଳରେ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ମହିଳା

ଶିଶୁ ପୁତ୍ର ଚୋରି ପଛର କାରଣ ସାମନାକୁ ଆସିଛି। ପୁଅ ମୋହରେ ଅନ୍ଧ ଜଣେ ମହିଳା ନିଜ କଅଁଳା ଝିଅକୁ ଛାଡ଼ି ବଦଳରେ ଅଜଣା ଶିଶୁପୁତ୍ରଟିକୁ ନେଇ ଯାଇଥିଲେ।

author-image
Niharika Rout
Infant

Infant

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ହୋଇଥିବା ଶିଶୁପୁତ୍ର ଚୋରି ଘଟଣାରେ ହୋଇଛି ବଡ଼ ଖୁଲାସା। ଶିଶୁ ପୁତ୍ର ଚୋରି ପଛର କାରଣ ସାମନାକୁ ଆସିଛି। ପୁଅ ମୋହରେ ଅନ୍ଧ ଜଣେ ମହିଳା ନିଜ କଅଁଳା ଝିଅକୁ ଛାଡ଼ି ବଦଳରେ ଅଜଣା ଶିଶୁପୁତ୍ରଟିକୁ ନେଇ ଯାଇଥିଲେ। ପୁଲିସ୍‌ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ବାଲିଆପାଳ ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକ ଓ ପତ୍ନୀ ଟିକିଲି ରାଣୀଙ୍କ ନବଜାତ ଶିଶୁପୁତ୍ରକୁ ଜଣ୍ଡିସ୍ ହୋଇଥିବାରୁ ଗତ ୨ ତାରିଖରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସା ହେଉଥିବା ସମୟରେ ଗତକାଲି ମଧ୍ୟାହ୍ନରୁ ଶିଶୁପୁତ୍ର ନିଖୋଜ ହୋଇଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ସଂପୃକ୍ତ ମହିଳାଙ୍କ ବିଷୟରେ ସୂଚନା ପାଇ ପୁଲିସ ତାଙ୍କୁ ବିଳମ୍ବିତ ରାତିରେ ଧରିଥିଲା। ଏଥିସହ ତାଙ୍କ ନିକଟରୁ ଶିଶୁ ପୁତ୍ରଟିକୁ ପୁଲିସ୍ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। 

ତନାଘନାରୁ ଜଣାଯାଇଛି, ମହିଳା ଜଣକ ନିଜ ଶିଶୁକନ୍ୟାର ଚିକିତ୍ସା କରାଇବା ଲାଗି ମେଡିକାଲ ଆସିଥିଲେ। ଏହି ସମୟରେ ସେ ମେଡିକାଲରେ ଏକ ଶିଶୁପୁତ୍ରକୁ ଦେଖି ନିଜ ଝିଅକୁ ତା ସ୍ଥାନରେ ରଖି ଶିଶୁପୁତ୍ରକୁ ନେଇ ଚାଲିଯାଇଥିଲେ।

Advertisment

ପିଲା ନିଖୋଜ ନେଇ ଶିଶୁପୁତ୍ରର ବାପା ମାଆ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଛାନଭିନ୍ କରିବା ସହ ରେଣୁମା ଦୁର୍ଗାଦେବୀ ଗାଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା। ସମ୍ପୃକ୍ତ ମହିଳାଙ୍କ ବାପ ଘର ବାଲେଶ୍ୱର ଜିଲ୍ଲା ରେଣୁମା ବ୍ଲକ ଦୁର୍ଗାଦେବୀରେ ବୋଲି ଜଣା ପଡ଼ିଛି।

ଉଦ୍ଧାର ଶିଶୁଟିକୁ ମୁଖ୍ୟଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।

Infant Balsore