Advertisment

ଶିକ୍ଷୟିତ୍ରୀ ଓ ଦୁଇ ପୁଅଙ୍କ ମୃତ୍ୟୁ, ସ୍ୱାମୀଙ୍କ କଥାକୁ ନେଇ ସସପେନ୍ସ

ଶିକ୍ଷୟିତ୍ରୀଙ୍କ ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସ୍ୱାମୀ ଭଲ ଅଛନ୍ତି।

Sabitri Behera and her two sons

Sabitri Behera and her two sons

Advertisment

ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସାବିତ୍ରୀ ବେହେରା ଓ ତାଙ୍କର ଦୁଇ ପୁଅଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ହେଁ ତାଙ୍କ ଅବସ୍ଥା ସ୍ଥିର ରହିଛି।

Advertisment

ସାବିତ୍ରୀ ବେହେରାଙ୍କ ସ୍ୱାମୀ ପ୍ରଶାନ୍ତ ଡାକୁଆଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ତାଙ୍କର ଦୁଇ ପୁଅ ଶିବେଶ ଓ ପ୍ରୀତେଶ (ଉଭୟ ଯାଆଁଳା, ସେମାନଙ୍କୁ ୫ ବର୍ଷ ହୋଇଥିଲା) କ୍ଷୀର ଓ ରୁଟି ଖାଇଥିଲେ। ପରେ ଦୁହେଁ କ୍ଷୀର ପିଇଥିଲେ। ସେହିପରି ସେ, ତାଙ୍କ ମା’ ଉର୍ମିଳା ଡାକୁଆ ଓ ପତ୍ନୀ ସାବିତ୍ରୀ ବେହେରା ରୁଟି ସହିତ ପନିର, ପୋଟଳ ତରକାରି ଓ ସନ୍ତୁଳା ଖାଇଥିଲେ। ପରେ କ୍ଷୀର ପିଇ ଶୋଇବାକୁ ଯାଇଥିଲେ।

ରାତି ପ୍ରାୟ ୧୨ଟା ବେଳେ ପ୍ରୀତେଶ ବାନ୍ତି କରିଥିଲେ। ତାଙ୍କୁ ସାବିତ୍ରୀ ପୋଛାପୋଛି କରି ଘରେ ରଖିଥିବା କିଛି ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ତାଙ୍କୁ ଭଲ ଲାଗିଥିଲା ଓ ସେ ଶୋଇପଡ଼ିଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ ଶିବେଶ ପେଟ କାଟୁଛି ବୋଲି କହିଥିଲେ ଓ ଝାଡ଼ା ଯାଇଥିଲେ। ତାଙ୍କର ମଧ୍ୟ ବାନ୍ତି ହୋଇଥିଲା। ତା’ପରେ ଭଲ ଲାଗୁଛି କହି ଶୋଇପଡ଼ିଥିଲେ।

Advertisment

ଏହା ପରେ ପରେ ପ୍ରଶାନ୍ତଙ୍କ ପତ୍ନୀ ସାବିତ୍ରୀ ବେହେରା ଓ ମା’ ଉର୍ମିଳା ଡାକୁଆଙ୍କର ବାନ୍ତି ହୋଇଥିଲା। ସେମାନେ ବାନ୍ତି କରି ଶୋଇଥିଲେ। ତା’ପରେ ପ୍ରଶାନ୍ତଙ୍କର ଝାଡ଼ା ଓ ବାନ୍ତି ହୋଇଥିଲା।

ଭୋର ପ୍ରାୟ ୫ଟା ବେଳକୁ ପ୍ରଶାନ୍ତ ଘର ବାହାରକୁ ଆସି ସମସ୍ତଙ୍କୁ ଡାକ୍ତରଖାନା ନେବାକୁ ଅଟୋ ଖୋଜିଥିଲେ। ଅଟୋ ନପାଇବାରୁ ସେ ପତ୍ନୀଙ୍କ ସ୍କୁଟି ନେଇ ଡାକ୍ତରଖାନା ବାହାରିଥିଲେ। ସେତେବେଳେ ଶେରଗଡ଼ ଥାନାର ଜଣେ କର୍ମଚାରୀଙ୍କ ସହିତ ତାଙ୍କର ଭେଟ ହୋଇଥିଲା ଓ ସେ ପ୍ରଶାନ୍ତଙ୍କୁ ନେଇ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ପ୍ରଶାନ୍ତଙ୍କୁ ସାଲାଇନ ଦିଆଯାଇଥିଲା।

ସାଲାଇନ ଲାଗିବାର କିଛି ସମୟ ପରେ ସୁସ୍ଥ ଅନୁଭବ କରିବାରୁ ପ୍ରଶାନ୍ତ ତାଙ୍କ ଘରକୁ ଫୋନ୍ କରିଥିଲେ। ତାଙ୍କ ମା’ ଉର୍ମିଳା ଡାକୁଆ ଫୋନ୍ ଉଠାଇଥିଲେ ଓ ଅନ୍ୟମାନେ ସମସ୍ତେ ଶୋଇଛନ୍ତି ବୋଲି କହିଥିଲେ। ପ୍ରଶାନ୍ତ ତାଙ୍କ ମା’ଙ୍କୁ କହିଥିଲେ ସମସ୍ତଙ୍କୁ ଉଠାଇ ଡାକ୍ତରଖାନା ଆସିବା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ସୁସ୍ଥ ଅନୁଭବ କରିବା ପରେ ପ୍ରଶାନ୍ତ ଅଟୋ ନେଇ ଘରେ ପହଞ୍ଚିଥିଲେ। ତେବେ ସେତେବେଳକୁ ତାଙ୍କ ଦୁଇ ପୁଅଙ୍କ ଦେହ ଥଣ୍ଡା ପଡ଼ି ସାରିଥିଲା। ସେ ତୁରନ୍ତ ପ୍ରଥମେ ଦୁଇ ପୁଅଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରଶାନ୍ତଙ୍କ କହିବା ଅନୁସାରେ ସେ ପୁଣି ଅଟୋ ନେଇ ଘରକୁ ଯାଇଥିଲେ ତାଙ୍କ ମା’ ଓ ସ୍ତ୍ରୀ ସାବିତ୍ରୀଙ୍କୁ ଡାକ୍ତରଖାନା ଆଣିବା ପାଇଁ। କିନ୍ତୁ ଘରେ ଯାଇ ଦେଖନ୍ତି ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଭାରି ଖରାପ। ସାବିତ୍ରୀ ଅଟୋରେ ଯାଇପାରିବେ ନାହିଁ ବୋଲି କହିଥିଲେ। ତେଣୁ ସେ ତାଙ୍କ ମା’ଙ୍କୁ ଅଟୋରେ ଡାକ୍ତରଖାନା ନେଇଥିଲେ ଓ ପତ୍ନୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡକାଇଥିଲେ। ସେ ମା’ଙ୍କୁ ଡାକ୍ତରଖାନାରେ ଛାଡ଼ିବା ପରେ ସ୍ତ୍ରୀ ସାବିତ୍ରୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସାବତ୍ରୀଙ୍କର ମୃତ୍ୟୁ ଘଟିସାରିଥିଲା। ପ୍ରଶାନ୍ତଙ୍କ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କେଉଁ କାରଣରୁ ଏମିତି ଏକ ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ବିଷକ୍ରିୟା ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ କ୍ଷୀରରେ କେହି ବିଷ ମିଶାଇ ଦେଇଥିବା କଥା ମଧ୍ୟ ଉଠିଛି। ଘରେ ୫ ଜଣ ସଦସ୍ୟ ଥିବା ବେଳେ ସମସ୍ତେ କ୍ଷୀର ପିଇଥିଲେ। ଦୁଇ ଶିଶୁ କ୍ଷୀର ଓ ରୁଟି ଖାଇବା ସହ ଶୋଇବା ପୂର୍ବରୁ କ୍ଷୀର ପିଇ ଥିଲେ। ଅନ୍ୟ ତିନି ଜଣ ରୁଟି ସହିତ ଅନ୍ୟାନ୍ୟ ତରକାରି ଖାଇଥିବା ବେଳେ ଶୋଇବା ପୂର୍ବରୁ କ୍ଷୀର ପିଇଥିଲେ ବୋଲି ପ୍ରଶାନ୍ତ ସୂଚନା ଦେଇଛନ୍ତି। ମୃତକମାନଙ୍କର ଝାଡ଼ା,ବାନ୍ତି ହୋଇଥିଲା ନା ନାହିଁ, ଖାଦ୍ୟ ବିଷକ୍ରିୟା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି ନା କ୍ଷୀରରେ କେହି ବିଷ ମିଶାଇଥିଲେ, ସେ ସବୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଯିବ ବୋଲି ଶେରଗଡ଼ ଡାକ୍ତରଖାନାର ଡାକ୍ତର କାହ୍ନା ଦାସ କହିଛନ୍ତି।

ଡାକ୍ତର ଦାସଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୬ଟା ବେଳେ ପ୍ରଥମେ ପ୍ରଶାନ୍ତ ଡାକୁଆ ଡାକ୍ତରଖାନା ଆସିଥିଲେ। ତାଙ୍କ ପେଟ କାଟୁଥିବା ଓ ତାଙ୍କର ଝାଡ଼ାବାନ୍ତି ହେଉଥିବା କହିଥିଲେ। ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କର ଆଉ ଝାଡ଼ାବାନ୍ତି ହୋଇନଥିଲା। ଚିକିତ୍ସାଧୀନ ଥିବା ବେଳେ ସେ କହିଥିଲେ ଯେ ତାଙ୍କ ଘରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ଝାଡ଼ାବାନ୍ତି ହେଉଛି। ତେଣୁ ସେମାନଙ୍କୁ ମଧ୍ୟ ଆଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପ୍ରଶାନ୍ତଙ୍କୁ କୁହାଯାଇଥିଲା।

ପ୍ରଶାନ୍ତ ସକାଳ ପ୍ରାୟ ୮ଟା ବେଳକୁ ପ୍ରଥମେ ତାଙ୍କର ଦୁଇ ପୁଅଙ୍କୁ ନେଇ ଡାକ୍ତରଖାନା ଆସିଥିଲେ। ସେତେବେଳେକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ସେମାନଙ୍କ ହାତ,ଗୋଡ଼ ଟାଣ ହୋଇଯାଇଥିଲା। ବେଶ୍ କିଛି ସମୟ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ଦୁଇ ଛୁଆଙ୍କୁ ଡାକ୍ତରଖାନା ଆଣିବାର ଅଧାଘଣ୍ଟା ପରେ ପ୍ରଶାନ୍ତ ତାଙ୍କ ମା’ଙ୍କୁ ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ଆବଶ୍ୟକ ଚିକିତ୍ସା କରି ତାଙ୍କୁ ବ୍ରହ୍ମପୁର ରେଫର କରାଯାଇଥିଲା। ପ୍ରାୟ ୯ଟା ବେଳକୁ ପ୍ରଶାନ୍ତ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ସାବିତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କାହ୍ନା ଦାସ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଶାନ୍ତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ ସେହି ଶେରଗଡ଼ ଓ ଅନ୍ୟାନ୍ୟ ଅଞ୍ଚଳରେ କାମ କରନ୍ତି।

Murder Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe