Advertisment

ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ

କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।

Rescued man

Rescued man

Advertisment

ଆଠ ଦିନ ପରେ ବନ୍ଦ କୋଠରୀରୁ ସ୍ଵାମୀଙ୍କୁ ଉଦ୍ଧାର କଲା ପୁଲିସ। ନିଜ ବାପ ଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଆଠ ଦିନ ଧରି ଏକ କୋଠରୀରେ ବନ୍ଦୀ କରି ରଖିଥିଲେ ସ୍ତ୍ରୀ। ଖବର ପାଇ ପୁଲିସ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀଙ୍କୁ ଉଦ୍ଧାର କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟର ବିଜେପୁର ସାହିରେ।

Advertisment

ଗାଁର କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା। ବିଭିନ୍ନ ସମୟରେ ପ୍ରାଣ ରଞ୍ଜନି ସ୍ୱାମୀ କସ୍ତାନ୍ତିନଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବରୁ ପ୍ରାଣ ରଞ୍ଜନି ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଖାଇବାକୁ ନ ଦେଇ ଏକ କୋଠରୀରେ ତାଲା ପକାଇ ବନ୍ଦୀ କରି ରଖିଥିଲେ। ପ୍ରାଣ ରଞ୍ଜନିଙ୍କ ବାପ ଘର ଲୋକେ ମଧ୍ୟ କିସ୍ତାନ୍ତିନଙ୍କୁ ମାରପିଟ କରିଥିଲେ। କୌଣସି ସୂତ୍ରରୁ ଏ ସଂପର୍କରେ ଖବର ପାଇଥିଲେ କସ୍ତାନ୍ତିନଙ୍କ ବଡ଼ ଭାଇ। ତା’ପରେ ସେ ସ୍ଥାନୀୟ ସରପଞ୍ଚ ଓ ପୁଲିସକୁ ଏ ବିଷୟରେ ଜଣାଇଥିଲେ।

ପୁଲିସ କସ୍ତାନ୍ତିନଙ୍କ ଘରେ ପହଞ୍ଚି ତାଙ୍କୁ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲା। ୮ ଦିନ ଧରି ଖାଇ ନଥିବାରୁ ଓ ବନ୍ଦ କୋଠରୀ ଭିତରେ ସ୍ତ୍ରୀ ତାଙ୍କୁ ମାରପିଟ କରିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମୋହନା ମେଡିକାଲକୁ ପଠାଯାଇଥିଲା। ହେଲେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି। କସ୍ତାନ୍ତିନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ବର୍ତମାନ ତାଙ୍କର ମାନସିକ ସ୍ଥିତି ମଧ୍ୟ ଠିକ୍ ନାହିଁ। ଘଟଣା ନେଇ କସ୍ତାନ୍ତିନଙ୍କ ପତ୍ନୀ ପ୍ରାଣ ରଞ୍ଜନିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି କସ୍ତାନ୍ତିନଙ୍କ ବଡ଼ ଭାଇ ପର୍ଶୁରାମ ପରିଛା।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe