Advertisment

ଡାକ୍ତରୀ ଛାତ୍ର ଗିରଫ, ୧୦ ଲକ୍ଷ ନେଇ ଅନ୍ୟ ଜଣଙ୍କ ପାଇଁ ଦେଉଥିଲେ ନିଟ୍

ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି।

ଅଦ୍ୟତନ ହୋଇଛି
Arrest Accused

Arrest Accused

Advertisment

୧୦ ଲକ୍ଷ ଟଙ୍କା ନେଇ ଜଣେ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବା ଜଣେ ଡାକ୍ତରୀ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ଅଙ୍କିତ ରାଜ୍। ତାଙ୍କ ଘର ବିହାରରେ। ସେ କୋଲକାତାର ଏକ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର। ତାଙ୍କ ସହିତ ପୁଲିସ୍ ଆଉ ଦୁଇ ଜଣ- ରାଜେଶ କୁମାର ମଧୁକର ଓ ପ୍ରେମ ଶଙ୍କର ପାଣ୍ଡେଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ମଧ୍ୟ ବିହାରର। ଏହି ମାମଲାର ଆଉ ୩ ଅଭିଯୁକ୍ତ ଫେରାର ଅଛନ୍ତି।

Advertisment

ଘଟଣାଟି ଘଟିଛି ଭଦ୍ରକରେ। ଗତ ୫ ତାରିଖରେ ଭଦ୍ରକର ଏକ ଘରୋଇ ସ୍କୁଲ୍‌ରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ (National Eligibility-cum-Entrance Test ବା NEET) ଅନୁଷ୍ଠିତ ହୋଇଥିଲା। ଶାଶ୍ୱତ ତ୍ରିପାଠୀ ନାମକ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ ଡାକ୍ତରୀ ଛାତ୍ର ଅଙ୍କିତ ରାଜ୍‌। ସେ ନେଇଥିବା ଆଡ୍‌ମିଟ୍ କାର୍ଡରେ ତାଙ୍କ ଫଟୋ ଥିଲା। ତେବେ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଆଧାର କାର୍ଡ ଯାଞ୍ଚ ବେଳେ ବାୟୋମେଟ୍ରିକ୍‌ରେ ତାଙ୍କ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ୍ କରି ନଥିଲା। ଏନେଇ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଅଙ୍କିତ ରାଜ୍‌ଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଲା ଯେ ସେ ମୟୂରଭଞ୍ଜ ଜିଲ୍ଲାର ଶାଶ୍ୱତ ତ୍ରିପାଠୀ ନାମକ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ।

ଭଦ୍ରକ ଏସ୍‌ଡିପିଓ ସୌରଭ ଓତାଙ୍କ ସୂଚନା ଅନୁଯାୟୀ, ନିଜ ପାଇଁ ଜଣେ ନକଲି ପରୀକ୍ଷାର୍ଥୀ ଯୋଗାଡ଼ କରିବା ପାଇଁ ଶାଶ୍ୱତ ତ୍ରିପାଠୀ ଜଣେ ମଧ୍ୟସ୍ଥିଙ୍କୁ ଯୋଗାଯୋଗ କରିଥିଲେ। ସେହି ମଧ୍ୟସ୍ଥି ଜଣେ ଓଡ଼ିଆ ଲୋକ। ସେହି ମଧ୍ୟସ୍ଥି ଯୋଗାଯୋଗ କରିଥିଲେ ରାଜେଶ କୁମାର ମଧୁକରଙ୍କୁ, ଯିଏ ଭୁବନେଶ୍ୱରରେ ରହନ୍ତି। ଏହା ପରେ ରାଜେଶ କୁମାର ମଧୁକର ବିହାରରେ ଥିବା ତାଙ୍କର ଚିହ୍ନା ପରିଚିତ ଆଦିତ୍ୟ କୁମାରଙ୍କୁ ଯୋଗାଯୋଗ କରିଥିଲେ। ଆଦିତ୍ୟ କୁମାର ହେଉଛନ୍ତି ଜଣେ ଆୟୁର୍ବେଦିକ ଡାକ୍ତର। ସେ ବିଏଏମ୍‌ଏସ୍‌ (Bachelor of Ayurvedic Medicine and Surgery) ପାସ୍ କରିଛନ୍ତି। ତାଙ୍କ ସାଙ୍ଗ ହେଉଛନ୍ତି ଅଙ୍କିତ ରାଜ। ଅଙ୍କିତ ରାଜ ମଧ୍ୟ ଆଦିତ୍ୟଙ୍କ ସହିତ ବିଏଏମ୍‌ଏସ୍‌ ପଢୁଥିଲେ। ୨୦୨୦ରେ ବିଏଏମ୍‌ଏସ୍‌ର ଛାତ୍ର ଥିବା ଅଙ୍କିତ ରାଜ ୨୦୨୧ରେ ନିଟ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଏବେ କୋଲକାତାର ଏକ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ର ତୃତୀୟ ବର୍ଷରେ ପଢୁଛନ୍ତି। ଅଙ୍କିତ ରାଜ୍‌ଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ୧୦ ଲକ୍ଷ ଟଙ୍କା ନେଇ ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ନିଟ୍‌ ଦେବାକୁ ରାଜି ହୋଇଯାଇଥିଲେ। ପରେ ଅଭିଯୁକ୍ତମାନେ ଟେକ୍ନୋଲୋଜି ସହାୟତାରେ ଶାଶ୍ୱତ ତ୍ରିପାଠୀଙ୍କ ଆଡ୍‌ମିଟ୍ କାର୍ଡରେ ଅଙ୍କିତ ରାଜ୍‌ଙ୍କ ଫଟୋ ଲଗାଇଥିଲେ। 

Advertisment

ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ପୂରା ନେଟୱର୍କ ବିଷୟରେ ଜଣାପଡ଼ିଯାଇଛି। ଆଉ ୩ ଜଣ (ଟଙ୍କା ଦେଇଥିବା ଛାତ୍ର ଓ ଆଉ ୨ ମଧ୍ୟସ୍ଥି)ଙ୍କୁ ଗିରଫ କରାଯିବ। ଅଙ୍କିତ ରାଜ୍ କିଛି ଟଙ୍କା ପାଇଥିଲେ। ସେ କେତେ ଟଙ୍କା ପାଇଥିଲେ, ସେ ନେଇ ତାଙ୍କ ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଭଦ୍ରକ ଏସ୍‌ଡିପିଓ। ଘଟଣାର ତଦନ୍ତ ଜାରି ରହିଥିବାରୁ ପୁଲିସ ଆଉ ଅଧିକ ସୂଚନା ଦେଇ ନାହିଁ। 

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

NEET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe