Dead Body
ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ହଂସୀପାଟଣା ଗାଁରେ ଜଣେ ଯୁକ୍ତ ୨ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଙ୍କ ନାଁ ଗୌତମ ଲେଙ୍କା।
ଆଜି ସକାଳେ ଗୌତମ ଓ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ସାନ ଭାଇଙ୍କ ମଧ୍ୟରେ ଏକ ବଲ୍କୁ ନେଇ ଝଗଡ଼ା ହୋଇଥିଲା। ଉଭୟଙ୍କୁ ସେମାନଙ୍କ ବାପା ଝଗଡ଼ା ନ କରିବାକୁ ବୁଝାଇଥିଲେ। ପଞ୍ଚମ ଶ୍ରେଣୀରେ ପଢୁଥିବା ଗୌତମଙ୍କ ସାନ ଭାଇ ବାପାଙ୍କ କଥା ମାନିଥିଲେ ଓ ସ୍କୁଲ୍କୁ ଯାଇଥିଲେ। କିନ୍ତୁ ଗୌତମ ବୁଝି ନଥିଲେ। ସେ ଘରୁ କେଉଁଆଡ଼େ ପଳାଇଥିଲେ। ବେଶ୍ କିଛି ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଘର ପଛ ପାର୍ଶ୍ୱରେ ଥିବା ଜଙ୍ଗଲରେ ଏକ ଗଛରେ ଗୌତମ ଝୁଲି ରହିଥିବା ସେମାନେ ଦେଖିବାକୁ ପାଇଥିଲେ।
ଗୌତମଙ୍କୁ ଗଛରୁ ଓହ୍ଲାଇ ପରିବାର ଲୋକେ ସୋର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସୋର ପୁଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତ ଗୌତମଙ୍କ ମାମୁ ହେମନ୍ତ କୁମାର ମହାନ୍ତି କହିଛନ୍ତି, ଆମେ ଜାଣିବା ଭିତରେ ସେ (ଗୌତମ) ଆତ୍ମହତ୍ୟା କରିବାର ସେମିତି କିଛି କାରଣ ନାହିଁ। ଘରେ କୌଣସି ବିଶୃଙ୍ଖଳା ଘଟି ନଥିଲା। ସେ ବି କୌଣସି ସମସ୍ୟା ଦେଇ ଗତି କରୁ ନଥିଲେ। ପରିବାର ଭଲରେ ଚଳୁଥିଲା। କେବଳ ଆଜି ସକାଳେ ସାନ ଭଣଜା ସହିତ ତାଙ୍କର ଏକ ବଲ୍କୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଏହି ଘଟଣା ଘଟିଥିଲା।
ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dead_Body_1709293757.jpg)