/odisha-reporter/media/post_attachments/uploadimage/library/16_9/16_9_0/Deadbody_1749645657.jpg)
Deadbody
ସ୍ନାନ ପୂର୍ଣ୍ଣିମା ପାଇଁ ଆଜି ପୁରୀରେ ଜମିଛି ଲୋକଙ୍କ ଭିଡ଼। ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଗଜାନନବେଶରେ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହୋଇଛି ଭକ୍ତଙ୍କ ସମାଗମ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ମୁତୟନ ହୋଇଛନ୍ତି ୭୦ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ। ଆଉ ତା’ ଭିତରେ ଘଟିଯାଇଛି ଏକ ଅଘଟଣ। ଜଣେ ବରିଷ୍ଠ ସେବାୟତଙ୍କୁ କରାଯାଇଛି ହତ୍ୟା।
ପୁରୀ ଟାଉନ ଥାନା ଗୁଡ଼ିଆସାହି ରାବେଣୀ ଚୌରାରେ ଘଟିଛି ଏହି ଘଟଣା। ମୃତ ସେବାୟତଙ୍କ ନାଁ ଜଗନ୍ନାଥ ଦୀକ୍ଷିତ। ତାଙ୍କୁ ୮୩ ବର୍ଷ ହୋଇଥିଲା।
ଜଗନ୍ନାଥଙ୍କ ଘର ପୁରୀର ମହାସୁଆର ସାହିରେ। ସେ କୌଣସି କାମରେ ଗୁଡ଼ିଆସାହିର ରାବେଣୀ ଚୌରା ସ୍ଥିତ ନାରାୟଣ ପାଟ୍ଟଯୋଶୀଙ୍କ ଘରକୁ ଯାଇଥିଲେ। ସେଠାରେ କ’ଣ ଘଟିଲା ଯେ ରକ୍ତାକ୍ତ ଅବସ୍ଥାରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ନାରାୟଣ ପାଟ୍ଟଯୋଶୀ ଫେରାର ଅଛନ୍ତି। ତେଣୁ ସେ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା କରିଥିବା ସନ୍ଦେହ ଆହୁରି ଦୃଢ଼ ହୋଇଛି।
ପୁରୀ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଗୋକୁଳ ରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହା ମଧ୍ୟରେ ଏକ ସିସିଟିଭିରେ କଏଦ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ନାରାୟଣ ପାଟ୍ଟଯୋଶୀ ମୃତ ଜଗନ୍ନାଥ ଦୀକ୍ଷିତ ମୃତଦେହକୁ ଘର ବାହାରେ ଆଣି ରଖୁଥିବା ଦେଖିବାକୁ ମିଳିଛି।
ପୁଲିସ ପୂରା ଘଟଣାକୁ ପରଖି ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରୁଛି। ତା’ସହିତ ନାରାୟଣ ପାଟ୍ଟଯୋଶୀଙ୍କୁ ଖୋଜୁଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ଖବର ଲେଖାଯିବା ବେଳକୁ ସେମାନଙ୍କ ମଧ୍ୟରେ କେଉଁ କଥାକୁ ନେଇ ଶତ୍ରୁତା ଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ପରେ ଜଗନ୍ନାଥ ଦୀକ୍ଷିତଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ସେହିପରି ନାରାୟଣ ଧରାପଡ଼ିବା ପରେ ଜଗନ୍ନାଥଙ୍କ ସହିତ କ’ଣ ଘଟିଥିଲା, ତାହା ଜଣାପଡ଼ିବ ବୋଲି ଆଲୋଚନା ହେଉଛି।
ପୁରୀ ଏସ୍ପି କହିଛନ୍ତି ଯେ ମୃତକଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
