/odisha-reporter/media/post_attachments/uploadimage/library/16_9/16_9_0/Exam_Hall_1709032499.jpg)
Exam Hall
ଚଳିତ ମାଟ୍ରିକ୍ ପରୀକ୍ଷାରେ ନିଜ ଦାୟିତ୍ୱ ଠିକ୍ ଭାବେ ନ ତୁଲାଇବା ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ନିଲମ୍ବନ କରାଯାଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ନରସିଂହପୁରରେ। ତେବେ ଘଟଣା ଘଟିବାର ୬ ଦିନ ପରେ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଗତ ୨୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ସେହିଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିଲା। ରାଜ୍ୟର ଅନ୍ୟାନ୍ୟ ସ୍କୁଲ୍ ଭଳି ନରସିଂହପୁର ସ୍ଥିତ ଅନନ୍ତ ନାରାୟଣ ଉଚ୍ଚବିଦ୍ୟାଳୟରେ ମଧ୍ୟ ପିଲା ପରୀକ୍ଷା ଦେଉଥିଲେ।
ଏହି କେନ୍ଦ୍ରର ଏକ ରୁମ୍ରେ ପତଣ୍ଡାସ୍ଥିତ ଶଙ୍କର୍ଷଣ ସରକାରୀ ନୋଡାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଅନସୂୟା ମହାରଣା ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ। ପରୀକ୍ଷା ଚାଲିଥିବା ବେଳେ ତାଙ୍କ ଉପସ୍ଥିତିରେ ସେହି କେନ୍ଦ୍ରରେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିବା ମହିଳା ହୋମଗାର୍ଡ ରୀନା ମଲ୍ଲିକ ଜଣେ ଛାତ୍ରଙ୍କୁ କପି ଦେଇଥିଲେ। ଏହା AIରେ ରେକର୍ଡ ହୋଇଥିଲା।
ଘଟଣା ଜଣାପଡ଼ିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅଧିକ ତଦନ୍ତ କରି ଶିକ୍ଷୟିତ୍ରୀ ଅନସୂୟା ମହାରଣାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣା ଘଟିବାର ୬ ଦିନ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଆଜି ତାଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ସମୟରେ ଶିକ୍ଷୟିତ୍ରୀ ଅନସୂୟା ମହାରଣା ନରସିଂହପୁର ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ରିପୋର୍ଟ କରିବେ ବୋଲି ବ୍ଲକ୍ ଭାରପ୍ରାପ୍ତ ଶିକ୍ଷାଧିକାରୀ ଅର୍ଚ୍ଚନାମଞ୍ଜରୀ ଦାଶ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
