Advertisment

ପରକୀୟା ପ୍ରୀତିରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା! ଶିକ୍ଷକ ଗିରଫ

ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ। କିନ୍ତୁ ହତ୍ୟାର କାରଣକୁ ନେଇ ରହିଛି ଦ୍ୱନ୍ଦ୍ୱ।

author-image
Jitendra Garnayak
Somnath Biswal

Somnath Biswal

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରୁ ଗତକାଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପରକୀୟା ପ୍ରୀତିରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ନିଜେ ଅଭିଯୁକ୍ତ ଶିକ୍ଷକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ସୋମନାଥ ବିଶ୍ୱାଳ। ସେ ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟ କରନ୍ତି, ଯେଉଁଠାରେ ପ୍ରଭାତୀ ଦେହୁରୀ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ।

Advertisment

କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି, ଗତକାଲି ଆମେ ପାରିପାର୍ଶ୍ୱିକ ସ୍ଥିତିକୁ ସମୀକ୍ଷା କରିବା ପରେ ହତ୍ୟା ମାମଲା ରୁଜୁ କରିଥିଲୁ। ତଦନ୍ତ ବେଳେ ଆମେ ଜାଣିବାକୁ ପାଇଲୁ ଯେ ପରକୀୟା ପ୍ରୀତି ରହିଥିଲା। ତେଣୁ ଆମେ ସେହି ଦିଗରେ ମଧ୍ୟ ତଦନ୍ତ କଲୁ ଓ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ରେଡ୍‌ କଲୁ। ସେହି ସମୟରେ ଆମେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ବେହେରାଙ୍କ ସହକର୍ମୀ ଶିକ୍ଷକ ସୋମନାଥ ବିଶ୍ୱାଳଙ୍କୁ ଧରିଲୁ। ଜେରା ବେଳେ ସେ ଦୋଷ ସ୍ୱୀକାର କରିଥିଲେ। ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଘରକୁ ଆସିଥିଲେ। ଗ୍ୟାରେଜ ପାଖ କଠୋରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା। ବଚସା ବେଳେ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ତଣ୍ଟି ଚିପି ଦେଇଥିଲେ ବୋଲି କହିଥିଲେ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଅଫିସ କାମକୁ ନେଇ ଆଲୋଚନା ହୋଇଥିଲା। ତା’ ଭିତରେ ସେମାନଙ୍କ ମଧ୍ୟରେ ମତଭେଦ ହୋଇଥିଲା ଓ ଏହା ଝଗଡ଼ାର ରୂପ ନେଇଥିଲା। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେହି ସମୟରେ ରାଗି ଯାଇ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତଣ୍ଟି ଚିପି ମାରି ଦେଇଥିଲେ। ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଥିବା ଯାହା କୁହାଯାଉଛି, ତାହା ଏବେ ତଦନ୍ତାଧୀନ ରହିଛି। ଏବେଠାରୁ ଏ ବିଷୟରେ କିଛି କହିବା ଠିକ୍ ହେବ ନାହିଁ।

ପୁଲିସ୍ ଆଜି ଅଭିଯୁକ୍ତ ଶିକ୍ଷକ ସୋମନାଥ ବିଶ୍ୱାଳଙ୍କୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ୍ କରିଥିଲା। ସେଠାରେ ଅଭିଯୁକ୍ତ ପୁଲିସକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କିପରି ହତ୍ୟା କରିଥିଲେ, ତାହା କରି ଦେଖାଇଥିଲେ। ସୋମନାଥ ବିଶ୍ୱାଳ ଗଣମାଧ୍ୟମକୁ କହିଥିଲେ, ମରାଯାଇ ନଥିଲା। ସେମିତି ଏକ ସ୍ଥିତି ଉତ୍ପନ୍ନ ହୋଇଥିଲା, ଯେଉଁଥି ପାଇଁ ଏହି ଘଟଣା ଘଟିଥିଲା। ହାତ ଟିକେ ଜୋରରେ ପଡ଼ି ଯାଇଥିଲା। ଅଫିସିଆଲି ହେଉ ବା ନନ୍‌ଅଫିସିଆଲି ଆମ ମଧ୍ୟରେ (ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ) ପଇସାପତ୍ର କଥା କେବେ ନଥିଲା। ପରକୀୟା ପ୍ରୀତି ଥିଲା। ୨୦୨୩ରୁ ଏ ସଂପର୍କ ଥିଲା।

Advertisment

ପଇସାପତ୍ରକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ବେହେରାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହୁଥିବା ବେଳେ ନିଜେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ସୋମନାଥ ବିଶ୍ୱାଳଙ୍କୁ ଏକମାତ୍ର ଅଭିଯୁକ୍ତ ଦର୍ଶାଇଥିବା ବେଳେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ନେଇଛନ୍ତି। ଅବଶ୍ୟ ପୁଲିସ କହିଛି ସେ ଦିଗରେ କିଛି ତଥ୍ୟ ମିଳିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ।

Murder