Advertisment

ପ୍ରଶାସନର ଉପସ୍ଥିତିରେ ବିଷ ପିଇଲେ ମହିଳା

ଘର ଭିତରୁ ଏକ ବିଷ ବୋତଲ ଆଣି ସମସ୍ତଙ୍କ ସମ୍ମୁଖରେ ପିଇ ଦେଇଥିଲେ ମିତା ପାଟଶାଣୀ।

Poison

Poison

Advertisment

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କୋଚିଆଖାଲ ଗାଁରେ ସରକାରୀ ଜମି ଉପରେ ନିର୍ମିତ ଏକ ଘରକୁ ଆଜି ପ୍ରଶାସନ ଭାଙ୍ଗିବା ବେଳେ ଜଣେ ମହିଳା ବିଷ ପିଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ମିତା ପାଟଶାଣୀ। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି।

Advertisment

ଦେଉଳି ପଞ୍ଚାୟତ କୋଚିଆଖାଲ ଗ୍ରାମର କୃଷ୍ଣଚନ୍ଦ୍ର ପାଟଶାଣୀ ଦୀର୍ଘ ବର୍ଷ ହେଲା ଏକ ସରକାରୀ ଜମିରେ ଘର କରି ରହୁଛନ୍ତି। ପ୍ରାୟ ଦୁଇ ମାସ ତଳେ ପ୍ରଶାସନିକ ଅଧିକାରୀମାନେ ଘର ଭାଙ୍ଗିବାକୁ ଆସିଥିଲା। ସେତେବେଳେ ଘରର କିଛି ଅଂଶ ଭାଙ୍ଗି ଦିଆଯାଇଥିଲା। ଆଜି ପୁଣି ଥରେ ପୁଲିସ୍‌ ଧରି ପ୍ରଶାସନିକ ଅଧିକାରୀମାନେ କୃଷ୍ଣଚନ୍ଦ୍ରଙ୍କ ଘର ଭାଙ୍ଗିବାକୁ ପହଞ୍ଚିଥିଲେ। ନିଜେ ବେଗୁନିଆ ତହସିଲଦାର ତାପସ ବିଶି ଆସିଥିଲେ। ତେବେ ଘର ନଭାଙ୍ଗିବାକୁ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ମିତା ସେମାନଙ୍କୁ ଅନୁରୋଧ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଘର ଭାଙ୍ଗିବାକୁ ପଡ଼ିବ ବୋଲି ପ୍ରଶାସନିକ ଅଧିକାରୀ ଓ ଉପସ୍ଥିତ ପୁଲିସ୍ ଅଧିକାରୀମାନେ କୃଷ୍ଣଚନ୍ଦ୍ର ଓ ମିତା ପାଟଶାଣୀଙ୍କୁ କହିଥିଲେ।

ଅନୁରୋଧ କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଘର ଭାଙ୍ଗିବାକୁ ଉଦ୍ୟମ କରାଯିବା ମାତ୍ରେ ମିତା ପାଟଶାଣୀ ଘର ଭିତରୁ ଏକ ବିଷ ବୋତଲ ଆଣି ସମସ୍ତଙ୍କ ସମ୍ମୁଖରେ ପିଇ ଦେଇଥିଲେ। ଉପସ୍ଥିତ ଅଧିକାରୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ମିତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପାଟଶାଣୀ କହିଛନ୍ତି, ସରକାରୀ ଜମିରେ ଆହୁରି ଅନେକ ଲୋକ ଘର କରି ରହୁଛନ୍ତି। କିନ୍ତୁ ପ୍ରଶାସନ ଆମ ଉପରେ କାହିଁକି ଦାଉ ସାଧୁଛି, ଆମେ ବୁଝିପାରୁନୁ। ଆମେ ଗରିବ ଲୋକ। ଘର ଭାଙ୍ଗି ଦେଲେ କେଉଁଠି ରହିବୁ।

ବେଗୁନିଆ ତହସିଲଦାର ତାପସ ବିଶି କହିଛନ୍ତି, ଆଜିର ଘଟଣା ପରେ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏବେ ସେମାନଙ୍କ ଘର ଭଙ୍ଗା ଯିବ ନାହିଁ। ମିତା ପାଟଶାଣୀଙ୍କ ଚିକିତ୍ସା ଶେଷ ହେବା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ।

ଖୋର୍ଦ୍ଧାରୁ ବଳରାମ ଲେଙ୍କାଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe