Advertisment

ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ

ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।

author-image
Debadatta Aryashrestha
Delhi Police

Delhi Police

ଦିଲ୍ଲୀରେ ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ବାରମ୍ବାର ମିଳୁଥିବା ଧମକ ମାମଲାର ହୋଇଛି ପର୍ଦ୍ଦାଫାସ। ଭିପିଏନ୍ ବ୍ୟବହାର କରି ମେଲ୍ ଯୋଗେ ଏହି ଧମକ ମିଳୁଥିବାରୁ ଅପରାଧୀକୁ ଧରିବାକୁ ନାକେଦମ ହୋଇଥିଲା ପୁଲିସ। ଏହି ମାମଲାରେ ସମ୍ଭାବ୍ୟ ଆତଙ୍କବାଦୀ ସଂପୃକ୍ତି ଦିଗରେ ମଧ୍ୟ ତଦନ୍ତ କରାଯାଇଥିଲା। ହେଲେ ଶେଷରେ ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ।

Advertisment

ଦିଲ୍ଲୀର ସ୍ୱତନ୍ତ୍ର ଆଇନ ଶୃଙ୍ଖଳା ସିପି ମଧୁପ ତିୱାରୀ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଯୁକ୍ତ୨ ଛାତ୍ରର ଫୋନ୍ ଓ ଲାପଟପ୍ ଯାଂଚ୍ କରାଯାଇଥିଲା। ଏହାପରେ ଜଣାପଡ଼ିଛି ଯେ ଏହି ଛାତ୍ର ଜଣକ ହିଁ ୪୦୦ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ମେଲ୍ ପଠାଇଛି। ପୁଲିସ କହିଛି ଯେ ଏହି ଛାତ୍ର ଏବଂ ଏହାର ଅଭିଭାବକ ଦିଲ୍ଲୀର ଏକ ଏନଜିଓ ସହ ଜଡ଼ିତ ଅଛନ୍ତି। ଏହି ଏନଜିଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ମଧ୍ୟ ଜଡ଼ିତ ଅଛି। ଏହି ଏନଜିଓ ଅଫଜଲ ଗୁରୁକୁ ସମର୍ଥନ କରୁଥିଲା। ଅଫଜଲ ଗୁରୁର ଫାଶୀକୁ ଖୋଲାଖୋଲି ଭାବେ ବିରୋଧ କରିଥିଲା ଏହି ଏନଜିଓ।

କେବେଳ ଏହି ୪୦୦ ମେଲ୍ ନୁହେଁ, ଅଲଗା ଦିନରେ ମଧ୍ୟ ପଠାଯାଇଥିବା ବିଭିନ୍ନ ଧମକପୂର୍ଣ୍ଣ ମେଲ୍ ଓ ଫୋନକଲ୍ ପଛରେ ଏହି ନାବାଳକ ଛାତ୍ରର ହାତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଆଇନ ଶୃଙ୍ଖଳା ସିପି କହିଛନ୍ତି ଯେ ୧୨ ଫେବୃଆରୀ ୨୦୨୪ରୁ ଏଭଳି ଧମକପୂର୍ଣ୍ଣ ମେଲ୍ ଆସିବା ଆରମ୍ଭ ହୋଇଥିଲା। ଏଭଳି ଧମକ କାରଣରୁ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେଉଥିଲା। ହେଲେ କିଏ ଏହି ମେଲ୍ କରୁଛି, ତା' ପାଖରେ ପହଞ୍ଚିବାରେ ନାକେଦମ ହୋଇଥିଲା ପୁଲିସ। ଶେଷରେ ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଏହି ନାବାଳକକୁ ଧରିଛି ପୁଲିସ।

Advertisment

ଘଟଣାର ଏବେ ମଧ୍ୟ ଫରେନ୍ସିକ ଯାଂଚ୍ ଚାଲିଛି। ଛାତ୍ରର ଅଭିଭାବକଙ୍କ ଭୂମିକାକୁ ନେଇ ମଧ୍ୟ ତଦନ୍ତ କରାଯିବ। ସେହିଭଳି ଦିଲ୍ଲୀକୁ ଅସ୍ଥିର କରିବାକୁ ଏହା ପଛରେ କୌଣସି ରାଜନୈତିକ ଦଳର ହାତ ଅଛି କି, ସେନେଇ ମଧ୍ୟ ଯାଂଚ୍ ହେବ। ଅନ୍ୟପଟେ ସେହି ଏନଜିଓର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ଅଛି, ସେନେଇ କିଛି କହିବାକୁ ପୁଲିସ ମନା କରିଦେଇଛି। ହେଲେ ଏପଟେ ସେହି ରାଜନୈତିକ ଦଳ 'ଆପ୍' ବୋଲି ଅଭିଯୋଗ କରିଛି ବିଜେପି। ଅନ୍ୟପଟେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି କରୁଛି ବୋଲି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। 

Bjp AAP Bomb Threat Bomb Threat To School Delhi School Delhi Politics Minor Student In Delhi