Child
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲରୁ ଆଜି ଅପରାହ୍ନରେ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟି ପ୍ରାୟ ମାସକର ହେବ।
ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ସେମାନେ କାନ୍ଦ ଆସୁଥିବା ସ୍ଥାନ ଆଡ଼କୁ ଯାଇଥିଲେ। ସେମାନେ ଶିଶୁଟି ପାଖରେ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଶୁଟି ପାଖରେ କେହି ନଥିଲେ। ଶିଶୁଟିକୁ କେହି ଏକ ଲୁଗାରେ ଶୁଆଇ ଚାଲିଯାଇଥିଲେ।
ଉକ୍ତ ମହିଳାମାନେ ସଙ୍ଗେ ସଙ୍ଗେ ଏନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆଙ୍କୁ ଖବର ଦେଇଥିଲେ। ସରପଞ୍ଚ ସ୍ଥାନୀୟ ଆଶାଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଶିଶୁକନ୍ୟାଟିକୁ ଉଦ୍ଧାର କରି ସରପଞ୍ଚ ଓ ଆଶା କର୍ମୀ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର କହିଛନ୍ତି, ବହୁ ସମୟ ଧରି ଶିଶୁଟି କିଛି ଖାଇ ନଥିବାରୁ ଅସୁସ୍ଥ ହୋଇପଡ଼ିଥିଲା। ତା’ର ଚିକିତ୍ସା କରାଯାଇଛି। ଏବେ ଶିଶୁଟି ସୁସ୍ଥ ଅଛି। ଶିଶୁକନ୍ୟାଟି ପ୍ରାୟ ୨୦/୨୫ଦିନର ହେବ ବୋଲି ଡାକ୍ତର ଅନୁମାନ କରିଛନ୍ତି।
କିଏ ଓ କାହିଁକି ଶିଶୁକନ୍ୟାଟିକୁ ଜଙ୍ଗଲରେ ଏମିତି ଛାଡ଼ି ଚାଲିଯାଇଥିଲେ, ତାହା ଜଣାପଡ଼ିନି। ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ରିପୋର୍ଟ- କରଞ୍ଜିଆରୁ ଦୀପକ ମହନ୍ତ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Child_1696854120.jpg)