Advertisment

ସହିଲାନି ଦଇବ; ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଛୁରୀ ଭୁଷିଥିବା ଭାଇ ଉପରେ ଚଢ଼ିଗଲା ବସ୍‌

ଭଉଣୀ ରକ୍ତର ଛିଟାରେ ଭିଜିଥିବା ଭାଇକୁ ବି ମିଳିଗଲା ସଙ୍ଗେସଙ୍ଗେ ଶାସ୍ତି। ଫେରାର ହେବା ନିମନ୍ତେ ଏକ ଚଳନ୍ତା ବସ୍‌ରେ ଚଢ଼ୁ ଚଢ଼ୁ ଖସି ପଡ଼ି ଚାଲିଗଲା ଅଭିଯୁକ୍ତ ଭାଇର ଜୀବନ ।

author-image
Niharika Rout
Rakhi

Rakhi

ସହିଲାନି ଦଇବ । ସଙ୍ଗେସଙ୍ଗେ ଦେଇଦେଲା ଶାସ୍ତି। ସୁରକ୍ଷାର ପ୍ରତିଶ୍ରୁତି ପାଇବାକୁ ଯେଉଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ସେହି ଭାଇ ପାଲଟିଗଲା ହତ୍ୟାକାରୀ। ଆଉ ରାକ୍ଷୀ ବାନ୍ଧୁ ବାନ୍ଧୁ ଭଉଣୀର ଗଳା କାଟି ଦେଲା। ଭଉଣୀ ରକ୍ତର ଛିଟାରେ ଭିଜିଥିବା ଭାଇକୁ ବି ମିଳିଗଲା ସଙ୍ଗେସଙ୍ଗେ ଶାସ୍ତି। ଫେରାର ହେବା ନିମନ୍ତେ ଏକ ଚଳନ୍ତା ବସ୍‌ରେ ଚଢ଼ୁ ଚଢ଼ୁ ଖସି ପଡ଼ି ଚାଲିଗଲା ଅଭିଯୁକ୍ତ ଭାଇର ଜୀବନ ।

Advertisment

କାଲି ଯିଏ ଏକ ନିଷ୍ପାପ ଜୀବନ ନେଇଥିଲା, ଆଉ ସିଏ ବି ଆର ପାରିକୁ ଚାଲିଗଲା। ଅଭିଯୁକ୍ତ ଭାଇଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ(୨୪) । ଏପରି ଘଟଣା ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ଘଟିଛି।

୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଗତକାଲି ଯାଇଥିଲେ। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ। ହଠାତ୍‌ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ।

Advertisment

ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ। ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ହେଲେ ନଥିଲେ ଆଶୁତୋଷ। ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଛନ୍ତି। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଭଉଣୀ, ଭାଇଙ୍କୁ ଛୁରୀ ଭୁଶିବା ପରେ ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଭାଇ ଆଶୁତୋଷ ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲୀମାଠାରେ ଏକ ଚଳନ୍ତା ସରକାରୀ ବସରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ମାତ୍ର ବସ୍‌ର ବେଗ ଅଧିକ ଥିବାରୁ ସେ ଖସି ପଡିଥିଲେ। ଫଳରେ ବସ୍‌ ଚକା ତାଙ୍କ ଉପରେ ଚଢ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହିଞ୍ଜିଳିକାଟୁ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷ ପାଣିଗ୍ରାହୀର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ସୂଚନା।

Ganjam Murder Rakhi Purnnima