Advertisment

ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର, ପରିବାର ଆଣିଲା ସାଂଘାତିକ ଅଭିଯୋଗ

ପୁଲିସ୍‌ର ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ବବୁଲୁ ଜୀବନ ବିକଳରେ ମହାନଦୀରେ ପଶି ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Deadbody

Deadbody

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ଭୋରରୁ ଚମ୍ପଟ ମାରିଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲୁଙ୍କ ମୃତଦେହ ଆଜି ମହାନଦୀରୁ ଉଦ୍ଧାର ହୋଇଛି। ପୁଲିସ୍‌ର ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ବବୁଲୁ ଜୀବନ ବିକଳରେ ମହାନଦୀରେ ପଶି ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ କ୍ଷତିପୂରଣ ସହ ଯେଉଁ ପୁଲିସ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ବବୁଲୁର ଜୀବନ ଗଲା ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି।

Advertisment

ଏକ ଚୋରି ଘଟଣାରେ ପଚରାଉଚରା ପାଇଁ ପ୍ରାୟ ୩ ଦିନ ପୂର୍ବେ ବବୁଲୁଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିବା ବେଳେ ସେଠାରୁ ସେ ଫେରାର ହୋଇ ଯାଇଥିଲେ। ଏହାପରେ ଆଜି ସକାଳେ ଯୋବ୍ରା ବ୍ୟାରେଜରୁ ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ପରେ ମୃତଦେହ ଚିହ୍ନଟ କରିଛନ୍ତି ବବୁଲୁଙ୍କ ପରିବାର ଲୋକେ ।

ବବୁଲୁ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ହୋଇ ଯାଇଥିବା ନେଇ ଗତକାଲି ସକାଳେ ଖବର ପ୍ରଚାରିତ ହୋଇଥିଲା। ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଜଣେ ବୟସ୍କ କର୍ମଚାରୀଙ୍କୁ ଧକ୍କା ମାରି ବବୁଲୁ ଥାନାରୁ ଚମ୍ପଟ ମାରିଥିବା ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଥିଲେ। ତାଙ୍କୁ ଥାନାରେ କେବଳ ପଚରାଉଚରା କରାଯାଉଥିଲା, କୌଣସି ପ୍ରକାର ନିର୍ଯାତନା ଦିଆଯାଉ ନ ଥିଲା ବୋଲି ଗତକାଲି ସେ ସଫେଇ ଦେଇଥିବା ବେଳେ ଆଜି ବବୁଲୁଙ୍କ ମୃତଦେହ ଉଦ୍ଧାର ହେବା ପରେ ତାତିଛନ୍ତି ପରିବାର ଲୋକେ।

Advertisment

ବବୁଲୁ ନାଁରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ତାକୁ ଉଠାଇ ଆଣି ପୁଲିସ୍‌ ୩ ରାତି ନିର୍ଘାତ ପିଟିଥିବା ତାଙ୍କ ଭଉଣୀ କହିଛନ୍ତି। ଏଥିସହ ସେ କହିଛନ୍ତି, ପୁଲିସ୍‌ ଆମ ଘରୁ ଭାଇକୁ ଉଠାଇ ଆଣିଥିବା ବେଳେ ପଚାରିବାରୁ କିଛି କେସ୍‌ ହେଇନି, ପଚରାଉଚରା କରିବାକୁ ନେଉଛୁ ବୋଲି କହିଥିଲେ। ଏହାପରେ ଆମେ ଭାଇକୁ ଦେଖା କରିବାକୁ ଆସିବାରୁ ଆଇଆଇସି କହିଲେ, ତମକୁ ତମ ଭାଇ ଫେରାଇ ଦିଆଯିବ । ତୁମେ ଘରେ ଶାନ୍ତିରେ ରୁହ । ତୁମ ଭାଇ ଭଲରେ ଅଛି। ତେଣୁ ଏବେ ଆମକୁ ଆମ ଭାଇକୁ ଫେରାଇ ଦିଅ, ଆମେ ପଳାଇବୁ ବୋଲି କହିଛନ୍ତି ତାଙ୍କ ଭଉଣୀ ।

ଏଥିସହ ସେ କହିଛନ୍ତି, ପୁଲିସ୍‌ ୩ ରାତି ଆମ ଭାଇକୁ ପିଟିଛି। ନିର୍ଯାତନା ଅସହ୍ୟ ହେବାରୁ ଜଣେ ପୁଲିସ୍‌ ଶୋଇଥିବା ବେଳେ ସେ ଦୌଡ଼ି ପଳାଇଛି। ଏନେଇ ପୁଲିସ୍‌କୁ ପଚାରିବାରୁ ପ୍ରଥମେ କହିଲେ, ସେ ଏଠାକୁ ଆସିନି। ତା’ ପରେ କହିଲେ ଚପଲ ଅଛି, ମେଡିକାଲ ଯାଇଛି। ହେଲେ ଏବେ ମୃତଦେହ ଦେଉଛନ୍ତି। ଆମ ଭାଇ ମୃତଦେହ କେବେଠୁ ଭାସୁଛି, ପୁଲିସ୍‌ ଆମକୁ ଏବେ ମୃତଦେହ ଦେଉଛି ବୋଲି ତାଙ୍କ ଭଉଣୀ କହିଛନ୍ତି। 

ପୁଲିସ୍‌ ଚାହିଁଥିଲେ ଆମ ଭାଇକୁ ବଞ୍ଚାଇ ପାରିଥାନ୍ତା। ହେଲେ ପୁଲିସ୍‌ ଜାଣିଶୁଣି ବସି ରହିଲା। ଭାଇ ମହାନଦୀରେ ପଶିଥିବା ଭିଡିଓ ଭାଇରାଲ ହେଉଥିବା ବେଳେ ପୁଲିସ୍‌ ଜାଣିଶୁଣି କିଛି କଲାନି। ଏବେ କହୁଛି ଡେଡବଡି ନେଇଯା। ଆମେ କିପରି ବଞ୍ଚିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବବୁଲୁଙ୍କ ଭଉଣୀ ।

ବବୁଲୁଙ୍କ ମୃତଦେହକୁ ବ୍ୟବଚ୍ଛ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ କରାଯିବ । ଯଦି କାହାର ଅବହେଳା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଥିବେ, ତା’ହେଲେ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି।

Police Negligence Cuttack Commissionerate Police Deadbody