Advertisment

ପ୍ରଥମ ପତ୍ନୀଙ୍କୁ ହତ୍ୟା କରି ଜେଲ ଯାଇଥିଲେ, ଏବେ ଏବେ ଦ୍ୱିତୀୟ ପତ୍ନୀଙ୍କୁ ବି ମାରିଲେ!

ହତ୍ୟାର କିଛି ଦିନ ପୂର୍ବରୁ ରେଖା ସ୍ୱାମୀ ପ୍ରେମ କୁମାରଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ।

author-image
Hemant Lenka
Police

Police

କେନ୍ଦ୍ରୀୟ କେରଳର ଗୋଟିଏ ଆବାସିକ ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ପୁଲିସର ନିଦ ହଜାଇ ଦେଇଛି। ଏବେ ପୁଲିସ୍‌ ହତ୍ୟାକାରୀକୁ ଧରିବା ପାଇଁ ଦିନ ରାତି ଏକ କରିଦେଇଛି। ବିଭିନ୍ନ ଜିଲ୍ଲାରେ ପୁଲିସ୍‌ ଘନଘନ ରେଡ କରି ହତ୍ୟାକାରୀକୁ ଧରିବାକୁ ଚେଷ୍ଟା କରୁଛି।

Advertisment

ଥ୍ରୀସୁରର ପାଡିୟୋର ଗାଁରେ ଘର ଭଡ଼ା ନେଇ ରହୁଥିବା ଜଣେ ୭୪ ବର୍ଷୀୟ ମହିଳା ଓ ତାଙ୍କର ୪୩ ବର୍ଷୀୟ ଝିଅଙ୍କ ଅଧା ପୋଚି ଯାଇଥିବା ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ସେମାନଙ୍କ ମୃତଦେହକୁ ପୁଲିସ୍‌ ଘର ଭିତରୁ ଜବତ କରିଛି।

ମୃତକ ହେଲେ କାରାଲାମ ଭେଲ୍ଲାନିର ମୂଳବାସିନ୍ଦା ମଣି ଓ ତାଙ୍କ ଝିଅ ରେଖା। ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ମଣିଙ୍କ ବଡ଼ ଝିଅ ସିନ୍ଧୁଙ୍କୁ ଖବର ଦେଇଥିଲେ। ସିନ୍ଧୁ ଇରିନଜାଲାକୁଡା ବାଳକ ବିଦ୍ୟାଳୟରେ କାମ କରନ୍ତି। ପଡ଼ୋଶୀଙ୍କ ଠାରୁ ଖବର ପାଇ ସିନ୍ଧୁ ସେଠାରେ ପହଞ୍ଚିବା ସହ ଘରର ପଛ ପାଖ ଦେଇ ଭିତରକୁ ଯାଇଥିଲେ। ଘର ଭିତରେ ଜିନିଷପତ୍ର ଏଣେତେଣେ ପଡ଼ିଥିବା ବେଳେ ମଣି ଓ ରେଖାଙ୍କ ମୃତଦେହକୁ ସେ ଠାବ କରିଥିଲେ। ଏହାକୁ ଦେଖି ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଦୁଇ ମହିଳାଙ୍କୁ ତଣ୍ଟି ଚିପି କିମ୍ବା ଅଣନିଃଶ୍ୱାସୀ କରି ହତ୍ୟା କରାଯାଇଛି। ହତ୍ୟାର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ। ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହର ବ୍ୟବଚ୍ଛେଦ କରାଯାଉଛି।

ଏହି ଡବଲ ମର୍ଡର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରେଖାଙ୍କ ସ୍ୱାମୀ ୪୮ ବର୍ଷୀୟ ପ୍ରେମ କୁମାର ବୋଲି ପୁଲିସ୍‌ ଅନୁମାନ କରୁଛି। କୋଟ୍ଟାୟାମ ଜିଲ୍ଲାର ପ୍ରେମ କୁମାରଙ୍କ ନାଁ ଏକାଧିକ ଅପରାଧିକ ମାମଲା ରହିଛି। ସେ ରେଖାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୯ରେ ସେ ତାଙ୍କ ପ୍ରଥମ ପତ୍ନୀ ବିଦ୍ୟାଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଥିଲେ। ଏବେ ସେ ବେଲରେ ମୁକୁଳିଛନ୍ତି। ଉକ୍ତ ମାମଲାରେ ସେ ବିଦ୍ୟାଙ୍କୁ ହତ୍ୟା କରିବା ପରେ ଗୋଟିଏ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଦ୍ୱିତୀୟ ପତ୍ନୀ ଓ ଶାଶୁଙ୍କ ମଧ୍ୟ ପ୍ରେମ କୁମାର ହତ୍ୟା କରିଥିବା କୁହାଯାଉଛି। ପୁଲିସ୍‌ ଗୋଟିଏ ହାତ ଲେଖା ଚିଠି ଘର ଭିତରୁ ଠାବ କରିଛି। ଏହି ଧମକଭରା ଚିଠିକୁ ପ୍ରେମ କୁମାର ଲେଖିଥିବା ପୁଲିସ୍‌ ନିଶ୍ଚିତ କରିଛି। ହେଲେ ଚିଠିରେ ଥିବା ବିଷୟବସ୍ତୁ ସମ୍ପର୍କରେ ପୁଲିସ୍‌ ବିସ୍ତୃତ ସୂଚନା ଦେଇ ନାହିଁ।

ହତ୍ୟାର କିଛି ଦିନ ପୂର୍ବରୁ ରେଖା ସ୍ୱାମୀ ପ୍ରେମ କୁମାରଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସୋମବାର ଉଭୟ ପତି-ପତ୍ନୀଙ୍କୁ ପୁଲିସ୍‌ କାଉନସେଲିଂ ପାଇଁ ଡାକିଥିଲା। ହେଲେ ସେମାନେ ଥାନାକୁ ଆସି ନଥିଲେ। ଏବେ ରେଖା ଓ ତାଙ୍କ ମା’ଙ୍କ ମୃତଦେହ ଜବତ ହେବା ପ୍ରେମ କୁମାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

Murder Crime