ସମ୍ବଲପୁର କଣ୍ଟାପାଲିରେ ହାଇୱା ମଡ଼ାଇ ୨ ବିଜେପି ନେତାଙ୍କୁ ହତ୍ୟା ମାମଲା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲାରେ ଅଭିଯୁକ୍ତ ଡ୍ରାଇଭରକୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ।
ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୁଲିସ। ତେବେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି JMFC କୋର୍ଟ । ଗତରାତିରେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟଚାଲାଣ କରାଯାଇଥିଲା।
ଡ୍ରାଇଭରଜଣକ କ’ଣ ପାଇଁ ଏପରି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇଲେ, ଘଟଣା ବେଳେ ତାଙ୍କ ସହ କିଏ ଥିଲେ କି ? ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ପାଇଥିଲା କି ଡ୍ରାଇଭର ? ଡବଲ ମର୍ଡର ପଛରେ ବେଆଇନ୍ ଫ୍ଲାଇ ଆସ୍ ପରିବହନକୁ ବିରୋଧ, ଏକ କାରଣ ନୁହେଁ ତ ? ନା ମୃତ ଦେବେନ୍ଦ୍ର କିମ୍ବା ଗାଡ଼ିରେ ଥିବା ଅନ୍ୟ ୫ ବିଜେପି ନେତା, ଅନ୍ୟ କେଉଁ କାରଣ ପାଇଁ କାହାର ଟାର୍ଗେଟରେ ଥିଲେ କି ? ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ ଟକରା ଟକରି ହତ୍ୟା ପଛର କାରଣ ନୁହେଁ ତ ? ଏ ତମାମ ଦିଗକୁ ନେଇ ତଦନ୍ତ ଜାରି ଥିବା ବେଳେ, ୩ ଦିନିଆ ରିମାଣ୍ଡ ବେଳେ ଅଭିଯୁକ୍ତକୁ ଘାଣ୍ଟିବ ପୋଲିସ। ସତ ଆଦାୟ କରିବାକୁ ଚେଷ୍ଟା କରିବ ।
ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ମୃତକ ଦ୍ୱୟ ହେଲେ ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।