Advertisment

କୋଟିପତି ଯୋଗାଣ ଅଧିକାରୀ; ୨.୮୬ କୋଟି ଟଙ୍କାର ଜମା ସହିତ ଅଛି କୋଠା, ପ୍ଲଟ, ଜମି

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ୮୫୦ ଗ୍ରାମ ସୁନା ମିଳିଛି। ସେଥିରେ ୪ଟି ସୁନା ଇଟା ରହିଛି।

author-image
Jitendra Garnayak
ACSO Pradeep Mohapatra

ACSO Pradeep Mohapatra

ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି।

Advertisment

ପ୍ରଦୀପଙ୍କର ଭୁବନେଶ୍ୱରର ଲିଙ୍ଗିପୁରରେ ଏକ ଦ୍ୱିମହଲା କୋଠା ଅଛି। କଟକ ମଧୁପାଟଣାରେ ଗୋଟିଏ କୋଠା ଏବଂ ଭୁବନେଶ୍ୱର ଓ କଟକରେ ୨ଟି ପ୍ଲଟ୍‌ ଅଛି। ଭୁବନେଶ୍ୱରର ଲିଙ୍ଗିପୁର ଓ କଟକର କଲ୍ୟାଣୀ ନଗରରେ ତାଙ୍କର ଗୋଟିଏ ଲେଖାଏଁ ଜମି ଅଛି। ତାଙ୍କର ଏହି ସବୁ ଘର, ପ୍ଲଟ ଓ ଜମିର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଭିଜିଲାନ୍ସର ବୈଷୟିକ ଟିମ୍‌ କରୁଛି।

ଏହା ବ୍ୟତୀତ ପ୍ରଦୀପ ମହାପାତ୍ର ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ଜମା ରଖିଛନ୍ତି। ସେଥିରୁ ୧ କୋଟି ୩୪ ଲକ୍ଷ ୫୦୫ ଟଙ୍କା ଡାକଘରେ ସଞ୍ଚୟ କରିଥିବା ବେଳେ ବ୍ୟାଙ୍କରେ ଜମା ରଖିଛନ୍ତି ୬୯ ଲକ୍ଷ ୯ ହଜାର ୬୯ ଟଙ୍କା। ମ୍ୟୁଚୁଆଲ ଫଣ୍ଡରେ ସେ ୮୩ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ସେ ବୀମା ବାବଦକୁ କେତେ ଟଙ୍କା ଜମା ରଖିଛନ୍ତି, ତା’ର ଖୋଳତାଡ଼ ଜାରି ରହିଛି।

Advertisment

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ୮୫୦ ଗ୍ରାମ ସୁନା ମିଳିଛି। ସେଥିରେ ୪ଟି ସୁନା ଇଟା ରହିଛି। ଏକ ହୀରା ହାର ମଧ୍ୟ ତାଙ୍କ ଘରୁ ଜବତ ହୋଇଛି। ଏହା ସହିତ ତାଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା ଜବତ ହୋଇଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡି (ମାରୁତି ସ୍ୱିଫ୍ଟ) ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି।

ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରହିଛି।

Odisha Vigilance Vigilance Raid Vigilance Net