Advertisment

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୪ କୋଠା ଓ ୯ ପ୍ଲଟ ସହିତ ଅନ୍ୟାନ୍ୟ ସମ୍ପତ୍ତି ଠାବ

ଯନ୍ତ୍ରୀଙ୍କ ଘରୁ ନଗଦ ୬ ଲକ୍ଷ ୫୭ ହଜାର ୫୦୦ ଟଙ୍କା ମିଳିଛି। ତାଙ୍କର ଦୋକାନ ଘର ବି ଅଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
AEE Dileswar Majhi

AEE Dileswar Majhi

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଏହି ସମ୍ପତ୍ତି ମଧ୍ୟରେ ରହିଛି ୪ଟି କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୯ଟି ଦାମୀ ପ୍ଲଟ୍‌ ଓ ୩୦୦ ଗ୍ରାମ ସୁନାଗହଣା। ଏହା ସହିତ ଅନ୍ୟାନ୍ୟ ଜିନିଷ ଠାବ କରାଯାଇଥିବା ବେଳେ ନଗଦ ୬ ଲକ୍ଷ ୫୭ ହଜାର ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

Advertisment

ସମ୍ବଲପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ଏହାର ତଳ ମହଲାରେ ଏକ ବ୍ୟୁଟି ପାର୍ଲର ରହିଛି, ଯାହାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଡିଲେଶ୍ୱର ମାଝୀଙ୍କ ପତ୍ନୀ ଚଲାନ୍ତି।

ଝାରସୁଗୁଡ଼ାର ବ୍ରଜରାଜନଗରରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି। ସେଠାରେ ତାଙ୍କର ୪ଟି ଦୋକାନ ଘର ମଧ୍ୟ ଅଛି। ସେହିପରି ଝାରସୁଗୁଡ଼ାର ଲହନ୍ଦାପୁରରେ ତାଙ୍କର ୨ଟି କୋଠା ଅଛି।

Advertisment

ଶ୍ରୀ ମାଝୀଙ୍କର ୯ଟି ଦାମୀ ପ୍ଲଟ ଥିବା ବେଳେ ସେଥିରୁ ୬ଟି ସମ୍ବଲପୁର ସହର ଉପକଣ୍ଠରେ, ଗୋଟିଏ ସମ୍ବଲପୁର ସହରରେ, ଗୋଟିଏ ବ୍ରଜରାଜନଗରରେ ଓ ଆଉ ଗୋଟିଏ ଝାରସୁଗୁଡ଼ାର ବଡ଼ମାଲରେ ଅଛି। ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ଏହି ସବୁ ଘର, ଦୋକାନ ଓ ପ୍ଲଟଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ ଜାରି ରହିଛି।

ତାଙ୍କ ଘରୁ ନଗଦ ୬ ଲକ୍ଷ ୫୭ ହଜାର ୫୦୦ ଟଙ୍କା ସହିତ ୩୦୦ ଗ୍ରାମ ସୁନାଗହଣା ମିଳିଛି। ସେହିପରି ତାଙ୍କର ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ବାବଦକୁ ୨୦ ଲକ୍ଷ ଟଙ୍କା ଠାବ କରାଯାଇଛି। ସେହିଭଳି ସେ କେଉଁଠି କେତେ ନିବେଶ କରିଛନ୍ତି, ସେ ନେଇ ଯାଞ୍ଚ ଚାଲିଛି। ତାଙ୍କର ଗୋଟିଏ କାର (ସ୍ୱିଫ୍‌ଟ ଡିଜାୟାର) ଓ ଦୁଇଟି ଦୁଇ ଚକିଆ ଗାଡ଼ି ରହିଛି।

ଭିଜିଲାନ୍ସ ପକ୍ଷରୁ ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବଲାଙ୍ଗିର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଶ୍ରୀ ମାଝୀଙ୍କର ୬ଟି ଠିକଣାରେ ଚଢ଼ାଉ କରିଥିବା ବେଳେ ଯାଞ୍ଚ ଜାରି ରହିଛି।

Vigilance Raid Odisha Vigilance