ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ!

ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ

ଅଫିମ ଚାଷ

  • Published: Wednesday, 13 March 2024
  • , Updated: 13 March 2024, 08:11 PM IST

ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଏକର ଏକର ଜମିରେ ଚାଲିଛି କୋଟି କୋଟି ଟଙ୍କାର ଅଫିମ ଚାଷ। ଅଭୟାରଣ୍ୟର କୋର୍ ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଥିବା ନିଶାଦ୍ରବ୍ୟର ଏହି ଫସଲ ବିଷୟରେ ଜାଣିବା ପରେ ଗତ ୨ ମାସ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଅଫିମ ନଷ୍ଟ କରାଗଲାଣି। ଆହୁରି ଏଭଳି ଅନେକ ଏରିଆ ଅଛି ଯେଉଁଠି, ଏବେବି ବେଧଡ଼କ ଚାଷ ଚାଲିଛି ଅଫିମ ଚାଷ।

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ହବ୍ ହେଉଛି ଶିମିଳିପାଳ। ଅଭୟାରଣ୍ୟ କୋର୍ ଏରିଆର କୁକୁରଭୁକା ଗାଁରେ ଚାଲିଛି ଘନ ଘନ ଅଫିମ ଚାଷ। ପୁଲିସ, ଅବକାରୀ ଓ ବନ ବିଭାଗର ନାକ ତଳେ ମାଫିଆ ବେଧଡ଼କ ଫଳାଉଛନ୍ତି ଅଫିମ।

ଶିମିଳିପାଳ କୋର୍ ଏରିଆର ବକୁଆ ଗାଁରେ ପୋସ୍ତୋ ଚାଷ ନାଁରେ ଏଠି ବି ଫଳାଯାଇଛି କୋଟି କୋଟି ଟଙ୍କାର ଅଫିମ। ଚାଷୀ ଜାଣୁଛନ୍ତି ପୋସ୍ତୋ ଚାଷ, ହେଲେ ମାଫିଆ, ଅଫିମ ଅମଳ କରି ମାଲାମାଲ। କେବଳ ଏହି ଦୁଇ ଗାଁ ନୁହେଁ, ଅଭୟାରଣ୍ୟର କୋର୍ ଏବଂ ବଫର୍ ଅଞ୍ଚଳରେ ରହିଥିବା ବୁଢାବଳଙ୍ଗ, ବାଗଡେଗା, ବଳରାମପୁର, ବେନିପୁର, ସାହୁଦା, ବନ୍ଦିରାବସା, ଫୁଲବାଡ଼ି, ଜଜଗଡ଼ା ଏବଂ ଲେମ୍ଭୁଗଡ଼ାର ଏକର ଏକର ଜମିରେ କୋଟି କୋଟି ଟଙ୍କାର ଅଫିମ ଚାଷ ଚାଲିଥିବା ସୂଚନା ମିଳିଛି।

୧୦ ତାରିଖରେ ବନବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ କରିଥିଲା। ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଥିଲେ ଟିମ୍। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ। ସେଦିନ ଜଶିପୁର ରେଂଜ୍ ଜେନାବିଲ, ଖେଜୁରୀ ଏବଂ ଜଜଗଡ଼ାରେ ଅବକାରୀ ଟିମ୍ ଚଢାଉ କରି ୩ ଲକ୍ଷ ୮୫ ହଜାର ଅଫିମ ଗଛ ନଷ୍ଟ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୭ କୋଟି ୭୦ ଲକ୍ଷ ହେବ। ତାପୂର୍ବରୁ ଗତ ଫେବ୍ରୁଆରୀ ୨୪ ତାରିଖରେ ଶିମିଳିପାଳ କୋର ଏରିଆରେ ୨୬ ଲକ୍ଷର ଅଫିମ ଗଛ ନଷ୍ଟ କରାଯାଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି। ହେଲେ ଧରାପଡୁନାହାଁନ୍ତି ଜଣେ ବି ମାଫିଆ।

Related story