Advertisment

ଝିଅ ପ୍ରେମ ବିବାହ କଲେ ବୋଲି... ୧୮ ଘଣ୍ଟା ପଡ଼ିଲା ମାଆର ମୃତଦେହ

ପତ୍ନୀଙ୍କ ମୃତଦେହ ସତ୍କାର କରିବା ପାଇଁ ଜାତିଭାଇଙ୍କୁ କେତେ ନେହୁରା ଓ ଗୁହାରୀ କଲେ ବିଭୀଷଣ। ହେଲେ କେହି ଶୁଣିଲେ ନାହିଁ କି ଆସିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ନିଜ ଭାଇମାନଙ୍କ ପାଖକୁ ଯାଇଥିଲେ।

Patnagarh

Patnagarh

Advertisment

ଶାନ୍ତି ଓ ସଦ୍‌ଭାବନା ପାଇଁ ଚାଲିଛି ନବରାତ୍ର ପୂଜା। ଧରାପୃଷ୍ଟରେ ଅବତରଣ ପାଇଁ କରାଯାଉଛି ମାଆଙ୍କ ଆରାଧନା। ସବୁଠି ଉତ୍ସବର ମାହୋଲ୍‌। ହେଲେ ଏଠି ଶୋକାକୁଳ ପରିବେଶ। ଜଣେ ମାଆଙ୍କ ମୃତଦେହ ସଂସ୍କାର ହୋଇପାରୁନି। ୧୮ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଛି ମୃତଦେହ। ଜାତି ଭାଇଙ୍କ ବାସନ୍ଦ ଯୋଗୁ ମୃତଦେହ ସଂସ୍କାର ହୋଇପାରୁନଥିବା ଅଭିଯୋଗ ହେଉଛି। ସେ ମାଆର ଭୁଲ୍‌ ଏତିକି, ତା’ ଝିଅ ପ୍ରେମିକ ସହିତ ପଳାଇଗଲା ବୋଲି...।

Advertisment

ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମାଲିମୁଣ୍ଡା ଗାଁ ବିଭୀଷଣ ବାଗ କୁଲି ମଜୁରୀ ଲାଗି ଚଳନ୍ତି। ତାଙ୍କର ପରିବାର କହିଲେ ପତ୍ନୀ ଶଙ୍ଖ ଓ ଏକ ମାତ୍ର ଝିଅ। ବେଶ୍‌ ହସଖୁସିରେ ଚାଲିଥିଲା ପରିବାର। କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଦେଢ଼ ବର୍ଷ ତଳେ ବିଭୀଷଣଙ୍କ ଝିଅ ପ୍ରେମ କରି ଅନ୍ୟ ଜାତିର ଜଣେ ପୁଅ ସହିତ ପଳାଇଗଲେ। ଏହାକୁ ହସ୍ୟ କରିପାରିଲେ ନାହିଁ ନିଜ ଜାତିଭାଇ।

ଝିଅ ତା’ ପ୍ରେମିକ ସହିତ ପଳାଇଗଲା ପରେ ବିଭୀଷଣଙ୍କୁ ତାଙ୍କ ଜାତି ଭାଇ ଏକ ଘରିଆ କରିଦେଲେ। କୌଣସି କର୍ମକାର୍ଯ୍ୟରେ ସାମିଲ୍‌ କରାଇଲେ ନାହିଁ। କଥାବାର୍ତ୍ତା କଲେନାହିଁ। ଏପରିକି ବିଭୀଷଣଙ୍କ ସହିତ ସମ୍ପର୍କ ନରଖିବାକୁ ନିଜ ଭାଇମାନଙ୍କୁ ମଧ୍ୟ ଅନୁମତି ଦେଲେନାହିଁ। ଯେଉଁ ଭାଇ ତାଙ୍କ(ବିଭୀଷଣ) ସହିତ କଥା ହେବେ, ତାଙ୍କୁ ମୋଟା ଅଙ୍କର ଜରିମାନା କରାଯିବ ବୋଲି ଜାତି ଭାଇ ଧମକ ଦେଇଥିଲା। ଯେଉଁଥିପାଇଁ ନିଜ ରକ୍ତ ସମ୍ପର୍କଙ୍କର ଭାଇଙ୍କର ମନ ଥିଲେ ମଧ୍ୟ କଥା କହିବାକୁ ସାହାସ କରିପାରୁନଥିଲେ। ଯାହାହେଉ ଦୁଃଖେ କଷ୍ଟେ ଚଳି ଯାଉଥିଲେ ବିଭୀଷଣ।

Advertisment

ଗତ କିଛି ଦିନ ତଳେ ବିଭୀଷଣଙ୍କ ପତ୍ନୀ ଶଙ୍ଖ ଅସୁସ୍ଥ ହୋଇପଡ଼ିଥିଲେ। ଘରେ ମେଡ଼ିସିନ୍‌ ଖାଉଥିଲେ। ହେଲେ ଭଲ ହେଉନଥିଲା। ମଙ୍ଗଳବାର ହଠାତ୍‌ ଶଙ୍ଖଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ବିଭୀଷଣ ପତ୍ନୀଙ୍କ ମୃତଦେହକୁ ଧରି ଘରେ ପହଞ୍ଚିଲେ।

Patnagarhସ୍ୱେଚ୍ଛାସେବୀମାନେ ମହିଳାଙ୍କ ମୃତଦେହ ସଂସ୍କାର କରିବାକୁ ନେଉଛନ୍ତି

ପତ୍ନୀଙ୍କ ମୃତଦେହ ସତ୍କାର କରିବା ପାଇଁ ଜାତିଭାଇଙ୍କୁ କେତେ ନେହୁରା ଓ ଗୁହାରୀ କଲେ ବିଭୀଷଣ। ହେଲେ କେହି ଶୁଣିଲେ ନାହିଁ କି ଆସିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ନିଜ ଭାଇମାନଙ୍କ ପାଖକୁ ଯାଇଥିଲେ। ଜାତି ଭାଇଙ୍କ ନାଲି ଆଖିରେ ଭୟଭୀତ ଥିବା ଭାଇମାନେ ଆସିବାକୁ ସାହସ କରିପାରିଲେ ନାହିଁ। ଯେଉଁଥିପାଇଁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରୁ ଆଜି(ବୁଧବାର) ୧୨ଟା ପର୍ଯ୍ୟନ୍ତ ଘର ଭିତରେ ପଡ଼ି ରହିଲା ମୃତଦେହ। କିଛି ଉପାୟ ନପାଇ ପତ୍ନୀଙ୍କ ମୃତଦେହ ପାଖରେ ବସି କାନ୍ଦୁଥିଲେ ବିଭୀଷଣ। ନିଜ ଭାଗ୍ୟକୁ ନିନ୍ଦା ମଧ୍ୟ କରୁଥିଲେ।

୧୮ ଘଣ୍ଟା ଧରି ଶବ ସତ୍କାର ହୋଇପାରୁନଥିବା ଖବର ପାଇ ନାଏବ ସରପଞ୍ଚ ଓ କିଛି ନେତା ପହଞ୍ଚିଥିଲେ। ଶବ ସତ୍କାର ପାଇଁ ସେମାନେ ସାହି ଭାଇଙ୍କୁ ଡାକିଥିଲେ। ହେଲେ କେହି ଅସିଲେନାହିଁ। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଥିଲା। ଗାଁରେ ପହଞ୍ଚିଥିଲେ ବେଲପଡା ତହସିଲଦାର। ସେ ସେବା ଚାରିଟେବୁଲ୍‌ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଡକାଯାଇଥିଲେ।

ରୀତିନୀତି ଅନୁସାରେ ୧୮ ଘଣ୍ଟା ପରେ ସ୍ୱେଚ୍ଛାସେବୀମାନେ ଶଙ୍ଖଙ୍କ ମୃତଦେହକୁ ସଂସ୍କାର କରିଥିଲେ। ସ୍ଥାନୀୟ ଜଙ୍ଗଲରେ ଜଳିଲା ଶଙ୍ଖଙ୍କ ଜୁଈ। ଆଉ ପାଉଁଶର ରୂପ ନେଲେ ବିଭୀଷଣଙ୍କ ପତ୍ନୀ। ସେପଟେ ଘଟଣାର ତଦନ୍ତ କରାଯିବା ସହ ଆଗକୁ ଯେପରି ଏପରି ଘଟଣା ନଘଟିବ, ସେଥିପ୍ରତି ପ୍ରୟାସ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଯାଦବ ସମାଜର ବରିଷ୍ଠ କର୍ମକର୍ତ୍ତା।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର/ପାଟଣାଗଡ଼ରୁ କରୁଣାକର ବୁଡେକ

Balangir Superstition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe