Advertisment

ଭୁବନେଶ୍ୱର, କଟକ ପରେ ରାଞ୍ଚି ଗଲା କମିଶନରେଟ୍‌ ପୁଲିସ୍‌

ଭୁବନେଶ୍ୱର ଆସିଥିବା ବେଳେ ଆଶାଦ୍ଦୁର ଲିଙ୍ଗରାଜ ହୋଟେଲରେ ରହିଥିଲା। ଏନେଇ ପୁଲିସକୁ ସୂଚନା ଦେଇଛି ରାଜୁ। ଆଜି ଏହି ହୋଟେଲରେ ଛାନଭିନ କରିଛି ପୁଲିସ। ତେବେ ସେଠାରୁ ସେଭଳି କିଛି ତଥ୍ୟ ପାଇନି।

author-image
Manoranjan Sial
ଅଦ୍ୟତନ ହୋଇଛି
Police

Police

ଲମ୍ବି ଚାଲିଛି ସିମ୍‌ ବକ୍ସ କ୍ରାଇମର ନେଟୱର୍କ। ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ। ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ। ଝାଡ଼ଖଣ୍ଡର ରାଞ୍ଚିରେ ମଧ୍ୟ କୁଆଡ଼େ ବସିଛି ସିମ୍‌ ବକ୍ସ ସେଟଅପ୍‌। ଅର୍ଥାତ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ହୋଇ ଓଡ଼ିଶା ଓ ଝାଡ଼ଖଣ୍ଡରେ ଚାଲିଥିଲା ନେଟୱର୍କ। ବାଂଲାଦେଶୀ ରିଙ୍ଗ ମାଷ୍ଟର ଆଶାଦ୍ଦୁର ଜମାନ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ହାତ କରି ବିଛାଇଛି ସିମବକ୍ସର ଅପରାଧିକ ନେଟୱାର୍କ। ୫ ଦିନିଆ ରିମାଣ୍ଡରେ ଥିବା ରାଜୁଠାରୁ ଏହି ତଥ୍ୟ ପାଇବା ପରେ ଏବେ ଦଳବଳ ଧରି ରାଞ୍ଚି ମୁହାଁ କମିଶନରେଟ୍ ପୁଲିସ। ତେବେ ଝାଡ଼ଖଣ୍ଡର ଏଜେଣ୍ଟ କିଏ? ସେହି ତଥ୍ୟକୁ ଗୋପନ ରଖିଛି ପୁଲିସ।

Advertisment

ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା କଥା, ସିମବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ତଥା ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ ଭୁବନେଶ୍ୱର ଓ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବ୍ୟବସାୟ କରୁଥିଲା। ତା’ ଭିତରେ ମାଷ୍ଟରମାଇଣ୍ଡ ଆଶାଦ୍ଦୁରକୁ ଭେଟିବା ପରେ ସିମ୍‌ ବକ୍ସ ଜାଲରେ ପଡ଼ିଥିଲା। ଡିଲ୍‌ ପରେ ବୈଧ ଭିସାରେ ଗତ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା ଆଶାଦ୍ଦୁର। ପରେ ଡିସେମ୍ବରରେ କଟକ ଓ ଭୁବନେଶ୍ୱର ଆସି ରାଜୁ ନାଁରେ ଘରଭଡ଼ା ନେବା ସହ ସ୍ଥାପନ କରିଥିଲା ସିମବକ୍ସ ନେଟୱର୍କ।

ଭୁବନେଶ୍ୱର ଆସିଥିବା ବେଳେ ଆଶାଦ୍ଦୁର ଲିଙ୍ଗରାଜ ହୋଟେଲରେ ରହିଥିଲା। ଏନେଇ ପୁଲିସକୁ ସୂଚନା ଦେଇଛି ରାଜୁ। ଆଜି ଏହି ହୋଟେଲରେ ଛାନଭିନ କରିଛି ପୁଲିସ। ତେବେ ସେଠାରୁ ସେଭଳି କିଛି ତଥ୍ୟ ପାଇନି। ତା’ହେଲେ କ’ଣ ଆତ୍ମଗୋପନ କରି ଏହି ହୋଟେଲରେ ରହୁଥିଲା କି ଆଶାଦ୍ଦୁର ? ଫେକ୍‌ ଡକ୍ୟୁମେଣ୍ଟ ଦେଇ ରହୁଥିଲା କି? SARAI ACT କହୁଛି, କୌଣସି ବିଦେଶୀ ଭାରତ ଆସି ଯଦି ହୋଟେଲ କିମ୍ବା ଯାତ୍ରୀ ନିବାସରେ ରହିବେ, ତେବେ ଫର୍ମ-ସି ଅନୁସାରେ ପୁଲିସକୁ ବିସ୍ତୃତ ତଥ୍ୟ ଦେବେ। ତେବେ କେଉଁ ଆଧାରରେ ଜଣେ ବିଦେଶୀ ହୋଇ ଏଇଠି ରହୁଥିଲା ବାଂଲାଦେଶର ଆଶାଦ୍ଦୁର? ତା’ ଭଳି ଆଉ କେହି ବାଂଲାଦେଶୀ ଭୁବନେଶ୍ୱରରେ ଆତ୍ମଗୋପନ କରିଛନ୍ତି କି? ସେ ନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଏହି ହୋଟେଲର ରେଜିଷ୍ଟ୍ରାର, ଲେଜର ବୁକ୍‌ ସିଜ୍ ସହ ସିସିଟିଭି ଫୁଟେଜ ମାଗି ତଦନ୍ତ କରୁଛି ପୁଲିସ।

Advertisment

ବାଂଲାଦେଶରୁ ପାକିସ୍ତାନ, ଚୀନରୁ ମଧ୍ୟପ୍ରାଚ୍ୟ ଦେଶ। ଏସବୁ ଦେଶର ଟେଲିଫୋନିକ କଲ୍ ସହ ଯୋଡ଼ି ହୋଇଥିବା ସିମବକ୍ସ ରାକେଟ ପାଇଁ କେଉଁଠୁ ଓ କିଏ ଯୋଗାଉଥିଲା ପୂଳା ପୂଳା ସିମକାର୍ଡ? କେମିତି ଜେନେରେଟ୍ କରାଯାଉଥିଲା ନମ୍ବର? ସିମବକ୍ସ କ୍ରାଇମ୍ ପାଇଁ ଏଜେଣ୍ଟମାନଙ୍କୁ ପ୍ରଲୋଭନ ପଛରେ କିଏ କିଏ ସାମିଲ? ୫ ଦିନିଆ ରିମାଣ୍ଡରେ ଥିବା ବଙ୍ଗୀୟ ଏଜେଣ୍ଟ ରାଜୁଠାରୁ ସତ ଉଗାରୁଛି ପୁଲିସ। ଭୁବନେଶ୍ୱର ଓ କଟକରୁ ମୋଟ୍ ୧୨ଟି ସିମବକ୍ସ ଜବତ କରିବା ପରେ ଆଗକୁ ଝାଡ଼ଖଣ୍ଡରୁ କି ତଥ୍ୟ ସାମ୍ନାକୁ ଆସୁଛି, ତାକୁ ଏବେ ଅପେକ୍ଷା।

Bhubaneswar Bhubaneswar News Cuttack