/odisha-reporter/media/post_attachments/uploadimage/library/16_9/16_9_0/ATM_1676113782.jpg)
ATM
ଟଙ୍କା ଲୁଟିବା ପରେ ଏଟିଏମ୍ ଜାଳି ଦେଲେ ଦୁର୍ବୃତ୍ତ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମରେ ଲୁଟେରାମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଗତ ବିଳମ୍ବିତ ରାତି ପ୍ରାୟ ୪ଟା ବେଳେ ଘଟଣା ଘଟିଥିବା ଯାଞ୍ଚ ପରେ ଆଜି ଜଣାପଡ଼ିଛି। କୌଶଳକ୍ରମେ ଏଟିଏମରେ ଥିବା ଲକ୍ଷାଧିକ ଟଙ୍କା ଲୁଟ୍ କରିବା ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଏଟିଏମରେ ନିଆଁ ଲଗାଇ ପଳାଇଛନ୍ତି।
ଅଭିଯୋଗ ପାଇବା ପରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଓ ପାଡୁଆ ଥାନା ଆଇଆଇସି ସବ୍ୟସାଚୀ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଢିଲା ଯୋଗୁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି।
ଏଟିଏମ୍ ଜଳି ଯାଇଥିବାରୁ ବ୍ୟାଙ୍କ ବାହାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ଉ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ଏକ ଦାମୀ କାରରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମରୁ ଟଙ୍କା ଲୁଟ୍ କରିବା ପରେ ନିଆଁ ଲଗାଇ ଥିବା ସିସିଟିଭି ଯାଞ୍ଚରୁ ଜଣାପଡ଼ିଛି। ଏହାଛଡ଼ା ଏଟିଏମ୍ର ଟଙ୍କା ଟ୍ରେ ମଧ୍ୟ ରାସ୍ତାରୁ ମିଳିଛି।
ପୂର୍ବରୁ ବାଲେଶ୍ଵର, ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଛନ୍ତି। ତେଣୁ ସମାନ ଲୁଟେରା ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୁଲିସ ସନ୍ଦେହ କରୁଛି। ସେପଟେ ଏହି ଘଟଣା ପରେ ବାଲଡ଼ା ଏସ୍ବିଆଇ ଶାଖାର ସମସ୍ତ ଅନ୍ଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
