Advertisment

ବିଚ୍ ରାସ୍ତାରେ ଓଆଇସିଙ୍କ ଦାଦାଗିରି, ଫଟୋ ଭାଇରାଲ ପରେ ହେଲା ବଦଳି

କିଛି ଦିନ ତଳେ ରାତିରେ ଟି-ବ୍ରିଜ୍ ଉପରେ ଘଟିଛି ଏହି ଘଟଣା।

OIC

OIC

Advertisment

ଜଣେ ବାଇକ୍ ଚାଳକଙ୍କୁ ତଳେ ପକାଇ ତାଙ୍କ ଉପରେ ଛିଡ଼ା ହେବା କଟକ ଜିଲ୍ଲା ବୈଦେଶ୍ୱର ଥାନା ଓଆଇସି ପ୍ରିୟଦର୍ଶନ ସେଠୀଙ୍କୁ ମହଙ୍ଗା ପଡ଼ିଛି। ଏହାର ଫଟୋ ଭାଇରାଲ ହେବା ପରେ ତାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଅଫିସକୁ ବଦଳି କରାଯାଇଛି।

Advertisment

ସୋଶାଲ ମିଡିଆରେ ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ ବୈଦେଶ୍ୱର ଟି-ବ୍ରିଜ୍ ଉପରେ ଜଣେ ବାଇକ ଚାଳକଙ୍କୁ ତଳେ ପକାଇ ତାଙ୍କ ପିଠି ଉପରେ ଗୋଟିଏ ଗୋଡ଼ ରଖି ମୋବାଇଲରେ କଥା ହେଉଛନ୍ତି ପ୍ରିୟଦର୍ଶୀ ସେଠୀ। ସେତେବେଳେ ସେଠାରେ ବାଇକଟି ପଡ଼ିଥିବା ବେଳେ ଅନ୍ୟ ଜଣେ ଯୁବକ ଆଣ୍ଠେଇ ଥିବା ଦେଖିବାକୁ ମିଳିଛି।

ଏହା କେଉଁ ଦିନର ଘଟଣା, ତାହା ସ୍ପଷ୍ଟ ହୋଇନି। ତେବେ ଶୁଣିବାକୁ ମିଳିଛି, ଘଟଣାଟି କିଛି ଦିନ ତଳର। ରାତିରେ ଟି-ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିଲା ବୈଦେଶ୍ୱର ଥାନା ପୁଲିସ। ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀ ନିଜେ ସେଠାରେ ଉପସ୍ଥିତ ଥିଲେ। ସେତିକି ବେଳେ ବାଇକ୍‌ରେ ଯାଉଥିବା ଦୁଇ ଯୁବକଙ୍କୁ ସେ ଅଟକାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶ୍ରୀ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ସେମାନଙ୍କୁ ମାଡ଼ ମାରିଥିଲେ। ତା’ପରେ ଜଣଙ୍କୁ ତଳେ ପକାଇ ତା’ ଉପରେ ଓଆଇସି ପ୍ରିୟଦର୍ଶନ ସେଠୀ ଗୋଡ଼ ରଖି ପକେଟରୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ବୋଲି କୁହାଯାଉଛି।

Advertisment

ଏହି ଦୁଇ ଯୁବକଙ୍କ ନାଁରେ ପୂର୍ବରୁ କିଛି ଅଭିଯୋଗ ରହିଥିବା ମଧ୍ୟ କୁହାଯାଉଛି। ତେବେ ଅଭିଯୁକ୍ତ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ପୁଲିସର ଏଭଳି ଅମାନବୀୟ ବ୍ୟବହାରକୁ ସମସ୍ତେ ନାପସନ୍ଦ କରିଛନ୍ତି। ସୋଶାଲ ମିଡିଆରେ ପ୍ରିୟଦର୍ଶନ ସେଠୀଙ୍କ ଏହି ଫଟୋ ଭାଇରାଲ ହେବା ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହ ତାଙ୍କୁ ବଦଳି କରିଛନ୍ତି। ଏହା ସହିତ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସେଠାରେ ସେଦିନ କ’ଣ ଘଟିଥିଲା, ତାହା ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe