Advertisment

ଏହା କେଉଁ ପ୍ରକାରର ମାନସିକତା?

ପେଶାରେ ମହିଳା ଜଣଙ୍କ ଏୟାର ହୋଷ୍ଟେସ। ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
hospital

hospital

ବର୍ବରତାର ସବୁ ସୀମା ଟପିଛି। ବିକୃତ ଓ ଭୟଙ୍କର ମାନସିକତା ଚରମ ସ୍ଥିତିରେ ପହଞ୍ଚିଛି। ଭେଣ୍ଟିଲେଟରରେ ଥିବା ଜଣେ ମହିଳାଙ୍କୁ ସେହି ଅବସ୍ଥାରେ ମିଳିଛି ଯୌନ ଉତ୍ପୀଡ଼ନ। ଗୁରୁଗ୍ରାମର ଗୋଟିଏ ଖ୍ୟାତନାମା ଘରୋଇ ହସ୍ପିଟାଲରୁ ଏପରି ସାଂଘାତିକ ଅଭିଯୋଗ ଆସିଛି। ପେଶାରେ ମହିଳା ଜଣଙ୍କ ଏୟାର ହୋଷ୍ଟେସ। ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି।

Advertisment

୪୬ ବର୍ଷୀୟ ଏୟାର ହୋଷ୍ଟେସ ଜଣଙ୍କ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଭେଣ୍ଟିଲେଟର ମଧ୍ୟରେ ଅଚେତ ଅବସ୍ଥାରେ ଥିବା ବେଳେ ହସ୍ପିଟାଲର ଜଣେ କର୍ମଚାରୀ ତାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଥିବା କୁହାଯାଇଛି। ଏୟାରଲାଇନ ଟ୍ରେନିଂ ପାଇଁ ମହିଳା ଜଣଙ୍କ ଗୁରୁଗ୍ରାମ ଆସିଥିଲେ। ସେ ଏଠାରେ ଗୋଟିଏ ହୋଟେଲରେ ରହୁଥିବା ବେଳେ ସୁଇମିଂ ପୁଲରେ ଅସାବଧାନତା ବଶତଃ ବୁଡ଼ି ଯାଉଥିବା ବେଳେ ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ଏପ୍ରିଲ ୬ରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସଦର ଅଞ୍ଚଳରେ ଥିବା ଆଉ ଗୋଟିଏ ଘରୋଇ ହସ୍ପିଟାଲକୁ ତାଙ୍କ ସ୍ୱାମୀ ନେଇ ଯାଇଥିଲେ। ଉକ୍ତ ହସ୍ପିଟାଲର ଆଇସିୟୁରେ ମହିଳାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖା ଯାଇଥିଲା। ଏତିକି ବେଳେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ମହିଳା ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ସେ ଯେତେବେଳେ ଅଚେତ ଅବସ୍ଥାରେ ଓ ଭେଣ୍ଟିଲେଟର ମଧ୍ୟରେ ରହିଥିଲେ ସେତେବେଳେ ତାଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଅତ୍ୟନ୍ତ ଆପତ୍ତିଜନକ ଭାବେ ବାରମ୍ବର ସ୍ପର୍ଶ କରୁଥିବା ସେ ଅନୁଭବ କରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଏହାକୁ ପ୍ରତିରୋଧ କରିବା କିମ୍ବା ଏହାକୁ ରୋକିବା ପାଇଁ ଚିତ୍କାର କରିପାରି ନଥିଲେ। କର୍ମଚାରୀ ଜଣଙ୍କ ତାଙ୍କ ସହ ବାରମ୍ବାର ଏପରି କାଣ୍ଡ ଘଟାଇ ଚାଲିଥିଲେ।

ଏପ୍ରିଲ ୧୩ରେ ମହିଳା ଜଣଙ୍କ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହି ସମୟରେ ଘଟଣା ସମ୍ପର୍କରେ ସେ କାହାକୁ କିଛି କହି ନଥିଲେ। କିନ୍ତୁ ମହିଳା ଜଣଙ୍କ ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିଥିଲେ ଓ ଜରୁରୀ ସହାୟତା ନମ୍ବର ୧୧୨ରେ ଯୋଗାଯୋଗ କରିଥିଲେ। ଆଇନ ପରାମର୍ଶଦାତାଙ୍କ ସହାୟତାରେ ଦମ୍ପତି ସଦର ପୁଲିସ୍‌ ଷ୍ଟେସନରେ ବିଧିବଦ୍ଧ ଭାବେ ଏଫଆଇଆର ଦେଇଥିଲେ।

ଅଭିଯୋଗକୁ ଆଧାର କରି ଗୁରୁଗ୍ରାମ ପୁଲିସ୍‌ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା କରିଛି। ପୁଲିସ୍‌ ପିଆରଓ ମାମଲା ରୁଜୁ ହୋଇଥିବା ନିଶ୍ଚିତ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି। ପିଆରଓ କହିଛନ୍ତି, “ଆମେ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛୁ। ବୟାନ ରେକର୍ଡ ହୋଇଛି, ହସ୍ପିଟାଲ କର୍ମଚାରୀଙ୍କୁ ଜେରା କରାଯାଇଛି ଓ ହସ୍ପିଟାଲରେ ଲାଗିଥିବା ସିସିଟିଭିର ଯାଞ୍ଚ ହେଉଛି।”

Crime Stop Rape