ନିଶାସକ୍ତ ଯୁବକ ଘଟାଇଲେ ଉନ୍ମତ କାଣ୍ଡ। ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ନୂଆ ଵସଷ୍ଟାଣ୍ଡ ନିକଟରେ ଘଟିଛି। ମାତ୍ର ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ୩ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ପରେ ଏକ ଅଣ୍ଡା ଵୋଝେଇ ଟ୍ରକ୍ ଭଦ୍ରକର ନୂଆ ଵସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଡ୍ରାଇଭର ଟ୍ରକ୍ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ।
ହଠାତ ୩ଜଣ ନିଶାସକ୍ତ ଯୁବକ ପହଞ୍ଚି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟ୍ରକ୍ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ। ଏହାପରେ ଭୟଭୀତ ହୋଇ ଡ୍ରାଇଭରଜଣକ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ।
ପି ବାସୁ ନିଜର ଜଣେ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଶାସକ୍ତ ୩ ଯୁବକ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ନିଶାସକ୍ତ ତିନି ଯୁଵକ ଉତ୍ତକ୍ଷିପ୍ତ ହୋଇ ସେମାନଙ୍କୁ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ।
ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଛୋଟ ଗାଡ଼ି ଡ୍ରାଇଭର, ଅଟୋ ମାଲିକ ଓ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଥିଲେ। ଉପାୟ ନ ପାଇ ସେମାନେ ସେଠାରୁ ଏକ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସିଥିଲେ। ଏହି ସମୟ ମଧ୍ୟରେ ବି ନିଶାସକ୍ତ ଯୁବକମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଶାସକ୍ତ ଯୁବକମାନେ ନିଜ ଗାଡ଼ି ସହ ଟ୍ରାନ୍ସପୋର୍ଟ ମାଲିକଙ୍କ ବାଇକ୍କୁ ନେଇ ଫେରାର ହୋଇ ଯାଇଛନ୍ତି।
ଗୁରୁତର ଅବସ୍ଥା ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୨ ଜଣଙ୍କୁ କଟକ ରେଫର କରି ଦିଆଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।